ବ୍ରହ୍ମପୁର: ଜମି କାରବାର ନାଁରେ ଦିନ ଦ୍ୱିପ୍ରହରରେ ହୋଇଥିବା ଡକାୟତି ଘଟଣାରେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଗୋଳନ୍ଥରା ପୋଲିସ। ଘଟଣାରେ ଚାରି ଜଣକୁ ଗିରଫ କରିବା ସହ ୬.୯୨ ଲକ୍ଷ ଟଙ୍କା ଜବତ କରିଛି ଗୋଳନ୍ଥରା ଥାନା ପୋଲିସ।
ଗିରଫ ଅଭିଯୁକ୍ତମାନେ ହେଲେ ବିଶାଖାପଟ୍ଟନମର ପି. ଲୋକନାଥ ସୂର୍ଯ୍ୟ, ୟା. ରବୀନ୍ଦ୍ର ବାବୁ, ଭୁଲା ସତ୍ୟ ନାରାୟଣ ଏବଂ ବ୍ରହ୍ମପୁରର ବଦ୍ରି ତ୍ରିନାଥ ରାଓଙ୍କୁ ଗିରଫ କରିଛି ଗୋଳନ୍ଥରା ପୋଲିସ। ଲୁଟ୍ ହୋଇଥିବା ୬.୯୨ ଲକ୍ଷ ଟଙ୍କା, ଗୋଟିଏ ୱାଇ-ଫାଇ ଡିଭାଇସ୍ ସହିତ ୧୪ଟି ମୋବାଇଲ୍ ଫୋନ୍, ଦୁଇଟି ନକଲି ନମ୍ବର ପ୍ଲେଟ୍, ଗୋଟିଏ ଇନୋଭା କାର, ଆଠଟି ନକଲି ସୁନା ଖଣ୍ଡ ଜବତ କରିଛି ପୋଲିସ।
ସୂଚନା ଅନୁସାରେ, ଛତ୍ରପୁର ଅନ୍ତର୍ଗତ ହଂସପୁର ଗ୍ରାମର ବାସିନ୍ଦା ପ୍ରଭୁ ସ୍ୱାଇଁଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଅପରାହ୍ନରେ ସୁବ୍ରମଣେଶ୍ୱରମ ରେଡ୍ଡି ନାମକ ଜଣେ ବ୍ୟକ୍ତି ଗୋଳନ୍ଥରା ଥାନା ଅଞ୍ଚଳ ଚାଟି ଚୌକକୁ ଡକାଇଥିଲେ। ଜମି କିଣା ପାଇଁ ୩୫ ଲକ୍ଷ ଟଙ୍କା ଅଗ୍ରିମ ପାଇବା ପାଇଁ ଚାଟି ଚୌକକୁ ଡାକିଥିଲେ।
Also Read: ସିସିଟିଭି ଓ ଲୋକେଶନ୍ ଟ୍ରାକିଂରୁ ସୁରାକ ; ନିଖୋଜର ୨୪ ଘଣ୍ଟା ପରେ ବଲାଙ୍ଗିରର ବ୍ୟବସାୟୀ ଖଣ୍ଡଗିରିରୁ ଉଦ୍ଧାର
ହେଲେ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଜଣା ବ୍ୟକ୍ତିମାନେ ଏକ ଇନୋଭା କାରରେ ଆସି ଅଭିଯୋଗକାରୀଙ୍କ ଠାରୁ ଟଙ୍କା ଏବଂ ମୋବାଇଲ୍ ଫୋନ୍ ଥିବା ବ୍ୟାଗଟି ଛଡ଼ାଇ ନେଇ ପଳାଇଥିଲେ। ଅଭିଯୋଗ ପରେ ପୋଲିସ ଦୁଇଟି ଦଳ ଗଠନ କରି ଘଟଣାର ତଦନ୍ତ କରିଥିଲା। ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାରେ ମିଳିତ ଭାବରେ ଚଢାଉ କରାଯାଇଥିଲା।
ଏକ ସଂଗଠିତ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ଯୋଜନାବଦ୍ଧ ଭାବରେ ନିରୀହ ଲୋକଙ୍କୁ ପ୍ରଲୋଭିତ କରି ଲୁଟୁ ଥିବା ତଦନ୍ତରୁ ଜଣାପଡ଼ିଛି। ଧରାନପଡ଼ିବା ପାଇଁ ଡକାୟତ ଗ୍ୟାଙ୍ଗ ଗାଡ଼ିର ନମ୍ବର ପ୍ଲେଟ ମଧ୍ୟ ପରିବର୍ତ୍ତନ କରିଥିଲେ।
