ନୂଆଦିଲ୍ଲୀ/ ଭୁବନେଶ୍ବର: ୟୁପିଏସସି ଅଧ୍ୟକ୍ଷଙ୍କ ନେତୃତ୍ବରେ ବସିଥିବା ପ୍ରଥମ ବୈଠକରେ ନୂଆ ଡିଜିପି ନେଇ ୩ ଜଣିଆ ପ୍ରସ୍ତାବିତ ନାଁ ଉପରେ ସହମତି ହୋଇପାରିନଥିଲା । କୁହାଯାଉଛି ଶେଷମୂହୁର୍ତ୍ତରେ ବରିଷ୍ଠ ଆଇପିଏସ୍ ସୁଶାନ୍ତ ନାଥଙ୍କ ନାଁ ପ୍ରତ୍ୟାହାରକୁ ନେଇ ଅସହମତି ପ୍ରକାଶ ପାଇଥିଲା । ଫଳରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ହେଲେ ଅଗଷ୍ଟ ୧୩ ତାରିଖରେ ୟୁପିଏସସି ଅଧ୍ୟକ୍ଷଙ୍କ ନେତୃତ୍ବରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟର ନୂଆ ପୋଲିସ ଡିଜି କିଏ ହେବ ? କାହା ନାଁରେ ଉପରେ ବାଜିବ ମୋହର ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ଏହାରି ଭିତରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସଂଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱାଙ୍କୁ ଡିଜି ରାଙ୍କକୁ ପଦୋନ୍ନତି ଦେବାପରେ ସେମାନେ ମଧ୍ୟ ଡିଜିପି ଦୌଡରେ ସାମିଲ ହୋଇଛନ୍ତି । ୧୩ ତାରିଖ ବୈଠକ ପରେ ୟୁପିଏସସି ପକ୍ଷରୁ ୩ ଜଣିଆ ପ୍ରସ୍ତାବିତ ଡିଜିପି ତାଲିକା ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ । ସେହି ତିନି ଜଣିଆ ତାଲିକା ଭିତରୁ ଜଣଙ୍କୁ ନୂଆ ପୋଲିସ ଡିଜି ଭାବେ ନିଯୁକ୍ତି ଦେବେ ରାଜ୍ୟ ସରକାର ।
Also Read: ତିଖିରି ସରପଞ୍ଚଙ୍କୁ ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଅନାସ୍ଥା ଭୋଟ୍ ହେବ ହେଲେ…
ହେଲେ ଏସବୁ ମଧ୍ୟରେ ରାଜ୍ୟରେ ନୂଆ ପୋଲିସ ଡିଜି ନିଯୁକ୍ତି ହେବା ପୂର୍ବରୁ ଦେଖାଦେଇଛି କେଁ । ମାମଲା ପହଁଞ୍ଚିଛି ସୁପ୍ରିମକୋର୍ଟରେ । ନୂଆ ଡିଜିପି ଚୟନ ପ୍ରକ୍ରିୟାରେ ରାଜ୍ୟସରକାର ଚଞ୍ଚକତା କରୁଥିବା ଅଭିଯୋଗରେ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ ହୋଇଛି । ବରିଷ୍ଠ କଂଗ୍ରେସ ନେତା ତଥା ଓକିଲ ପି. ଚିଦାମ୍ବରମ ପିଆଇଏଲ ଦାଖଲ କରିଛନ୍ତି । ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ଥିବା ନିର୍ଦ୍ଦେଶକୁ ଓଡ଼ିଶା ସରକାର ମାନୁନଥିବା ସେ ଅଭିଯୋଗ କରିଛନ୍ତି । ଏମିତିକି ଡିଜିପି ପାଇଁ କିଛି ଆଇପିଏସ ଅଧିକାରୀଙ୍କ ଯୋଗ୍ୟତା ନଥାଇ ମଧ୍ୟ ଓଡ଼ିଶା ସରକାର ସେମାନଙ୍କୁ ଡିଜିପି ରାଙ୍କକୁ ଆଣି ସେମାନଙ୍କ ନାଁ ସିଲେକ୍ସନ ପ୍ୟାନେଲରେ ପୁରାଇଛନ୍ତି ବୋଲି ଚିଦାମ୍ବରମ ଯୁକ୍ତି ଦର୍ଶାଇଛନ୍ତି । ସୁପ୍ରିମକୋର୍ଟ ତାଙ୍କ ଜବାବରେ କହିଛନ୍ତି ଯେ, ୟୁପିଏସସି କୋର୍ଟଙ୍କ ରାୟ ଅନୁସାରେ ନିଯୁକ୍ତି ଦେବେ ବୋଲି ବିଶ୍ବାସ । ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର କରିବେ।
ଅଗଷ୍ଟ ୧୬ ତାରିଖରେ ଏବର ପୋଲିସ ଡିଜି ୱାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ସରୁଛି । ତାଙ୍କ ପରେ ବରିଷ୍ଠ ଆଇପିଏସ୍ ସୁଧାଂଶୁ ଷଡଙ୍ଗୀ, ଆର.ପି.କୋଚ୍ଚେ, ସଂଜୀବ ପଣ୍ଡା ଓ ଜଶୱନ୍ତ ଜେଠୱାଙ୍କ ଭିତରୁ ସରକାର କାହାକୁ ପରବର୍ତ୍ତୀ ପୋଲିସ ଡିଜି କରୁଛନ୍ତି ତା’ ଉପରେ ରହିଛି ସମସ୍ତଙ୍କ ନଜର ।
