ଭୁବନେଶ୍ବର: ଚାନ୍ଦିପୁରା ଭାଇରସକୁ ନେଇ ବଢ଼ିବାରେ ଲାଗିଲାଣି ଚିନ୍ତା । ଗୁଜରାଟରେ ଏହା ବିଶେଷ ଭାବେ ବ୍ୟାପିଥିବା ବେଳେ ପଡ଼ୋଶୀ ରାଜସ୍ଥାନ ଓ ମହାରାଷ୍ଟ୍ରରେ ଆଲର୍ଟ ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ଓଡ଼ିଶାରେ ବର୍ତ୍ତମାନ କୌଣସି ସକ୍ରିୟ ମାମଲା ନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି।
ରିପୋର୍ଟ ଅନୁସାରେ, ଗୁଜରାଟରେ ୨୨ ଶିଶୁଙ୍କ ମୃତ୍ୟୁ ହେଲାଣି। ୧୮୪ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୩୫ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ବିଶେଷ କରି ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଏହା ଆକ୍ରାନ୍ତ କରୁଛି। । ଶିଶୁର Acute Encephalitis Syndrome –AES- ଲକ୍ଷଣରେ ମସ୍ତିଷ୍କ ଫୁଲିଯାଉଛି। ଥରେ ଆକ୍ରାନ୍ତ ହେଲେ ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ଗୁଜରାଟକୁ ଦେଖି ମହାରାଷ୍ଟ୍ର,ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଲର୍ଟ ମୋଡ଼ରେ ଅଛନ୍ତି। ଗୁଜରାଟକୁ ଆଇସିଏମଆର ଟିମ୍ ଯାଇଛନ୍ତି। କାହିଁକି କେଉଁ ପରିସ୍ଥିତି ରୋଗ ବ୍ୟାପୁଛି ଏହାର ଯାଞ୍ଚ ଚାଲିଛି।
ତେବେ ଆଶ୍ବସ୍ତିକର କଥା ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ଚାନ୍ଦିପୁରା ଭାଇରସ୍ ମାମଲା ସାମ୍ନାକୁ ଆସିନାହିଁ। ତଥାପି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। କୌଣସି ସ୍ଥାନରେ ସେଭଳି ଲକ୍ଷଣ ଯୁକ୍ତ ଶିଶୁଙ୍କୁ ଦେଖିଲେ ଆଲର୍ଟ କରିବାକୁ କୁହାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ରୋଗ ମାଈ ବାଲୁକା ମାଛି ବା ‘ସ୍ୟାଣ୍ଡଫ୍ଲାଇ’ ଏବଂ କିଛି ପ୍ରଜାତିର ମଶା କାମୁଡ଼ିବା ଦ୍ଵାରା ବ୍ୟାପିଥାଏ। ହଠାତ୍ ପ୍ରବଳ ଜ୍ବର ହେବା, ବାନ୍ତି ହେବା ଏବଂ ଅଚେତ ହୋଇଯିବା ଏବଂ ମସ୍ତିଷ୍କରେ ପ୍ରଦାହ (Encephalitis) ହେବା ଏହାର ମୁଖ୍ୟ ଲକ୍ଷଣ।
ଏହା ବିଶେଷ ଭାବେ ପଶ୍ଚିମ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତରେ ମୌସୁମୀ ଋତୁରେ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ)ର ସମସ୍ୟା ସୃଷ୍ଟିକରିଥାଏ। ତେଣୁ ଅଳିଆ ଆବର୍ଜନା ହଟାଇବା, ମଶାରୀ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହି ଭାଇରସର କୌଣସି ନିର୍ଦ୍ଦିଷ୍ଟ ଟିକା ବା ମେଡିସିନ ନାହିଁ। ସଚେତନତା ଏବଂ ସତର୍କତା ହିଁ ଏକମାତ୍ର ପ୍ରତିଷେଧକ ବ୍ୟବସ୍ଥା ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।
