ନୂଆଦିଲ୍ଲୀ,୧୦|୦୭: ହାରିଛି ଭାରତ । ଇଂଲଣ୍ଡ ବିପକ୍ଷରେ ଚଚୁର୍ଥ ଟି୨୦ ମୁକାବିଲାରେ ମାତ୍ ଖାଇଛି ଟିମ୍ ଇଣ୍ଡିଆ । ଏହାସହ ସିରିଜ୍ ମଧ୍ୟ ହାରିଛି । ପ୍ରଥମ ମୁକାବିଲା ବର୍ଷା ପାଇଁ ଡ୍ର ହୋଇଥିଲା । ଦ୍ୱିତୀୟ ମୁକାବିଲା ଭାରତ ହାରିଥିଲା । ତୃତୀୟ ମ୍ୟାଚରେ ଲଜ୍ଜାଜନକ ଭାବେ ୧୨୫ ରନରେ ମାତ୍ ଖାଇଥିଲା । ଏବେ ଚତୁର୍ଥ ମ୍ୟାଚରେ ୯ ଓ୍ୱିକେଟରେ ଦଳ ହାରିଛି ।
ସିରିଜର ଶେଷ ମୁକାବିଲା ଶନିବାର ଖେଳାଯିବ । ଯଦି ଏହି ମୁକାବିଲା ଇଂଲଣ୍ଡ ଜିତେ ତେବେ ଭାରତ ପୁଣି ଥରେ କ୍ଲିନ୍ ସ୍ୱିପ୍ ହୋଇଯିବ । ଏହାସହ ଭାରତର ଏକ ନମ୍ବର ରାଙ୍କିଂ ଖସିଯିବ ଏବଂ ଇଂଲଣ୍ଡ ଟପ୍ ପୋଜିସନ ହାସଲ କରିନେବ । ତେବେ ଦଳର ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ଅଧିନାୟକ ଶ୍ରେୟସ ଆୟର ।
ଶ୍ରେୟସ କହିଛନ୍ତି ଯେ, ଦଳ ଯାହା ଯୋଜନା କରିଥିଲା ତାହାକୁ ସଠିକ୍ ଭାବେ ପଡିଆରେ ଲାଗୁ କରିପାରିନଥିଲା । ପ୍ଲାନ୍ ଫେଲ୍ ମାରିଥିଲା । ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ୧୫୮ ରନ୍ କେବେହେଲେ ଭଲ ସ୍କୋର ନୁହେଁ । ଇଂଲଣ୍ଡ ଖୁବ୍ ଶୀଘ୍ର ଟାର୍ଗେଟ୍ ହାସଲ କରିନେଇଥିଲା । ବୋଲରମାନେ ବିଫଳ ହୋଇଥିଲେ । ସେମାନେ ଷ୍ଟମ୍ପ୍ ଲାଇନରେ ବୋଲିଂ କରିପାରୁ ନଥିଲେ ।
Also Read :- IND vs ENG: ଜୋଫ୍ରାଙ୍କ ସର୍ଟ ବଲ୍ ଜାଲରେ ପୁଣି ଫସିଲେ ବୈଭବ ସୂର୍ଯ୍ୟବଂଶୀ, ଭୁଲରୁ ଶିଖି ପାରିଲେନି କିଛି
କ୍ୟାପ୍ଟେନ୍ ଆୟର ଆହୁରି କହିଛନ୍ତି ଯେ, ସେ ନିଜ ବ୍ୟାଟିଂକୁ ନେଇ ଖୁସି ଅଛନ୍ତି । ହେଲେ ଦଳ ହାରିଛି । ଦଳ ବିଜୟୀ ନେହେଲେ ନିଜ ସ୍କୋର ଛୋଟ ଲାଗେ । ସେ ଯେବେ ପଡିଆକୁ ଓହ୍ଲାଇଥାନ୍ତି ଭଲ ପ୍ରଦର୍ଶନ କରିବା କଥା ଭାବିଥାନ୍ତି । କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଏପରି ହୋଇପାରିନଥିଲା । ଆଗାମୀ ଦିନରେ ଖେଳାଳି ନିଜ ତ୍ରୁଟି ସୁଧାରିବେ । ଏହି ସମୟରେ ଭୁଲ ହୁଏ । ପରିସ୍ଥିତି ସହ ତାଳ ମିଳାଇ ଖେଳିବାକୁ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
