ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଖୁସି ଖବମ ମିଳିଛି । ଭାରତରେ ଜନ୍ମିତ ଚିତା ୫ ଶାବକଙ୍କୁ ଜନ୍ମ ଦେଇଛି । ସବୁ ଶାବକ ସୁସ୍ଥ ଥିବା ଜଣାପଡ଼ିଛି । ଭାରତରେ ପ୍ରୋଜେକ୍ଟ ଚିତା ସଫଳତାର ଆଉ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି । ୩୨ ମାସର ମାଈ ଚିତା KJP21 ୫ ଛୁଆ ଜନ୍ମ ଦେବା ପରେ ଚିତାଙ୍କ ସଂଖ୍ୟା ୬୦ ଛୁଇଁଛି । ଏଥିରେ ଭାରତରେ ଜନ୍ମଗ୍ରହଣ କରିଥିବା ଚିତାଙ୍କ ସଂଖ୍ୟା ୪୧ ।
ମୁଖୀ ଏବଂ KGP12 ପରେ KJP21 ହେଉଛି ତୃତୀୟ ଭାରତୀୟ ଜନ୍ମିତ ମାଈ ଚିତା । ଯିଏ ଶାବକ ଜନ୍ମ ଦେଇ ଚିତା ବଂଶବୃଦ୍ଧି ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି। ଏହି ସଫଳତା ସମ୍ପର୍କରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସୂଚନା ଦେଇ ଖୁସି ପ୍ରକାଶ କରିଛନ୍ତି। ସେ ଜଣାଇଛନ୍ତି ଯେ, ଏହି ଶାବକମାନଙ୍କର ପିତା ବୋଟସୱାନାରୁ ଅଣାଯାଇଥିବା ଏକ ଚିତା । ଫଳରେ ଭାରତରେ ବୋଟସୱାନା ପ୍ରଜାତି ଚିତାର ବଂଶ ବୃଦ୍ଧି ହୋଇଛି । ଏହା ଭାରତର ବୃଦ୍ଧିପାଉଥିବା ଚିତା ବଂଶରେ ଏକ ନୂତନ ଜେନେଟିକ୍ ବିବିଧତା ଯୋଡ଼ିଛି।
କେନ୍ଦ୍ରମନ୍ତ୍ରୀ ଏହି ସଫଳତା ପାଇଁ ପ୍ରୋଜେକ୍ଟ ଚିତାର ପଶୁ ଚିକିତ୍ସକ, ଫିଲ୍ଡ ଷ୍ଟାଫ୍ ଏବଂ ପରିଚାଳକମାନଙ୍କ ପ୍ରଚେଷ୍ଟା ଓ ନିଷ୍ଠାକୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷରେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଏହାକୁ ପ୍ରୋଜେକ୍ଟ ଚିତା ଏବଂ ସମଗ୍ର କୁନୋ ଟିମ୍ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଭାରତରେ ବିଲୁପ୍ତ ହୋଇଯାଇଥିବା ଚିତାଗୁଡ଼ିକର ପୁନଃ ବଂଶବୃଦ୍ଧି ଦିଗରେ ଏହି ପାଞ୍ଚଟି ଶାବକଙ୍କ ଜନ୍ମ ଅତି ଗୁରୁତ୍ୱପୂର୍ଣ୍ଣ ସଫଳତା।
ସୂଚନାଯୋଗ୍ୟ, ୩ଟି ପର୍ଯ୍ୟାୟରେ ବିଦେଶରୁ ମୋଟ ୨୯ଟି ଚିତା ଭାରତ ଅଣାଯାଇଥିଲା । ପ୍ରଥମେ ସେପ୍ଟେମ୍ବର ୧୭, ୨୦୨୨ରେ ନାମ୍ବିଆରୁ ୮ଟି ଚିତା ଭାରତରେ ପହଞ୍ଚିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ୨୦୨୩ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଏବଂ ଫେବୃଆରୀ ୨୮, ୨୦୨୬ରେ ୯ଟି ଚିତା ବୋଟସୱାନାରୁ ଭାରତରେ ପହଞ୍ଚିଥିଲେ ।
