ନୂଆଦିଲ୍ଲୀ: ଖେଳ ଦେଖିବା ଏବେ କେବଳ ମନୋରଞ୍ଜନରେ ସୀମିତ ନାହିଁ। ବିଶେଷକରି Gen Zଙ୍କ ମଧ୍ୟରେ ”ସ୍ପୋର୍ଟ୍ସ ବେଟିଂ ” ବା ଖେଳର ଫଳାଫଳ ଉପରେ ଟଙ୍କା ଲଗାଇବାର ପ୍ରବଣତା ଦ୍ରୁତ ଗତିରେ ବଢ଼ୁଛି। ଚିନ୍ତାର ବିଷୟ ହେଉଛି, ଅନେକ ଯୁବକ-ଯୁବତୀ ଏହାକୁ ଜୁଆ ନୁହେଁ, ବରଂ ନିବେଶର ଏକ ଉପାୟ ବୋଲି ଭାବୁଥିବା ଏକ ସର୍ଭେରୁ ଜଣାପଡ଼ିଛି।
ବେଟରମେଣ୍ଟ ନାମକ ଏକ ନିବେଶ ପରାମର୍ଶ ପ୍ଲାଟଫର୍ମର ଅଗଷ୍ଟରେ ହୋଇଥିବା ସର୍ଭେ ଅନୁସାରେ, ୬୬% Gen Z ଏବେ ସ୍ପୋର୍ଟସ୍ ବେଟିଂରେ ନିବେଶ କରୁଛନ୍ତି । ସେହିପରି ବ୍ୟାଙ୍କ ଅଫ୍ ଆମେରିକା ଇନଷ୍ଟିଚ୍ୟୁଟ୍ ର ସେପ୍ଟେମ୍ବର ରିପୋର୍ଟ ଅନୁସାରେ, ୨୦୨୬ ଫିଫା ବିଶ୍ୱକପ୍ ସମୟରେ ଜୁଲାଇ ମାସରେ ଅନଲାଇନ୍ ବେଟିଂ ଆକ୍ଟିଭିଟିର ପ୍ରାୟ ୫୦% Gen Zଙ୍କଠାରୁ ଆସିଥିଲା। ପ୍ରଥମ ଥର ପାଇଁ ଏହି କ୍ଷେତ୍ରରେ Gen Z, ମିଲେନିଆଲ୍ସଙ୍କୁ ପଛରେ ପକାଇଥିବା ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟ ସାମ୍ନାକୁ ଆସିଲା ପରେ ଆର୍ଥିକ ବିଶେଷଜ୍ଞମାନେ ମଧ୍ୟ ଚିନ୍ତାରେ । କାରଣ ଅନେକ Gen Z ଏହାକୁ ନିବେଶର ଏକ ସହଜ ମାଧ୍ୟମ ଭାବେ ଦେଖୁଛନ୍ତି।
ବେଟରମେଣ୍ଟର ସର୍ଭେରେ ୫୨% Gen Z କହିଛନ୍ତି ଯେ ସେମାନେ ନିବେଶ ପାଇଁ ରଖିଥିବା ଟଙ୍କାର କିଛି ଅଂଶ ସ୍ପୋର୍ଟସ୍ ବେଟିଂରେ ଲଗାଇଛନ୍ତି। ଆଉ ୨୬% ଏହାକୁ ନିଜର ଦୀର୍ଘମିଆଦୀ ଆର୍ଥିକ ଯୋଜନାର ଏକ ଅଂଶ ବୋଲି ଦେଖୁଛନ୍ତି। ବିଶେଷଜ୍ଞମାନଙ୍କ କହିବା କଥା, ଏଠାରେ ସବୁଠାରୁ ବଡ଼ ଭୁଲ ହେଉଛି ସ୍ପୋର୍ଟସ୍ ବେଟିଂକୁ ନିବେଶ ସହ ତୁଳନା କରିବା।
