ରାଉରକେଲା: ରାଉରକେଲା ସର୍କିଟ ହାଉସରୁ ଏକ ରୁମରୁ ବନ୍ଧୁକ ଓ ଗୁଳି ମିଳିବା ମାମଲାରେ ଗିରଫ ଯୁବ ନେତା ପ୍ରକାଶ ପାଶଓ୍ବାନ ଜେଲ ପଠାଇ ଦିଆଯାଇଛି। ପ୍ରକାଶଙ୍କୁ ବୁଧବାର ବିହାରର ସମସ୍ତିପୁରରୁ ଧରିଥିଲା ରାଉରକେଲା ପୋଲିସ । ତେବେ ଗୁରୁବାର ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ହେଲେ କୋର୍ଟ ଜାମିନ ନାମଞ୍ଜୁର ହେବାରୁ ପ୍ରକାଶ ପାଶୱାନଙ୍କୁ ଜେଲ ପଠାଇ ଦିଆଯାଇଛି।
ସୂଚନାଥାଉକି, ଗତ ୧୪ ତାରିଖ ବିଳମ୍ବିତ ରାତିରେ ରାଉରକେଲା ସର୍କିଟ ହାଇସର ରୁମ ନମ୍ବର ୧୦୭ ଉପରେ ଚଢ଼ାଉ କରିଥିଲା ରାଉରକେଲା ରଘୁନାଥପାଲ୍ଲୀ ପୋଲିସ । ଏହି ଚଢ଼ାଉ ବେଳେ ସେଠାରୁ ୪ ପିସ୍ତଲ ୧୧ଟି ଜୀବନ୍ତ ଗୁଳି ସହ ତିନି ମାଗାଜିନ ଜବତ କରିଥିଲା । ମାମଲାରେ ପ୍ରଥମେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପରେ ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁ୍କ୍ତ ମୋଟ ୯ଜଣଙ୍କୁ ଗିରଫ କରି ଜେଲ ପଠାଇଦେଇଛି ।
କିନ୍ତୁ ଏହାରି ଭିତରେ ପ୍ରକାଶ ପାଶୱାନ ଗତ ୧୭ ତାରିଖରୁ ଫେରାର ହୋଇଯାଇଥିଲେ । ପ୍ରକାଶ ପାଶୱାନ ବ୍ୟବହାର କରୁଥିବା କାରକୁ ପୋଲିସ ପୂର୍ବରୁ ଜବତ କରିଥିବା ବେଳେ ପ୍ରକାଶ ପାଶୱାନଙ୍କ ଭଉଣୀଙ୍କୁ ଥାନାକୁ ଡ଼ାକି ଜେରା କରିଥିଲା । ଏହା ସହ ପ୍ରକାଶ ପାଶୱାନଙ୍କୁ ଗିରଫ କରିବା ପାଇଁ ରାଉରକେଲା ପୋଲିସ ଗଠନ କରିଥିଲା ୬ଗୋଟି ଟିମ୍ । ବିଭିନ୍ନ ଟିମ ବିଭିନ୍ନ ରାଜ୍ୟ ଯାଇ ପ୍ରକାଶ ପାଶୱାନଙ୍କୁ ଗିରଫ ପାଇଁ ପ୍ରସ୍ତୁତ କରିଥିଲା ରୂପରେଖ । ଏମିତିକି ପ୍ରକାଶଙ୍କୁ ଗିରଫ କରିବା ପାଇଁ ଗତ ୨୫ ତାରିଖରେ ଜାରି ହୋଇଥିଲା ନନ ବେଲେବୁଲ ୱାରେଂଟ ଅର୍ଥାତ ଏନବିଡ୍ଳୁ ।
ଏହାରି ଭିତରେ ଗତ ୨୫ ତାରିଖ ସଂଧ୍ୟାରେ ପ୍ରକାଶ ପାଶୱାନ ଆଗୁଆ ଜାମିନ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଆବେଦନର ଶୁଣାଣି ହେବା ପୂର୍ବରୁ ବୁଧବାର ବିହାର ସମସ୍ତିପୁରରୁ ପ୍ରକାଶଙ୍କୁ ଗିରଫ କରିଛି ପୋଲିସ।
