Voice of Eastern India

ଇରାନରେ ନାହାନ୍ତି ସର୍ବୋଚ୍ଚ ନେତା ! ମୋଜତାବା ଖାମେନେଇ କେଉଁଠି ? ଇସ୍ରାଏଲ୍ ସୁରକ୍ଷା ଅଧିକାରୀଙ୍କ  ଦାବି ପରେ ହଇଚଇ


ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା  ମୋଜତାବା ଖାମେନିଙ୍କ ଏବେ କେଉଁଠି ? ସୁପ୍ରିମ୍ ଲିଡରଙ୍କ ବର୍ତ୍ତମାନର ସ୍ଥିତିକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଆମେରିକା ସହ ଚାଲିଥିବା ସଂଘର୍ଷ ଓ ଦେଶ ଭିତରେ ବଢ଼ୁଥିବା ରାଜନୈତିକ ତିକ୍ତତା ମଧ୍ୟରେ ସେ ବର୍ତ୍ତମାନ “ଇରାନରେ ନାହାନ୍ତି” ବୋଲି ଜଣେ ଇସ୍ରାଏଲ୍ ସୁରକ୍ଷା ଅଧିକାରୀ ଦାବି କରିଛନ୍ତି ।

ସାଉଦି ଆରବର ସମ୍ବାଦ ସଂସ୍ଥା ‘ଅଲ୍-ହଦଥ୍’ ଅନୁଯାୟୀ, ଜଣେ ଇସ୍ରାଏଲ୍ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ମୋଜତାବା ଖାମେନି ଇରାନରେ ନାହାନ୍ତି । ତେବେ ଇରାନ ସରକାର କିମ୍ବା କୌଣସି ଅଧିକାରୀଙ୍କ ପକ୍ଷରୁ ଏହି ଦାବିକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।

ଗତ ଫେବ୍ରୁଆରୀ ୨୮ରେ ଆମେରିକା-ଇସ୍ରାଏଲର ସାମରିକ ଆକ୍ରମଣରେ ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ପୁଅ ମୋଜତାବା ଖାମେନି ସର୍ବୋଚ୍ଚ ନେତା ହୋଇଥିଲେ । କିନ୍ତୁ କାର୍ଯ୍ୟଭାର ସମ୍ଭାଳିବା ଦିନଠାରୁ ସେ ଲୋକଙ୍କ ସାମନାକୁ ଆସିନାହାନ୍ତି । କେବଳ ଲିଖିତ ବିବୃତି ମାଧ୍ୟମରେ ଯୋଗାଯୋଗ କରୁଛନ୍ତି ।

ଇସ୍ରାଏଲ୍ ଆହୁରି ଅଭିଯୋଗ ହୋଇଛି ଯେ, ଖାମେନିଙ୍କ ସରକାରୀ ବାର୍ତ୍ତାଗୁଡ଼ିକୁ ଇରାନର ଆଇଆରଜିସିର ନୂଆ ମୁଖ୍ୟ ଅହମ୍ମଦ ଭାହିଦି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତ କରୁଛନ୍ତି । ସୂତ୍ର ଅନୁସାରେ, “ଇରାନ ଭିତରେ ମତଭେଦ ଅତି ଗଭୀର ହେବାରେ ଲାଗିଛି, ଯାହା ଆଇଆରଡିସିର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି ।”

ମୋଜତାବା ଖାମେନିଙ୍କ ଅନୁପସ୍ଥିତିକୁ ନେଇ ଏଇ ଚର୍ଚ୍ଚା ହେଉଥିବା ବେଳେ ଇରାନ ରାଜନୀତିରେ ଭିତରେ ଭିତରେ ବଡ଼ ଫାଟ ସୃଷ୍ଟି ହୋଇଛି । ସିଏନଏନର ଏକ ରିପୋର୍ଟ ଅନୁଯାୟୀ, ଆମେରିକା ସହିତ ୧୪-ଦଫା କୂଟନୈତିକ ଚୁକ୍ତି ସ୍ଵାକ୍ଷର ହେବା ପରେ ଇରାନର ଚରମପନ୍ଥୀ  ଗୋଷ୍ଠୀ ଏବଂ ବର୍ତ୍ତମାନର ସରକାରୀ ନେତୃତ୍ୱ ମଧ୍ୟରେ କ୍ଷମତା ପାଇଁ ଲଢ଼େଇ ତେଜିଛି । କଠୋରପନ୍ଥୀ ଗୋଷ୍ଠୀଗୁଡ଼ିକ ବର୍ତ୍ତମାନର ପ୍ରଶାସନ ଉପରେ ଏକ “ସଫ୍ଟ କୁ” ବା ନରମ ପରିବର୍ତ୍ତନର ଅଭିଯୋଗ ଆଣିଛନ୍ତି । ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନିଙ୍କ ହତ୍ୟାର ପ୍ରତିଶୋଧ ନନେଇ ଆମେରିକା ସହ ଚୁକ୍ତି କରି ପ୍ରଶାସନ ଇରାନର ସ୍ୱାର୍ଥ ସହ ବୁଝାମଣା କରିଛି ବୋଲି ସେମାନେ କହିଛନ୍ତି । ସେପଟେ ଖାମେନେଇଙ୍କ ଦୀର୍ଘ ଅନୁପସ୍ଥିତି ମଧ୍ୟରେ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍, ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି ହିଁ ଦେଶର ମୁଖ୍ୟ ଚେହେରା ସାଜିଛନ୍ତି ।



Source link

Leave A Reply

Your email address will not be published.