Voice of Eastern India

୨୭ ଥର ଛୁରି ଭୁସି ହତ୍ୟା, ୨.୨ ଲକ୍ଷ ଟଙ୍କା ଲୁଟ୍: ପ୍ରିନ୍ସିପାଲଙ୍କ ହତ୍ୟା ଅଭିଯୋଗରେ ଦୁଇ ଦଶମ ଶ୍ରେଣୀ ଛାତ୍ର ଗିରଫ


ହାଇଦ୍ରାବାଦ: ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲ ତଥା ନିର୍ଦ୍ଦେଶିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ତଥା ନିର୍ଦ୍ଦେଶିକା ୪୯ ବର୍ଷୀୟା କାଲ୍ଲୁ ରୂପା ରେଡ୍ଡୀ ଅଗଷ୍ଟ ୧୨ରେ ନିଜ ଘରେ ମୃତ ଅବସ୍ଥାରେ ମିଳିଥିଲେ । ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା ।

ପୋଲିସ କହିବା ଅନୁଯାୟୀ, ଟଙ୍କା ପାଇଁ ଛାତ୍ରମାନେ ରୂପା ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ତାଙ୍କ ପ୍ରତି ବ୍ୟକ୍ତିଗତ ଶତ୍ରୁତା ମଧ୍ୟ ଥିଲା । ରୂପା ରେଡ୍ଡୀ ତାଙ୍କ ସ୍ୱାମୀ ରାଜେନ୍ଦ୍ର ରେଡ୍ଡୀଙ୍କ ସହ ରହୁଥିଲେ । ହତ୍ୟାକାଣ୍ଡ ସମୟରେ ବ୍ୟକ୍ତିଗତ କାମ ପାଇଁ ହାଇଦ୍ରାବାଦରେ ଥିଲେ । ଦମ୍ପତିଙ୍କର ହାଇଦ୍ରାବାଦରେ ମଧ୍ୟ ଏକ ଘର ଅଛି । ସେଠାରେ ତାଙ୍କ ପୁଅ ଅଭିନବ ରେଡ୍ଡୀ ଇଞ୍ଜିନିୟରିଂ ପଢ଼ୁଛନ୍ତି । ଏହି ଦମ୍ପତି ତିନିଦିନିଆ ଛୁଟି ପାଇଁ ହାଇଦ୍ରାବାଦ ଯାଇଥିଲେ । ରାଜେନ୍ଦ୍ର ରେଡ୍ଡୀ କାମ ଯୋଗୁଁ ସେଠାରେ ରହିଯାଇଥିବା ବେଳେ ରୂପା ରେଡ୍ଡୀ ଅଗଷ୍ଟ ୧୦ରେ ଏକାକୀ କୋଣ୍ଡାମଲ୍ଲେପଲ୍ଲୀ ଫେରିଥିଲେ । ସେ ସେହିଦିନ ସ୍କୁଲ ଯାଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୩୦ ପର୍ଯ୍ୟନ୍ତ ସେଠାରେ ଥିଲେ ।

ପରଦିନ ସେ ସ୍କୁଲ ଆସି ନ ଥିଲେ । ରାଜେନ୍ଦ୍ର ରେଡ୍ଡୀ ଫୋନ କରିବା ସମୟରେ ବି କୌଣସି ଯୋଗାଯୋଗ ହୋଇପାରି ନଥିଲା । ରାଜେନ୍ଦ୍ର ଚିନ୍ତିତ ହୋଇ ତାଙ୍କ ଘର ପାଖରେ ରହୁଥିବା ଜଣେ ପୋଲିସ ଅଫିସରଙ୍କୁ ସମ୍ପର୍କ କରି ତାଙ୍କ ବିଷୟରେ ବୁଝିବାକୁ କହିଥିଲେ । ସେହି ଅଫିସର ପଡ଼ୋଶୀମାନଙ୍କୁ ନେଇ ଘରକୁ ଯାଇଥିଲେ ଏବଂ ରୂପା ରେଡ୍ଡୀଙ୍କ ମୃତଦେହ ଉଦ୍ଧାର କରିଥିଲେ ।

ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଥିଲା । ପୋଲିସ ରୂପା ରେଡ୍ଡୀଙ୍କ ସ୍ୱାମୀଙ୍କ ସମେତ ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଥିଲା । କିନ୍ତୁ କୌଣସି ସ୍ପଷ୍ଟ ସୁରାକ୍ ପାଇ ନ ଥିଲା । ତଦନ୍ତକାରୀ ଟିମ୍ ତାଙ୍କ ଘର ପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଏକ ବଡ଼ ସୁରାକ୍ ପାଇଥିଲେ । ଫୁଟେଜ୍‌ରେ ଜଣେ ନାବାଳକ ଘର ପାଖରେ ବୁଲାବୁଲି କରୁଥିବାର ଦେଖାଯାଇଥିଲା ।

ପୋଲିସ ସନ୍ଦିଗ୍ଧଙ୍କୁ ଆଣି ପଚରାଉଚରା କରିଥିଲା । ପଚରାଉଚରା ସମୟରେ ସେ ନିଜର ଅପରାଧ ସ୍ୱୀକାର କରିବା ସହ ଟଙ୍କା ହିଁ ହତ୍ୟାକାଣ୍ଡର ଅନ୍ୟତମ କାରଣ ବୋଲି ତଦନ୍ତକାରୀଙ୍କୁ ଜଣାଇଥିଲା । ପୋଲିସର ସୂଚନା ଅନୁଯାୟୀ, ଅଗଷ୍ଟ ୧୧ ରାତିରେ ଦୁଇ ଛାତ୍ର ମାସ୍କ ଏବଂ ହୁଡି ପିନ୍ଧି ରୂପା ରେଡ୍ଡୀଙ୍କ ଘରକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଘର ଭିତରକୁ ପଶି ତାଙ୍କୁ ଟଙ୍କା ମାଗିଥିଲା । ରୂପା ରେଡ୍ଡୀ ବିରୋଧ କରିଥିଲେ । ଏହି ଟଣାଓଟରା ସମୟରେ ଛାତ୍ରଜଣକର ମାସ୍କ ଖସିପଡ଼ିଥିଲା । ସେ ତାଙ୍କ ସ୍କୁଲର ଛାତ୍ର ବୋଲି ରୂପା ରେଡ୍ଡୀ ଚିହ୍ନି ପାରିଥିଲେ । ସେ ପାଟି କରି ଚିତ୍କାର କରିବାରୁ ନବାଳକ ଛୁରିରେ ତାଙ୍କୁ ଆକ୍ରମଣ କରି ବାରମ୍ବାର ଭୁସି ଦେଇଥିଲା ।

ପୋଲିସ କହିଛି ଯେ ଛାତ୍ରଜଣକ ଘରୁ ୨.୨୦ ଲକ୍ଷ ଟଙ୍କା ନଗଦ ନେଇ ବାହାରେ ଅପେକ୍ଷା କରିଥିବା ଅନ୍ୟ ଜଣେ ଛାତ୍ରକୁ ୪୦,୦୦୦ ଟଙ୍କା ଦେଇଥିଲା । ଦୁହେଁ ସେହି ଟଙ୍କାରୁ ଭିନ୍ନ ଭିନ୍ନ ସ୍ଥାନରେ ଖର୍ଚ୍ଚ କରିଥିଲେ । ପୋଲିସ ଜଣେ ଛାତ୍ରଙ୍କ ପାଖରୁ ୧.୬୦ ଲକ୍ଷ ଟଙ୍କା ଜବତ କରିଛି । ଜବତ ହୋଇଥିବା କିଛି ନୋଟରେ ରକ୍ତ ଛିଟା ଲାଗିଥିବା କୁହାଯାଇଛି ।

ପୋଲିସ ସୂଚନା ଦେଇଛି ଯେ ସିସିଟିଭି ଫୁଟେଜ୍ ଏବଂ ରକ୍ତଭିଜା ନୋଟ୍ ଘଟଣା ବୁଝିବାରେ ଏବଂ ମାମଲାର ପର୍ଦ୍ଦାଫାଶ କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି । ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଘର ଭିତରକୁ ପଶିଥିବା ଛାତ୍ରଜଣକର ରୂପା ରେଡ୍ଡୀଙ୍କ ପ୍ରତି ବ୍ୟକ୍ତିଗତ ଆକ୍ରୋଶ ଥିଲା । ପୂର୍ବରୁ ସେ ଛାତ୍ରଜଣଙ୍କୁ ଟିସି ଦେଇ ସ୍କୁଲରୁ ବାହାର କରିଦେଇଥିଲେ ।



Source link

Leave A Reply

Your email address will not be published.