କିଭ୍: ୟୁକ୍ରେନରେ ବଡ଼ ଧରଣର ସାମରିକ ଅଦଳବଦଳ। ଦେଶର ସେନାମୁଖ୍ୟ ତଥା କମାଣ୍ଡର-ଇନ୍-ଚିଫ୍ ଓଲେକ୍ସଣ୍ଡର ସିରସ୍କିଙ୍କୁ ପଦରୁ ହଟାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ମାଇଖେଲୋ ଡ୍ରାପାତିଙ୍କୁ ୟୁକ୍ରେନ ସଶସ୍ତ୍ର ବାହିନୀର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ଡ୍ରାପାତୀ ଏବେ ସେନା କମାଣ୍ଡର ପୁନର୍ଗଠନ ପ୍ରକ୍ରିୟାର ନେତୃତ୍ୱ ନେବେ।
ସେନା ନେତୃତ୍ୱକୁ ନେଇ ୟୁକ୍ରେନରେ ବିଦ୍ରୋହ। ଗତ ସପ୍ତାହରେ ମାଇଖେଲୋ ଫେଡୋରୋଭଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟାଯିବା ପରେ କିଭ ସମେତ ପ୍ରମୁଖ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ଦେଶରେ ବଡ଼ ରାଜନୈତିକ ସଙ୍କଟ ପାଲଟିଛି। ଆନ୍ଦୋଳନକାରୀମାନେ ସିରସ୍କିଙ୍କୁ ହଟାଇବା ସହ ଫେଡୋରୋଭଙ୍କୁ ପୁନଃ ପଦବୀରେ ଅବସ୍ଥାପିତ କରିବାକୁ ଦାବି କରିଥିଲେ। ସେମାନେ ଶୁକ୍ରବାର ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଥିଲେ ଏବଂ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ କରିବାକୁ ଚେତାବନୀ ଦେଇଥିଲେ।
ଶେଷରେ ମୁଣ୍ଡ ନୁଆଁଇଛନ୍ତି ଜେଲେନସ୍କି। ଫେଡୋରୋଭଙ୍କୁ ସରକାରରେ ଏକ “ପ୍ରମୁଖ ପଦବୀ” ପାଇଁ ପ୍ରସ୍ତାବ ଦେଇଥିବା କହିଛନ୍ତି। ସରକାରରେ ଫେଡୋରୋଭ କେଉଁ ଭୂମିକା ଗ୍ରହଣ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ‘ଦ ଗାର୍ଡିଆନ୍’ର ରିପୋର୍ଟ ଅନୁସାରେ, ସେନାର ଆଧୁନିକୀକରଣ ଏବଂ ପ୍ରଯୁକ୍ତିବିଦ୍ୟା ଓ ଡାଟାର ଅଧିକ ବ୍ୟବହାର ପାଇଁ ଫେଡୋରୋଭଙ୍କ ଉଦ୍ୟମ ଯୋଗୁଁ ସିରସ୍କିଙ୍କ ସହ ତାଙ୍କର ମତଭେଦ ସୃଷ୍ଟି ହୋଇଥିଲା। କିନ୍ତୁ ସିରସ୍କିଙ୍କ ଉପରେ କୌଣସି ଆକ୍ସନ ନନେଇ ଫେଡୋରୋଭଙ୍କୁ ମନ୍ତ୍ରୀ ପଦରୁ ହଟାଇବା ଜେଲେନସ୍କିଙ୍କ ପାଇଁ ଭୁଲ ନିଷ୍ପତ୍ତି ଥିଲା। ଡ୍ରାପାତୀଙ୍କୁ ୟୁକ୍ରେନ ସଶସ୍ତ୍ର ବାହିନୀର ସାମରିକ କମାଣ୍ଡର କରିବାର ମୂଳ କାରଣ ହେଲା, ସେ ଫେଡୋରୋଭଙ୍କ ଜଣେ ଘନିଷ୍ଠ ସହଯୋଗୀ। ତେଣୁ ଡ୍ରାପାତୀଙ୍କୁ ସେନା ଦାୟିତ୍ୱ ଦେବା ଦ୍ୱାରା ଦେଶରେ ରାଜନୈତିକ ଉତ୍ତେଜନା କମିବା ନେଇ ଆଶା କରିଛନ୍ତି ଜେଲେନସ୍କି।
ଜଣେ ମେଜର ଜେନେରାଲ୍ ଭାବେ ଡ୍ରାପାତୀ ବର୍ତ୍ତମାନ ୟୁକ୍ରେନର ମିଳିତ ବାହିନୀ ଗ୍ରୁପର କମାଣ୍ଡର ଅଛନ୍ତି। ସେ ୨୦୧୪ରେ ପୂର୍ବ ଡୋନବାସ୍ ଅଞ୍ଚଳକୁ କବଜା କରିବା ପାଇଁ ରୁଷିଆ ବିରୋଧରେ ଲଢ଼ିଆସୁଛନ୍ତି। ମାରିଉପୋଲ୍ ଠାରେ ପ୍ରୋ-ରୁଷିଆନ୍ ଉଗ୍ରପନ୍ଥୀମାନଙ୍କ ଦ୍ୱାରା ନିର୍ମିତ ବାରିକେଡ୍ ଦେଇ ଏକ ପଦାତିକ ଯୁଦ୍ଧ ଯାନ ଚଲାଇ ନେବା ପରେ ସେ ସାରା ଦେଶରେ ପରିଚିତ ହୋଇଥିଲେ।
ସେନାପତି ବଦଳିଛନ୍ତି, ରଣନୀତି ବି ବଦଳିବ। କିନ୍ତୁ ପ୍ରଶ୍ନ ଉଠୁଛି—ଜେଲେନସ୍କିଙ୍କ ଏହି ଗୋଟିଏ ନିଷ୍ପତ୍ତି ୟୁକ୍ରେନକୁ ପୁଣି ଏକଜୁଟ୍ କରିପାରିବ ତ? ରାଜରାସ୍ତାର ଆନ୍ଦୋଳନ ଆଗରେ ଜେଲେନସ୍କି ମୁଣ୍ଡ ନୁଆଁଇ ନିଜ ଭୁଲ୍ ସୁଧାରିବାକୁ ଚେଷ୍ଟା କରିଛନ୍ତି ସିନା, ହେଲେ ଯୁଦ୍ଧମୈଦାନର ଚ୍ୟାଲେଞ୍ଜ ଏବେ ବି ସେମିତି ରହିଛି। ଗୋଟିଏ ପଟେ ରୁଷିଆର ଘନ ଘନ ଆକ୍ରମଣ, ଅନ୍ୟପଟେ ସୈନ୍ୟଙ୍କ ଅଭାବ… ଏସବୁ ଭିତରେ ନୂଆ ସେନାପତି ମାଇଖେଲୋ ଡ୍ରାପାତୀ ୟୁକ୍ରେନ ସେନାକୁ କିପରି ନୂଆ ଦିଶା ଦେଉଛନ୍ତି, ତାହା ଉପରେ ଏବେ ସାରା ବିଶ୍ୱର ନଜର।
