ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ପୁସ୍ତକ Belonging: A Journey of Love ସଂପ୍ରତି ଜାତୀୟ ରାଜନୀତିରେ ସବୁଠୁ ଚର୍ଚ୍ଚିତ ବିଷୟ ପାଲଟିଛି। ପୁସ୍ତକ ପ୍ରକାଶନ ସହ ଏହାକୁ ନେଇ ବିବାଦ ଏବଂ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଓ ବାକ୍ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଗୋଧ୍ରା ଟ୍ରେନ ପୋଡ଼ି ମାମଲା ସଂପର୍କିତ ସୋନିଆଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ଖୋଦ୍ ଆସ୍ଥାନା ଟ୍ରେନ ଅଗ୍ନିକାଣ୍ଡ ମାମଲାର ତଦନ୍ତ କରିଥିଲେ। ସୋନିଆଙ୍କ Belonging: A Journey of Love ପୁସ୍ତକରେ ଉଲ୍ଲେଖ ଗୋଧ୍ରା ଟ୍ରେନ ପୋଡ଼ିର ସେହି ଅଂଶକୁ ଅଗ୍ରାହ୍ୟ କରିଛନ୍ତି, ଯେଉଁଥିରେ ଅଗ୍ନିକାଣ୍ଡର କାରଣକୁ ବିବାଦୀୟ ଭାବେ ବିତ୍ରଣ କରାଯାଇଛି।
ଏଏନଆଇ ସହ ଏକ ସାକ୍ଷାତକାରରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ କହିଛନ୍ତି, ଏହି ଘଟଣାର ତଦନ୍ତ ପୂରା ହୋଇ ସାରିଛି। ଫରେନ୍ସିକ ସାକ୍ଷ୍ୟରୁ ନିଆଁ ଲାଗିବାର କାରଣ ମଧ୍ୟ ଜଣା ପଡ଼ି ସାରିଛି। କୋର୍ଟରୁ ରାୟ ଆସି ସାରିଛି। ମାତ୍ର ରାଜନୈତିକ ଉଦ୍ଦେଶ୍ୟ ରଖି ଯାଞ୍ଚର ପରିଣାମ ଉପରେ ସନ୍ଦେଶ ପ୍ରକାଶ କରାଯାଉଥିବା ଆସ୍ଥାନା କହିଛନ୍ତି।
Also Read: ବାଂଲାଦେଶ ଫେରିବେ ଶେଖ ହସିନା ! ଢାକା ସାମ୍ନାରେ ଦୁଇଟି ସର୍ତ୍ତ ରଖିଲା ଭାରତ
ଅଗ୍ନିକାଣ୍ଡର କାରଣ ଆଜି ବି ବିବାଦୀୟ
ନିଜର ଆତ୍ମଜୀବନୀ ପୁସ୍ତକରେ ସୋନିଆ ଲେଖିଛନ୍ତି, ଦଙ୍ଗା ସେହି ସମୟରେ ଆରମ୍ଭ ହେଲା, ଯେତେବେଳେ ସାବରମତୀ ଏକ୍ସପ୍ରେସର ଚାରୋଟି ବଗିରେ ନିଆଁ ଲଗାଇ ଦିଆଗଲା। ଏଥିରେ ୫୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।ଏହି ଟ୍ରେନ ଅଯୋଧ୍ୟାରୁ ଗୁଜରାଟର ଅହମ୍ମଦାବାଦ ଫେରୁଥିଲା। ଏଥିରେ ରାମ ମନ୍ଦିରର ସ୍ଵଂୟସେବକ ଅର୍ଥାତ ହିନ୍ଦୁ କାର ସେବକ ଥିଲେ। ଟ୍ରେନରେ ନିଆଁ ଲାଗିବାର କାରଣ ଆଜି ବି ବିବାଦୀୟ। ମାତ୍ର ଏହା ପରେ ଯାହା ଘଟିଲା, ତାହା ରାଜ୍ୟର ଅନ୍ୟ ଅଞ୍ଚଳକୁ ବ୍ୟାପିଗଲା।
ଏହା ପଛରେ ରାଜନୈତି କାରଣ
