Voice of Eastern India

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ: ସୁଧୁରିପାରେ କି ସମ୍ପର୍କ ?


ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଭାରତ ଆସିବେ ପାକିସ୍ତାନ ମନ୍ତ୍ରୀ। ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମନ୍ୱୟର ସଂଘୀୟ ମନ୍ତ୍ରୀ ଡ. ମୁସାଦିକ ମସୁଦ ମଲିକ ଭାରତ ଆସିବେ ବୋଲି ସୂଚନା ମିଳିଛି।

ନଭେମ୍ବର ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ପ୍ରଥମ ସିଭିଲାଇଜେସନ ଡାଇଲଗ ଫୋରମ ଆୟୋଜିତ ହେବ। ଏଥିରେ ପାକିସ୍ତାନ ଅଂଶଗ୍ରହଣ କରିବ। ଡ. ମଲିକ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ଇସ୍ଲାମାବାଦ ସ୍ପଷ୍ଟ କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ସରକାରୀ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଇଯାଇଛି। ଭାରତରେ ହେବାକୁ ଥିବା ଏହି ବୈଠକରେ ଯୋଗ ଦେବାକୁ ପାକିସ୍ତାନ ସରକାର ମୁସାଦିକ ମସୁଦ ମଲ୍କିକଙ୍କୁ ନୋମିନେଟ୍ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

Also read- କୁଲଗାଓଁ ଆକ୍ରମଣ ପଛରେ ଲସ୍କର ମଡ୍ୟୁଲର ହାତ ସନ୍ଦେହ, ରାଡାରରେ ୩ ଓଭରଗ୍ରାଉଣ୍ଡ ୱାର୍କର

ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି କାର୍ଯ୍ୟକ୍ରମ ଏସସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବ। ଯାହାଫଳରେ ଭିନ୍ନ ଭିନ୍ନ ସଭ୍ୟତା ମଧ୍ୟରେ ଆଲୋଚନା ଏବଂ ସାଂସ୍କୃତିକ ବୁଝାମଣା ସହିତ ଜଡିତ ପ୍ରସଙ୍ଗ ଉପରେ ସେମାନଙ୍କର ମତାମତ ବାଣ୍ଟି ଏକାଠି ବାଣ୍ଟିପାରିବେ। ପାକିସ୍ତାନ ସରକାର ଏସଇଓ ନିୟମାବଳି ମଧ୍ୟରେ ଥାଇ ପାରସ୍ପରିକ ସମ୍ମାନର ଭାବନାରେ ସଭ୍ୟତା ମଧ୍ୟରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ଏବଂ ଲୋକ-ଲୋକ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ ବୋଲି ପ୍ରେସ ରିଲିଜରେ କୁହାଯାଇଛି।

ୟୁରେସିଆନ୍(ୟୁରୋପ ଓ ଏସିଆ ମହାଦେଶର ଭାଗ) କ୍ଷେତ୍ରର ଦେଶମାନଙ୍କ ମଧ୍ୟରେ ସାଂସ୍କୃତିକ ବୁଝାମଣା ଏବଂ ଲୋକ-ଲୋକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏହି ସମ୍ମିଳନୀରେ ମୁଖ୍ୟ ଲକ୍ଷ୍ୟ ରହିଛି। ଭାରତର ଉଦ୍ୟମରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଭାରତ ପାକିସ୍ତାନ ସମେତ ସମସ୍ତ ୧୦ ଟି ଏସସିଓ ସଦସ୍ୟ ଦେଶକୁ ଆନୁଷ୍ଠାନିକ ନିମନ୍ତ୍ରଣ ପଠାଇଛି।

ଏସସିଓରେ କେତୋଟି ଦେଶ ରହିଛନ୍ତି ?

ଏସସିଓରେ ୧୦ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସେମାନେ ହେଲେ- ବେଲାରୁଷ, ଚୀନ୍, ଭାରତ, ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ। ଭାରତ ୨୦୧୭ ମସିହାରେ ଏହାର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିଲା। ପାକିସ୍ତାନର ସମ୍ମତି ଆସିବା ପୂର୍ବରୁ ଭାରତ ସଂଗଠନର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ ପଠାଇଥିଲା ବୋଲି ସୂଚନା ଦେଇଥିଲା। ଏଥିସହିତ ଆଲୋଚନା ପାଇଁ ସଂଗଠନ ବାହାରୁ କିଛି ରାଷ୍ଟ୍ରକୁ ନିମନ୍ତ୍ରଣ କରାଯାଇଛି ବୋଲି ସୂଚନା ଦେଇଥିଲେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈୟସ୍ୱାଲ୍।



Source link

Leave A Reply

Your email address will not be published.