Voice of Eastern India

୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପିଏମ୍ ମୋଦି ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରଛନ୍ତି । ଏହା ସହିତ ଜାତୀୟ ଶିକ୍ଷା ନୀତିର ସଫଳ କାର୍ଯ୍ୟକାରିତା ଦିଗରେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ ପ୍ରୟାସ ଭାରତକୁ ଜ୍ଞାନ, ଶିକ୍ଷା ଓ ନବସୃଜନର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେଉଛି ବୋଲି ପୋଷ୍ଟ କରି ଲେଖିଛନ୍ତି ।

୧୯୬୯ ମସିହା ଜୁନ ୨୬ ତାରିଖରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ । ଅନୁଗୋଳ ଜିଲ୍ଲା ତାଳଚେର ସହର ନିକଟସ୍ଥ ହାଣ୍ଡିଧୂଆରେ ସେ ଜନ୍ମଗ୍ରହଣ କରନ୍ତି । କଲେଜ ପାଠପଢା ସମୟରୁ ଆରମ୍ଭ ହୁଏ ତାଙ୍କର ରାଜନୈତିକ କ୍ୟାରିୟର । ୧୯୮୩ ମସିହାରେ ABVPରେ ପାଦ ରଖନ୍ତି । ୧୯୮୫ରେ କଲେଜ ନିର୍ବାଚନରେ ଛିଡ଼ା ହୋଇ ତାଳଚେର କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୁଅନ୍ତି ଏବଂ ପ୍ରମାଣିତ କରନ୍ତି ଯେ ତାଙ୍କ ନିକଟରେ ପ୍ରଖର ନେତୃତ୍ବର କ୍ଷମତା ରହିଛି । ଏହାପରେ ଆଗେଇ ଆସନ୍ତି ଜନସେବା କରିବାକୁ ।

୨୦୦୦ ମସିହାରେ ସେ ପାଲଲହଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୁଅନ୍ତି । ପରେ ୨୦୦୪ରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହା ସହିତ ୨୦୦୪ରୁ ୨୦୦୬ ଯାଏଁ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ପରେ ପରେ ବିହାର, ଉତ୍ତରାଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ ଭଳି ରାଜ୍ୟର ପ୍ରଭାରୀ ଭାବେ ସଫଳତାର ସହ ଦାୟିତ୍ଵ ତୁଳାଇ ରାଷ୍ଟ୍ରୀୟ ନେତୃତ୍ୱଙ୍କ ପାଇଁ ଏକ ଭରସାଯୋଗ୍ୟ ଓ ଦୁର୍ଦ୍ଦଶ ସେନାନୀ ପାଲଟନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୨୦୧୦ ମସିହାରେ ଭାରତୀୟ ଜନତା ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳେ । କେବଳ ଏତିକି ନୁହେଁ, ରାଜ୍ୟସଭାରେ ଦୁଇ ଥର ସାଂସଦ ଭାବରେ ପ୍ରତିନିଧିତ୍ବ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

୨୦୧୨ରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ବିହାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ସରକାରରେ ସେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ପରେ ୨୦୧୮ରେ ଉତ୍ତର ପ୍ରଦେଶରୁ ଦ୍ବିତୀୟ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଇସ୍ପାତ ମନ୍ତ୍ରଣାଳୟର ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୨୧ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ସେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରି ଦେଶର ଭବିଷ୍ୟତ ଗଢ଼ିବା ପାଇଁ ଅହରହ ଚେଷ୍ଟା କରିଚାଲିଛନ୍ତି । ୨୦୨୪ରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ବିପୁଳ ଜନମତ ସହ ବିଜୟୀ ହୋଇ ପୁଣି ଥରେ ଓଡ଼ିଶାର ଗୌରବକୁ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।



Source link

Leave A Reply

Your email address will not be published.