Voice of Eastern India

ଓମ୍ ସାଇଙ୍କ ମୃତ୍ୟୁକୁ ନେଇ ଉଠିଲା ଅନେକ ପ୍ରଶ୍ନ, ମୋବାଇଲ୍ ଓ ଯୁବତୀଙ୍କ ବୟାନ ଉପରେ ପୋଲିସର ନଜର


ଦିଗପହଣ୍ଡି ୨୮।୧୧ : ଦିଗପହଣ୍ଡି ବାଙ୍କେଶ୍ୱରୀ ଘାଟିରେ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ିଲା ରହସ୍ୟ । ଦୁର୍ଘଟଣା ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ ? ଫଟୋ ଉଠାଇବା ବେଳେ ଅସାବଧାନତାରୁ ଘାଟି ତଳକୁ ଖସିପଡ଼ିଥିଲେ ନା ତାଙ୍କୁ କେହି ଠେଲି ଦେଇଥିଲେ? ଏଭଳି ଅନେକ ପ୍ରଶ୍ନ ଏବେ ମୃତ୍ୟୁ ଘଟଣାକୁ ନେଇ ସୃଷ୍ଟି କରିଛି ସନ୍ଦେହ । ମୃତ ଯୁବକ ଓମ୍ ସାଇ ଶଙ୍କର ପଣ୍ଡାଙ୍କ ପରିବାର ଲୋକେ ମୃତ୍ୟୁର କାରଣକୁ ନେଇ ଉଠାଇଛନ୍ତି ଅନେକ ପ୍ରଶ୍ନ । ଅନ୍ୟପଟେ ଘଟଣା ସମୟରେ ତାଙ୍କ ସହ ଉପସ୍ଥିତ ଥିବା ଯୁବତୀଙ୍କୁ ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହେଲା, ତାହା ଏବେ ତଦନ୍ତର ମୁଖ୍ୟ ପ୍ରସଙ୍ଗ ।

ସୂଚନା ଅନୁସାରେ, ଦିଗପହଣ୍ଡି ନିକଟସ୍ଥ ବାଙ୍କେଶ୍ୱରୀ ଘାଟିର ମୁଗୁରାନାଳ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ ଓମ୍ ସାଇ ଶଙ୍କର ପଣ୍ଡା । ସେଠାରେ ରିଲ୍ସ କରିବା ସହ ଫଟୋ ଉଠାଇବା ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ଘାଟି ଅଞ୍ଚଳର ଭୌଗୋଳିକ ସ୍ଥିତି ଏବଂ ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଇବାର ବିପଦ ପୁଣିଥରେ ସାମ୍ନାକୁ ଆସିଛି । ତେବେ ଏହା କେବଳ ଏକ ଦୁର୍ଘଟଣା ଥିଲା ନା ଘଟଣା ପଛରେ ଆଉ କିଛି ରହସ୍ୟ ରହିଛି, ତାହା ସ୍ପଷ୍ଟ ହୋଇନାହିଁ ।

ଯୁବକଙ୍କ ମୃତ୍ୟୁ ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ପଠାଇଥିଲା । ସେଠାରେ ଆବଶ୍ୟକ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାପରେ ପରିବାର ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ସେମାନଙ୍କ କହିବା ଅନୁସାରେ, ଯୁବକ କେଉଁ ପରିସ୍ଥିତିରେ ଘାଟି ତଳକୁ ଖସିଲେ, ଏହାର ପ୍ରକୃତ କାରଣ କ’ଣ ଏବଂ ଘଟଣା ସମୟରେ କ’ଣ ସବୁ ଘଟିଥିଲା, ସେନେଇ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବା ଦରକାର ।

Also Read:-ଯୁବକଙ୍କୁ ଠେଲି ଦିଆଯାଇଥିଲା କି? ସାଇ ଶଙ୍କରଙ୍କ ମୃତ୍ୟୁକୁ ନେଇ ପରିବାରର ସନ୍ଦେହ

ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ମୃତ ଯୁବକଙ୍କ ମୋବାଇଲ ଫୋନକୁ ନେଇ । ଘଟଣା ପରେ ତାଙ୍କ ମୋବାଇଲ ଫୋନ୍ କେଉଁଠି ରହିଛି ? ମୋବାଇଲରେ ଘଟଣା ସମୟର କୌଣସି ଫଟୋ, ଭିଡିଓ କିମ୍ବା ରିଲ୍ସ ରେକର୍ଡ ହୋଇଥିଲା କି? ଯଦି ହୋଇଥିଲା, ସେହି ଫଟୋ ଓ ଭିଡିଓରୁ ଘଟଣା ସମ୍ପର୍କରେ କିଛି ସୁରାକ୍ ମିଳିପାରିବ କି ? ଏସବୁ ଦିଗକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ମୋବାଇଲ ଫୋନ୍ ମିଳିଲେ ତାହାର ତଥ୍ୟ ତଦନ୍ତରେ ସହାୟକ ହୋଇପାରେ ।

ଅନ୍ୟପଟେ, ଘଟଣା ସମୟରେ ଯୁବକଙ୍କ ସହ ଥିବା ଯୁବତୀଙ୍କୁ ପୋଲିସ ପଚରାଉଚରା କରୁଛି । ଘଟଣା ପୂର୍ବରୁ କ’ଣ ଘଟିଥିଲା, ଦୁହେଁ କେଉଁଠି ଥିଲେ, ଫଟୋ ଉଠାଇବା ସମୟରେ କେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଯୁବକ କିପରି ଘାଟି ତଳକୁ ଖସିଲେ, ଏସବୁ ବିଷୟରେ ପୋଲିସ ତଥ୍ୟ ସଂଗ୍ରହ କରୁଛି । ତେବେ ପୋଲିସର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବ ନାହିଁ । ପରିବାର ଲୋକଙ୍କ ମନରେ ଥିବା ସନ୍ଦେହ ଦୂର କରିବା ସହ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଏହା ଏକ ଅସାବଧାନତାଜନିତ ଦୁର୍ଘଟଣା ଥିଲା ନା ଅନ୍ୟ କୌଣସି କାରଣ ରହିଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।



Source link

Leave A Reply

Your email address will not be published.