Voice of Eastern India

କୋର୍ଟର ମୁଖ୍ୟ ଫାଟକ ନିକଟରେ ଗ୍ୟାଙ୍ଗଷ୍ଟରକୁ ଗୁଳି କରି ହତ୍ୟା, ବାଇକରେ ଆସିଥିଲେ ୨ ଜଣ ସୁଟର୍‌


ନୂଆଦିଲ୍ଲୀ: ହରିୟାଣାର ହିସାର୍ ଜିଲ୍ଲା ଅଦାଲତର ମୁଖ୍ୟ ଫାଟକ ନିକଟରେ ଗ୍ୟାଙ୍ଗଷ୍ଟର୍ ବିନୋଦ ପନ୍ନୁକୁ ଗୁଳି କରି ହତ୍ୟା କରାଯାଇଛି। ବାଇକ୍‌ରେ ଆସିଥିବା ଦୁଇଜଣ ସୁଟର ଏହି ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ହିସାରର ଥୁରାଣା ଗ୍ରାମର ନିବାସୀ ବିନୋଦ ପନ୍ନୁ ଏକ ଅପରାଧିକ ମାମଲାରେ କୋର୍ଟରେ ହାଜର ହୋଇ ନିଜ ସହଯୋଗୀଙ୍କ ସହ ପାର୍କିଂ ଏରିଆ ଆଡ଼କୁ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ପୂର୍ବରୁ ଆପେକ୍ଷା କରିଥିବା ଦୁଇଜଣ ଦୁର୍ବୃତ୍ତ ତାକୁ ଖୁବ୍ ନିକଟରୁ ୧୦ ରୁ ୧୨ ରାଉଣ୍ଡ ଗୁଳିମାଡ଼ କରିଥିଲେ । 

ଗୁଳିମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭୟ ଓ ଆତଙ୍କ ଖେଳିଯାଇଥିଲା। ବିନୋଦକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ଆକ୍ରମଣକାରୀମାନେ ଖସି ପଳାଇବା ସମୟରେ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ। ସେପଟେ ଜଣେ ଆକ୍ରମଣକାରୀକୁ ସ୍ଥାନୀୟ ଲୋକେ କାବୁ କରିନେଇଥିବା କୁହାଯାଉଛି । 

ବିନୋଦ ପନ୍ନୁ ନାମରେ ହତ୍ୟା ସମେତ ପାଖାପାଖି ୩୧ଟି ଅପରାଧିକ ମାମଲା ରୁଜୁ ହୋଇଛି । ସେ ହିସାର୍ ଅଞ୍ଚଳର ଜଣେ ‘ମୋଷ୍ଟ ୱାଣ୍ଟେଡ୍’ ଗ୍ୟାଙ୍ଗଷ୍ଟର୍ । ବିଧାୟକ ସାବିତ୍ରୀ ଜିନ୍ଦଲଙ୍କ ବ୍ୟକ୍ତିଗତ ସହାୟକଙ୍କ ଭଣଜାଙ୍କ ହତ୍ୟାକାଣ୍ଡରେ ମଧ୍ୟ ତାର ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀ-ଏନସିଆର ସମେତ ଅନେକ ଅଞ୍ଚଳରେ ତାର ଅପରାଧିକ କାର୍ଯ୍ୟକଳାପ ଚାଲିଥିଲା।


 



Source link

Leave A Reply

Your email address will not be published.