ଦୀର୍ଘମିଆଦୀ ନିବେଶରେ ଏକ ଭଲ ଆସେଟ ହେଉଛି ସମୟ ସହିତ ବଢ଼ିପାରେ। କିନ୍ତୁ ସ୍ପୋର୍ଟସ୍ ବେଟିଂକରେ ପ୍ରତ୍ୟେକ ମ୍ୟାଚ୍, ପ୍ରତ୍ୟେକ ଖେଳାଳି ଓ ପ୍ରତ୍ୟେକ ପରିସ୍ଥିତି ଅନୁଯାୟୀ ପୁଣି ନିଷ୍ପତ୍ତି ନେବାକୁ ପଡ଼େ। ବେଟରମେଣ୍ଟର ବିହେଭିଅରାଲ୍ ଫାଇନାନ୍ସ ଏବଂ ଇନଭେଷ୍ଟିଙ୍ଗ୍ ଡିରେକ୍ଟର ଡ୍ୟାନ୍ ଇଗାନଙ୍କ ଅନୁସାରେ, ଏହା ଏପରି ଏକ ଆସେଟ ନୁହେଁ ଯାହା ସମୟ ସହିତ ଅର୍ଥନୀତି ସହ ବଢ଼ିଥାଏ ଏବଂ ଯାହାକୁ ଦୀର୍ଘ ସମୟ ଧରି ଛାଡ଼ି ଦିଆଯାଇପାରେ।
ସ୍ପୋର୍ଟସ୍ ବେଟିଂ ପ୍ରତି ଯୁବପିଢ଼ିର ଆଗ୍ରହ ବଢ଼ିବାର ଆଉ ଏକ କାରଣ ହେଉଛି ସୋସିଆଲ ମିଡ଼ିଆ ଓ ସାଙ୍ଗସାଥୀଙ୍କ ପ୍ରଭାବ। ବ୍ୟାଡ଼ କ୍ରେଡିଟର ଅଗଷ୍ଟରେ ହୋଇଥିବା ସର୍ଭେରେ ୪୪% ଲୋକ କହିଥିଲେ ଯେ ସେମାନେ ଅତିରିକ୍ତ ଆୟ କରିବା ଆଶାରେ ପ୍ରେଡିକ୍ସନ୍ ମାର୍କେଟ୍ ପ୍ଲାଟଫର୍ମରେ ଟ୍ରେଡିଂ ଆରମ୍ଭ କରିଥିଲେ। କିନ୍ତୁ ସମସ୍ୟା ହେଉଛି ଲୋକେ ନିଜର ଲାଭ ବିଷୟରେ ଅନ୍ୟମାନଙ୍କୁ କହନ୍ତି, କ୍ଷତି ବିଷୟରେ ନୁହେଁ। ଜଣେ ଲୋକ “୫ ମିନିଟରେ ୩୦୦ ଡଲାର ରୋଜଗାର କଲି” ବୋଲି କହିପାରନ୍ତି। କିନ୍ତୁ ଗତ ମାସରେ ୮୦୦ ଡଲାର କ୍ଷତି ହୋଇଥିଲା ବୋଲି କେହି କହି ନଥାନ୍ତି
ସ୍ପୋର୍ଟସ୍ ବେଟିଂର ପ୍ରଭାବ କେବଳ ପାକେଟ ଉପରେ ପଡେ ନାହିଁ । ଏହା ଧୀରେ ଧୀରେ ଜଣେ ବ୍ୟକ୍ତିଙ୍କ ପାଠପଢ଼ା, ଚାକିରି, ପରିବାର ଓ ସାମାଜିକ ଜୀବନ ଉପରେ ପ୍ରଭାବ ପକାଇପାରେ। Birches Healthର Cynthia Grantଙ୍କ ଅନୁସାରେ, ଯେତେବେଳେ ବେଟିଂ କାରଣରୁ କେହି କାମ କିମ୍ବା ପଢ଼ାରେ ସମୟ ଦେଇପାରୁନାହାନ୍ତି, ପରିବାର ଓ ସାଙ୍ଗସାଥୀଙ୍କଠାରୁ ଦୂରେଇ ଯାଉଛନ୍ତି, ସେତେବେଳେ ଏହା ଏକ ଗୁରୁତର ସମସ୍ୟାର ରୂପ ନେଉଥିବାର ସଙ୍କେତ ମିଳେ। ବିଶେଷଜ୍ଞଙ୍କ ମତରେ, ଯୁବାବସ୍ଥାରେ ରିସ୍କ ନେବାର ପ୍ରବଣତା ଅଧିକ ଥିବାରୁ Gen Z ଏହାର ଶିକାର ହେବାର ଆଶଙ୍କା ଅଧିକ।
ALSO READ- ୯ ବର୍ଷ ୭ମାସରେ ପଇସା ହେବ ଦୁଇଗୁଣା ,ଜାଣନ୍ତୁ ଏହି ଜରୁରୀ ସୂଚନା
ସ୍ପୋର୍ଟସ୍ ବେଟିଂରେ ଗୋଟିଏ ବଡ଼ ବିପଦ ହେଉଛି ଲସ୍ ଚେସିଙ୍ଗ୍ । ଅର୍ଥାତ୍, ଥରେ କ୍ଷତି ହେବା ପରେ ହାରିଥିବା ଟଙ୍କା ଫେରାଇବା ଆଶାରେ ଆହୁରି ଅଧିକ ଟଙ୍କା ଲଗାଇବା। ଏହା ଜଣେ ବ୍ୟକ୍ତିଙ୍କୁ ଆହୁରି ବଡ଼ ଆର୍ଥିକ କ୍ଷତି ଆଡ଼କୁ ନେଇପାରେ।
ବଢ଼ୁଥିବା ଚିନ୍ତାକୁ ଦେଖି କିଛି ବେଟିଂ ଓ ପ୍ରେଡିକ୍ସନ୍ ମାର୍କେଟ୍ ପ୍ଲାଟଫର୍ମ ମଧ୍ୟ ରିସ୍କ କଣ୍ଟ୍ରୋଲ ବ୍ୟବସ୍ଥା ଆଣିଛନ୍ତି।କିଛି ପ୍ଲାଟ୍ଫର୍ମରେ ୱିୟୁଜର୍ସ ନିଜ ପାଇଁ ଡିପୋଜିଟ ଲିମିଟ ଓ ସମୟ ସୀମା ଧାର୍ଯ୍ୟ କରିପାରୁଛନ୍ତି। କେତେକ ସ୍ଥାନରେ ଯୁବ ୱିୟୁଜର୍ସଙ୍କ ପାଇଁ ଅତିରିକ୍ତ ରିସ୍କ ମ୍ୟାନେଜମେଣ୍ଟ ଅସୁବିଧା ମଧ୍ୟ ରହିଛି। ତେବେ ବିଶେଷଜ୍ଞମାନେ କହୁଛନ୍ତି, ସବୁ ସ୍ପୋର୍ଟସ୍ ବେଟିଂ କ୍ଷତିକାରକ ନୁହେଁ। କିନ୍ତୁ ଏହାକୁ ମନୋରଞ୍ଜନ ଭାବେ କିମ୍ବା ନିୟମିତ ଆୟକାରୀ ନିବେଶର ଉପାୟ ଭାବେ ନଦେଖିବା ଅତ୍ୟନ୍ତ ଜରୁରୀ। ବିଶେଷକରି ଯୁବପିଢ଼ି ପାଇଁ ବାର୍ତ୍ତା ସ୍ପଷ୍ଟ ଖେଳର ରୋମାଞ୍ଚ ଉପଭୋଗ କରନ୍ତୁ, କିନ୍ତୁ ନିବେଶ ଓ ବେଟିଂକୁ ଏକାଠି କରନ୍ତୁ ନାହିଁ।
