ଆସନ୍ତା ବର୍ଷ ପର୍ଯ୍ୟନ୍ତ ଘୁଞ୍ଚିପାରେ ନୂଆ ୟୁପିଆଇ ଚାର୍ଜ ନିୟମ ! ପାର୍ବଣ ରୁତୁରେ ବ୍ୟବସାୟୀଙ୍କୁ ମିଳିବ ଫ୍ରି ଟ୍ରାଞ୍ଜାକ୍ସନ ସୁବିଧା: ରିପୋର୍ଟ
UPI charge rule 2026 ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ଏମ୍ଡିଆର୍ ଚାର୍ଜ ଲଗାଇବା ନିଷ୍ପତ୍ତିକୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ପାରନ୍ତି କେନ୍ଦ୍ର ସରକାର। ୧୫ ଅକ୍ଟୋବର ଠାରୁ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ୦.୪% ଚାର୍ଜ ଲାଗିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହାକୁ ନେଇ ଉଭୟ ବେପାରୀ ଓ ଗ୍ରାହକଙ୍କ ମଧ୍ୟରେ ବିରୋଧ ଓ ଦ୍ୱନ୍ଦ୍ୱ ବଢୁଥିବାରୁ କେନ୍ଦ୍ର ସରକାର ଏହି ନିଷତ୍ତିକୁ ଟାଳି ପାରନ୍ତି ବୋଲି ମିଡିଆରେ ଖବର ପ୍ରକାଶ ପାଇଛି।
ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁସାରେ ଅକ୍ଟୋବର ୧୫ ନୁହେଁ ଏହି ନୂଆ ନିୟମ ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖ ଠାରୁ ଲାଗୁ ହୋଇପାରେ। ଏପରି ହେଲେ ଫେଷ୍ଟିଭ୍ ସିଜିନରେ ଦୋକାନୀ ଓ ପେମେଣ୍ଟ କମ୍ପାନୀଗୁଡ଼ିକୁ ଏହାର ଲାଭ ମିଳିବ। ଅର୍ଥାତ୍ ୟୁପିଆଇ ଟ୍ରାଞ୍ଜାକ୍ସନ ପୂର୍ବ ପରି ପୂରା ମାଗଣା ରହିବ।
ରିପୋର୍ଟ ଅନୁଯାୟୀ, ପାର୍ବଣ ଋତୁରେ ଦୋକାନୀଙ୍କ ଉପରେ ଅତିରିକ୍ତ ବୋଝ ଏଡାଇବା ପାଇଁ ସରକାର ନୂଆ ଶୁଳ୍କ ନିୟମକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ବିଚାର କରୁଛନ୍ତି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ଏନେଇ ସ୍ପଷ୍ଟୀକରଣ ଦେଇପାରନ୍ତି ବୋଲି କୁହାଯାଉଛି।
ସେପଟେ ୟୁପିଆଇ ଉପରେ ପେମେଣ୍ଟ ଚାର୍ଜ ଲାଗିବା ନିୟମ ଘୁଞ୍ଚିବା ନେଇ ରିପୋର୍ଟ ଆସିବା ପରେ ଶେୟାର ବଜାରରେ ଲିଷ୍ଟେଡ୍ ଫିନଟେକ କମ୍ପାନୀଗୁଡ଼ିକର ଶେୟାରରେ ହ୍ରାସ ଦେଖିବାକୁ ମିଳିଛି। ପେଟିଏମ୍ ଶେୟାର ସର୍ବାଧିକ ହ୍ରାସ ହୋଇଛି। ଟ୍ରେଡିଂ ସମୟରେ ପେଟିଏମ୍ ଶେୟାର ୧୦ ପ୍ରତିଶତ ଖସି ୧୫୬୧ର ନିମ୍ନ ସ୍ତରରେ ପହଞ୍ଚି ଯାଇଛି। ତେବେ ବଜାର କ୍ଲୋଜ୍ ସମୟରେ ଏଥିରେ ସାମାନ୍ୟ ସୁଧାର ଆସିଥିଲା। ଫଳରେ ପେଟିଏମ୍ରେ ୫.୪୨ ପ୍ରତିଶତ ହ୍ରାସ ସହିତ ଶେୟାର ୧୬୪୦ରେ ବନ୍ଦ ହୋଇଥିଲା।
