Voice of Eastern India

ଏବେ କମିବ କିନ୍ତୁ ୧୯ରୁ ପୁଣି ପ୍ରବଳ ବର୍ଷିବ…ଆଉ ଏକ ଲଘୁଚାପ ଆଣିବ ବଡ଼ ବନ୍ୟା


ଭୁବନେଶ୍ୱର,୧୫/୦୮୬ ଜିଲ୍ଲା,୫୨ ବ୍ଳକ,୧୭୦ ପଞ୍ଚାୟତ ଓ ୪୨୯ ଗାଁକୁ ନୟାନ୍ତ କରିଛି ବନ୍ୟା। ପ୍ରଭାବିତ ହୋଇଛନ୍ତି ୨ ଲକ୍ଷ ୯ ହଜାର ୬୮୭ ଲୋକେ। ୪୨ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାକୁ ପଡ଼ିଛି। ଏହି ନୂଆ ବନ୍ୟାରେ ଏବେ ସୁଦ୍ଧା ୪୨୫ଟି ଘର ନଷ୍ଟ ହୋଇଥିବା ସରକାର ଚିହ୍ନଟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୩ଟି ଗାଁ ପାଣି ଘେରରେ ରହିଥିବା ସରକାର ଜଣାଇଛନ୍ତି।

Also Read :- ସ୍ୱାଧୀନତାକୁ ୮୦ ବର୍ଷ…ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ

ରାଜ୍ୟରେ ବର୍ଷା ପ୍ରକୋପ କିଛି ମାତ୍ରାରେ କମିଛି। ସମ୍ଭବତଃ ଶନିବାର ଆହୁରି କମିବ। ସ୍ଵାଧୀନତା ଦିବସ ସମାରୋହ ପାଳନରେ ବର୍ଷା ବଡ଼ ବାଧକ ନ ହୋଇପାରେ। ଯାହା ବି ବର୍ଷା ହେବ,ଘଡ଼ଘଡ଼ି ସହ ଅସରାଏ ଲେଖାଏଁ। ଲଗାଣ ବର୍ଷା ସମ୍ଭାବନା କମ୍। ହେଲେ ପାଣିପାଗ ବିଭାଗ ଓ ଅଧିକାଂଶ ବିଶେଷଜ୍ଞ ପୂର୍ବାନୁମାନ ଦେଖାଇଛନ୍ତି,ଆସନ୍ତା ୨୦ ତାରିଖବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ବିଶେଷଜ୍ଞଙ୍କ ଆକଳନ ହେଲା,ଏହା ପ୍ରଭାବରେ ୧୯ ତାରିଖରୁ ପ୍ରାୟ ୩/୪ ଦିନ ଧରି ବର୍ଷା ଲାଗି ରହିବ। ଉତ୍ତର,ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ହୋଇପାରେ। ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ଯଦି ଏ ଆକଳନ ସତ ହୁଏ,ତେବେ ଉତ୍ତର ଓଡ଼ିଶା ଆଉ ଗୋଟିଏ ବନ୍ୟା ସାମ୍ନା କରିପାରେ। ଖାଲି ସେତିକି ନୁହେଁ,ତଳ ଓ ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ମହାନଦୀ ବି ଫୁଲିପାରେ।

ବର୍ତ୍ତମାନର ଆକଳନ ହେଲା,ଝାଡ଼ଖଣ୍ଡ ଉପରେ ଥିବା ଲଘୁଚାପ କ୍ରମଶଃ ଦୁର୍ବଳ ହେଉଛି। ଶନିବାର ସକାଳ ଭିତରେ କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ଶନିବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନାରହିଛି ।ସୁନ୍ଦରଗଡ଼,ଝାରସୁଗୁଡ଼ା ଓ ବରଗଡ଼ର ୧/୨ଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ। ୧୬ରୁ ବର୍ଷା କାଁ ଭାଁ ହୋଇପାରେ।

ବର୍ଷା କମିଥିବାରୁ ଶୁକ୍ରବାର ବନ୍ୟା ସ୍ଥିତିରେ ସୁଧାର ଆସିଛି। ସୁବର୍ଣ୍ଣରେଖାକୁ ଛାଡ଼ି ବାକି ସବୁଠି ଜଳସ୍ତର କମୁଛି। ଭଦ୍ରକ ଜିଲ୍ଲାରେ ପୁଣି ବନ୍ୟା ଆସିଛି। ବୈତରଣୀ ଓ ସାଳନ୍ଦୀ ବନ୍ୟା ଜଳ ଉଛୁଳିବାରୁ ଭଣ୍ଡାରିପୋଖରି,ଧାମନଗର,ତିହିଡ଼ି ଓ ଚାନ୍ଦବାଲି ଅଞ୍ଚଳ ଜଳବନ୍ଦୀ ହେବା ଆରମ୍ଭ କରିଛି। ସାଳନ୍ଦୀ ପ୍ରବାହରେ ଭଦ୍ରକ ଅର୍ଣ୍ଣପାଳ ପୋଲ ଉପରେ ପାଣି ଚାଲିଛି। ତିହିଡ଼ି ବ୍ଳକ ଅବସ୍ଥା ବିଗିଡ଼ିବାକୁ ଯାଉଛି। ଜିଲ୍ଲାର ତଳିଆ ଅଞ୍ଚଳ ଶନିବାର ଜଳମଗ୍ନ ହେବାର ଆଶଙ୍କା କରାଯାଉଛି।