ସୋନିଆଙ୍କ ଏହି ପୁସ୍ତକ ଉପରେ ପ୍ରତିକ୍ରିୟା ଦେଇ ଆସ୍ଥାନା କହିଛନ୍ତି, ଏହା ସଂପୂର୍ଣ୍ଣ ଭାବେ ଭୁଲ୍। ତଦନ୍ତ ସଂପୂର୍ଣ୍ଣ ଠିକ୍ ଅଛି। ଏହା ଅଦାଲତରେ ପ୍ରମାଣିତ ହୋଇ ସାରିଛି। ଯଦି ଏବେ ବି କେହି ଏହା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି, ତାହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ଉପରେ ସନ୍ଦେହ କରିବାର କୌଣସି କାରଣ ବି ନାହିଁ। ଆସ୍ଥାନାଙ୍କୁ ପ୍ରଶ୍ନ ହୋଇଥିଲା, କଣ ଏହା ରାଜନୈତିକ କାରଣରୁ କୌଣସି ଖାସ୍ ଭୋଟ୍ ବ୍ୟାଙ୍କ ସହ ଜଡ଼ିତ।
ଏହା ଉପରେ ପୂର୍ବତନ ସିବିଆଇ ମୁଖ୍ୟ କହିଛନ୍ତି, ଗୋଧ୍ରା ଟ୍ରେନ ପୋଡ଼ି ଘଟଣାରେ ସମସ୍ତ ମୃତକ ହିନ୍ଦୁ ଥିଲେ। ସେ ଯାହାର ବି ମୃତ୍ୟୁ ହେଉ ନା କାହିଁକି, ସେ ହିନ୍ଦୁ ହୁଅନ୍ତୁ କି ମୁସଲିମ କିମ୍ବା ଖ୍ରୀଷ୍ଟିୟାନ ଅବା ଶିଖ। ମୃତ୍ୟୁ ମୃତ୍ୟୁ ହୋଇଥାଏ, ହତ୍ୟା ହତ୍ୟା ହୋଇଥାଏ। ଏଥିପାଇଁ ଆମେ ଏହାକୁ ଅପରାଧିକ ଘଟଣା ବିବେଚନା କରି ତଦନ୍ତ କଲୁ। ମାତ୍ର ଦୁର୍ଭାଗ୍ୟର ବିଷୟ ଏହି ଘଟଣାକୁ ଏମିତି ଉପସ୍ଥାପନ କରାଗଲା, ଯେମିତି ଯାଞ୍ଚର ଉଦ୍ଦେଶ୍ୟ ମୋଦୀଙ୍କୁ ଫାଇଦା ପହଞ୍ଚାଇବା।
ମହିଳା ଓ ଶିଶୁ ସମେତ ୫୯ ଜଣଙ୍କ ମୃତ୍ୟୁ
ସୂଚନାଯୋଗ୍ୟ, ୨୦୦୨ ଫେବୃଆରୀ ୨୭ରେ ହିନ୍ଦୁ କାରସେବକଙ୍କୁ ନେଇ ଯାଉଥିବା ସାବରମତୀ ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଥିଲେ ଭିଡ଼ ମଧ୍ୟରୁ କିଛି ଲୋକ। ଏହି ଘଟଣାରେ ମହିଳା ଓ ଶିଶୁ ସମେତ ୫୯ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା। ଏହା ପରେ ପୂରା ଗୁଜରାଟରେ ସାଂପ୍ରଦାୟିକ ଦଙ୍ଗା ଘଟିଲା। ଏଥିରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଲା।
୨୦୧୧ରେ ଏକ ସ୍ଵତନ୍ତ୍ର ଅଦାଲତ ଗୋଧ୍ରା ଟ୍ରେନ ପୋଡ଼ି ମାମଲାରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପୁଣି ୨୦୧୪ରେ ଗୁଜରାଟ ହାଇକୋର୍ଟ ୧୧ ଜଣଙ୍କ ଦୋଷସିଦ୍ଧ ବଳବତ୍ତର ରଖିଥିବା ବେଳେ ବାକି ୨୦ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।ଶେଷରେ ସୁପ୍ରିମକୋର୍ଟ ଗୋଧ୍ରା ଟ୍ରେନ ଅଗ୍ନିକାଣ୍ଡର ଦୋଷୀଙ୍କ ଦ୍ଵାରା ଦାୟର ଯାଚିକାକୁ ଖାରଜ କରି ଗୁଜରାଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ।
