ଭୁବନେଶ୍ୱର, ୨୩/୦୮ : ପୁଣି ଆସିଲାଣି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। । ଏହା ପ୍ରଭାବରେ ରବିବାରଠାରୁ ହିଁ ପ୍ରବଳ ବର୍ଷା ଢାଳିବ ଓଡ଼ିଶାରେ। ଲଗାଣ ବର୍ଷା ସମ୍ଭାବନା ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
Also Read :- Horoscope Today : ଅଗଷ୍ଟ ୨୩ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ -ବାଂଲାଦେଶ ଉପକୂଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ସେଇ ସ୍ଥାନ ଉପରେ ରବିବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି। ରାଜ୍ୟରେ ଶନିବାରଠାରୁ ପାଗ ବଦଳିବା ସହ ବର୍ଷା ଆରମ୍ଭ ହୋଇଛି। ରବିବାର ସକାଲେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ଗଜପତିରେ ପ୍ରବଳରୁ ପ୍ରବଳତର ବର୍ଷା ସହ ଉତ୍ତର ଓ ପଶ୍ଚିମର କେତେକ ଜିଲ୍ଲା ଏବଂ ଉପକୂଳର କିଛି ଜାଗାରେ ପ୍ରବଳ ବର୍ଷା ଆଶଙ୍କା ଅଛି।
ରବିବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା, କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ଵର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହାବାଦ୍ ଉତ୍ତର ଓଡ଼ିଶା, ଉପକୂଳ ଅଞ୍ଚଳ ଏବଂ ଦକ୍ଷିଣର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୪ ତାରିଖ(ସୋମବାର) ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଦକ୍ଷିଣର କେତେକ ଜାଗାରେ ବି ବର୍ଷା ହୋଇପାରେ। ସୁନ୍ଦରଗଡ଼, ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳରୁ ପ୍ରବଳତର ଏବଂ ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର ଏବଂ ବଲାଙ୍ଗୀରରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ୨୩ ଓ ୨୪ରେ ସର୍ବାଧିକ ବର୍ଷା ହୋଇପାରେ। ୨୪ରୁ ୨୮ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ।
ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ। ଓଡ଼ିଶା ଉପକୂଳରେ ସମୁଦ୍ରରେ ୩୫ -୪୫ କିଲୋମିଟର ବେଗରେ ପବନ ବହିପାରେ । ପବନର ଝଟକା ୫୫ କିମି ପର୍ଯ୍ୟନ୍ତ ରହିପାରେ। ମତ୍ସ୍ୟଜୀବୀମାନଙ୍କୁ ୨୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି, ବନ୍ୟା ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି। ଅଗଷ୍ଟ ୧ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ହାରାହାରି ୨୭୨. ୨ ମିଲିମିଟର ବର୍ଷା ହୋଇଛି। ସ୍ବାଭାବିକ ବର୍ଷା ପରିମାଣ ହେଉଛି ୨୫୨.୬ ମିମି । ତେଣୁ ସ୍ବାଭାବିକ ତୁଳନାରେ ୭.୮% ଅଧିକ ବର୍ଷା ହୋଇଛି। ଜୁନ୍ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ହାରାହାରି ବର୍ଷା ପରିମାଣ ୧୦୨୮ ମିମି ରହିଛି। ସ୍ବାଭାବିକ ବର୍ଷା ପରିମାଣ ହେଉଛି ୭୯୭ ମିମି। ଅର୍ଥାତ୍ ଏବେ ସୁଦ୍ଧା ୨୯% ଅଧିକ ବର୍ଷା ହୋଇଛି। ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ତଥ୍ୟ ଅନୁଯାୟୀ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ରିଲିଫ କ୍ୟାମ୍ପ ପରିଚାଳନା, ଉଦ୍ଧାରକାର୍ଯ୍ୟ ଓ ବନ୍ୟା ପରିଚାଳନା ପାଇଁ ଏସଡିଆରଏଫକୁ ପର୍ଯ୍ୟାୟକ୍ରମେ ୧୧୦ କୋଟି, ୨୬ କୋଟି ଓ ୩୧.୫୫ କୋଟି ଟଙ୍କା ମିଶି ମୋଟ ୧୬୭କୋଟି ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।
Source link