ବୈତରଣୀ ଓ ଶାଖା କାଣୀ ନଦୀରେ ଚତୁର୍ଥ ଥର ବନ୍ୟା ଆସିଛି। ଏଥିରେ ଯାଜପୁର ଜିଲ୍ଲାର କୋରେଇ,ଯାଜପୁର ଓ ଦଶରଥପୁର ବ୍ଳକର ୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି। କାଣୀ ନଦୀ ଅବବାହିକା ଦଶରଥପୁର ବ୍ଳକ ତରପଦା ପଞ୍ଚାୟତ ପଟଣାସାହି ନିକଟରେ ପୂର୍ବରୁ ଘାଇ ମରାମତି ହୋଇଥିଲା। ସେଇ ଘାଇ ମୁହଁ ଦେଇ ବନ୍ୟା ପାଣି ମାଡ଼ି ଆସିବାରୁ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ ଜଳମଗ୍ନ ହୋଇଛି।

ବର୍ଷା ପ୍ରକୋପ କମିବା ସହ ଏକ ବଡ଼ ଧରଣର ବନ୍ୟା ବିତ୍ପାତରୁ ମୟୂରଭଞ୍ଜବାସୀ ରକ୍ଷା ପାଇଯାଇଛନ୍ତି। ବୁଢାବଳଙ୍ଗ ବିପଦ ସଂକେତ ତଳକୁ ଖସିଛି। ଜଳ ସମ୍ପଦ ବିଭାଗ ସୂଚନା କହୁଛି, ଶୁକ୍ରବାରସନ୍ଧ୍ୟା ୮ଟାରେ ଆଖୁଆପଦାରେ ବୈତରଣୀ ଜଳସ୍ତର ୧୯.୭ମିଟର ଥିଲା। ଏହା ବିପଦ ସଙ୍କେତ (୧୮.୩୩ ମି) ଠାରୁ ପ୍ରାୟ ଦେଢ଼ ମିଟର ଅଧିକ। ଆଶ୍ବସ୍ତିର ବିଷୟ ହେଲା,ପାଣି ଖସିବାରେ ଲାଗିଛି। ଆନନ୍ଦପୁରରେ ଜଳସ୍ତର ବିପଦ ସଙ୍କେତ ଟପି ୩୮.୫୫ ମିଟରରେ ପ୍ରବାହିତ ହେଉଥିଲା ସନ୍ଧ୍ୟାରେ । ହେଲେ ପାଣି ଖସୁଛି। ସାଳନ୍ଦୀ ବିପଦ ସଙ୍କେତ ନିକଟତର ହୋଇଛି। ଭଦ୍ରକ ରାଜଘାଟଠାରେ ବିପଦ ସଙ୍କେତ ୧୭ ଫୁଟ। ସନ୍ଧ୍ୟାରେ ଜଳସ୍ତର ୧୬.୭୬ ଫୁଟ ଛୁଇଁଥିଲା। କିନ୍ତୁ,ଜଳସ୍ତର କମୁଛି। ସୁବର୍ଣ୍ଣରେଖା ରାଜଘାଟରେ ସନ୍ଧ୍ୟା ୮ଟାବେଳେ ୭.୭୬ ମିଟରରେ ପ୍ରବାହିତ ହେଉଥିଲା। ଜଳସ୍ତର ସ୍ଥିର ରହିଥିଲା। ଜଳକା ଜଳସ୍ତର କମୁଛି। ତଥାପି ବିପଦ ସଙ୍କେତ ଉପରେ ରହିଛି। ମଥାନୀରେ ଜଳସ୍ତର ସନ୍ଧ୍ୟାରେ ୭.୨ ମିଟର ଥିଲା। ବ୍ରାହ୍ମଣୀ ଜଳସ୍ତର ପାନପୋଷରେ ସ୍ଥିର ଥିବାବେଳେ ଜେନାପୁରରେ ବଢ଼ୁଥିଲା।



Source link

Leave A Reply

Your email address will not be published.