Voice of Eastern India

ଉପରମୁଣ୍ଡରେ ବର୍ଷା, ପୁଣି ବଢିଲା ମହାନଦୀର ଜଳସ୍ତର; ଗୁରବାର ମୁଣ୍ଡଳିରେ ପହଞ୍ଚିବ ବନ୍ୟାଜଳ


ବାରଙ୍ଗ: ଲଗାଣ ବର୍ଷା ଏବଂ ବନ୍ୟାରେ ବେହାଲ ରାଜ୍ୟ। ତେବେ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀମାନଙ୍କରେ ଜଳସ୍ତର ହ୍ରାସ ପାଉଥିବା ବେଳେ ଅନ୍ୟପଟେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏମିତି ସ୍ଥିତିରେ ତଳମୁଣ୍ଡରେ ସ୍ଥିତି ସଙ୍ଗୀନ ହୋଇପାରେ।

ରାଜ୍ୟରେ ଲଗାଣ ବର୍ଷା ଓ ହୀରାକୁଦ ଗେଟ ଖୋଲିବା ପରେ ମୁଣ୍ଡଳୀ ନିକଟରେ ମହାନଦୀର ଜଳ ସ୍ତର ବୃଦ୍ଧି ପାଉଛି। ଆଜି ସକାଳୁ ପାଣି କମୁଥିବା ବେଳେ ୯ ଟା ଠାରୁ ୧୨ ଟା ପର୍ଯ୍ୟନ୍ତ ପାଣି ସ୍ଥିର ରହିଥିଲା। ପରେ ଜଳ ସ୍ତର ବଢ଼ିବା ଆରମ୍ଭ ହୋଇଛି। ଆଜି ରାତି ୯ ଟା ସୁଦ୍ଧା ମୁଣ୍ଡଳୀ ଠାରେ ମହାନଦୀରେ ପ୍ରତି ସେକେଣ୍ଡରେ ୬ ଲକ୍ଷ ୧୪ ହଜାର ୩୬୫ ଘନଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ବ୍ୟାରେଜ ଉପର ମୁଣ୍ଡରେ ଜଳ ସ୍ତର ୮୯.୫୦ ଫୁଟ ଥିବା ବେଳେ ତଳ ମୁଣ୍ଡରେ ୮୭.୩୦ ଫୁଟ ରହିଛି। ବ୍ୟାରେଜର ଉପର ମୁଣ୍ଡରେ ବିପଦ ସଙ୍କେତ ଉପର ୯୭.୨୫ ଫୁଟ ଥିବା ବେଳେ ତଳ ମୁଣ୍ଡରେ ବିପଦ ସଙ୍କେତ ରହିଛି ୯୫.୦୫ ଫୁଟ।

Also Read: ବନ୍ୟା କ୍ଷତିଗ୍ରସ୍ତ ରାସ୍ତା ଓ କୋଠାବାଡ଼ିର ତୁରନ୍ତ ମରାମତି କରାଯାଉ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶ

ସେହିପରି ନରାଜ ବ୍ୟାରେଜ ଦେଇ ରାତି ୯ ଟା ସୁଦ୍ଧା ସେକେଣ୍ଡ ପ୍ରତି ୩ ଲକ୍ଷ୍ୟ ୨୫ ହଜାର ୪୨୦ ଘନଫୁଟ ଜଳ ପ୍ରବାହିତ ହେଉଛି। ବ୍ୟାରେଜର ଅପ୍ ଷ୍ଟ୍ରିମରେ ଜଳସ୍ତର ୨୫.୭୦ ମିଟର ରହିଥିବା ବେଳେ ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୨୨.୫୫ ମିଟର ରହିଛି। ଏଠାରେ ଅପ୍ ଷ୍ଟ୍ରିମରେ ବିପଦ ସଙ୍କେତ ରହିଛି ୨୬.୪୧ ମିଟର।

ସେପଟେ ବରମୁଳରେ ପ୍ରତି ସେକେଣ୍ଡରେ ୬ ଲକ୍ଷ୍ୟ ୫୨ ହଜାର ଓ ଖଇରମାଳରେ ୮ ଲକ୍ଷ୍ୟ ୩୦ ହଜାର କ୍ୟୁସେକ ବନ୍ୟାଜଳ ମହାନଦୀରେ ପ୍ରବାହିତ ହେଉଛି। ଏହି ପାଣି ମୁଣ୍ଡଳୀ ଠାରେ ଗୁରୁବାର ଦିନ ପ୍ରାୟ ୧ଟା ରୁ ୨ଟା ମଧ୍ୟରେ ପହଞ୍ଚିବ। ସେହିସମୟରେ ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ପ୍ରାୟ ୯ ଲକ୍ଷ ଘନଫୁଟ ବନ୍ୟା ଜଳ ପ୍ରବାହିତ ହେବ ବୋଲି ଅନୁମାନ କରାଯାଉଛି।



Source link

Leave A Reply

Your email address will not be published.