ନୂଆଦିଲ୍ଲୀ: ସାମ୍ବାଦିକ ତଋଣ ତେଜପାଲ୨୦୧୩ ଯୌନ ଉତ୍ପିଡ଼ନ ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ହାଇକୋର୍ଟ ତାଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ ଜେଲଦଣ୍ଡାଦେଶ କରିଛନ୍ତି। ଏହା ପରେ କୋର୍ଟଙ୍କ ରାୟ ବିରୋଧରେ ତେଜପାଲ ସୁପ୍ରିମକୋର୍ଟକୁ ଯାଇଛନ୍ତି। ତଋଣ ତେଜପାଲ ତାଙ୍କ ଓକିଲ ଆଦିତ୍ୟ ସମଦ୍ଦାରଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ହାଇକୋର୍ଟଙ୍କ ଆଦେଶ ରଦ୍ଦ କରିବାକୁ ନିବେଦନ କରିଛନ୍ତି। ତେବେ ତାଙ୍କ ପୂର୍ବରୁ ମାମଲାରେ ଗୋଆ ସରକାର ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚି ସାରିଛନ୍ତି।
ରାଜ୍ୟ ସରକାର ଅପରାଧର ଗମ୍ଭିରତା ଦୃଷ୍ଟିରୁ ତାଙ୍କ ପାଇଁ ୧୦ ବର୍ଷର ଜେଲଦଣ୍ଡାଦେଶ ଅତ୍ୟନ୍ତ ସ୍ୱଳ୍ପ ଏଣୁ ତଋଣ ତେଜପାଲଙ୍କ ଲାଗି ଆଜୀବନ ଜେଲଦଣ୍ଡାଦେଶ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବମ୍ବେ ହାଇକୋର୍ଟ ମାମଲାରେ ନିମ୍ନ କୋର୍ଟଙ୍କ ରାୟକୁ ପଲଟାଇ ଦେଇଥିଲେ, ଯେଉଁଥିରେ କୋର୍ଟ ତେଜପାଲଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଥିଲେ। ତେବେ ୬ ଅଗଷ୍ଟ ଶୁଣାଣିରେ ହାଇକୋର୍ଟ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ କରିଥିଲେ।
ଏହି ମାମଲା ୨୦୧୩ ମସିହା ନଭେମ୍ବର ମାସର। ଗୋଆରେ ‘ତହଲକା’ ମ୍ୟାଗଜିନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଣେ କନିଷ୍ଠ ମହିଳା ସାମ୍ବାଦିକ ତଋଣ ତେଜପାଲଙ୍କ ବିରୋଧରେ ଏକ ପଞ୍ଚତାରକା ହୋଟେଲ ଲିଫ୍ଟରେ ଯୌନ ଉତ୍ପୁୀଡ଼ନର ଅଭିଯୋଗ କରିଥିଲେ। ଏହି ମାମଲାରେ ତଋଣ ତେଜପାଲଙ୍କୁ ୩୦ ନଭେମ୍ବର ୨୦୧୩ରେ ଗରିଫ କରାଯାଇଥିଲା। ତେଜପାଲଙ୍କ ବିରୋଧରେ ଦୁଷ୍କର୍ମ, ଯୌନ ଉତ୍ପୀଡ଼ନ ଓ ମହିଳାଙ୍କ ମର୍ଯ୍ୟଦା ଭଙ୍ଗ କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିବା ଆଦି ଧାରାରେ ଅଭିଯୋଗ ନିର୍ଦ୍ଧାରିତ ହୋଇଥିଲା। ତେବେ ମାମଲାରେ ତଋଣ ତେଜପାଲ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ।
ମେ ୨୦୨୧ରେ ଗୋଆର ଏକ ଦୌରାଜଜ କୋର୍ଟ ପ୍ରମାଣ ଅଭାବରୁ ତେଜପାଲଙ୍କୁ ସବୁ ଅଭିଯୋଗରୁ ଦୋଷମୁକ୍ତ କରିଦେଇଥିଲେ। ଏହି ରାୟ ବିରୋଧରେ ଗୋଆ ସରକାର ବମ୍ବେ ହାଇକୋର୍ଟରେ ଆବେଦନ କରିଥିବା ବେଳେ ନିମ୍ନ କୋର୍ଟଙ୍କ ରାୟକୁ ଖାରଜ କରି ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ କରିଛନ୍ତି। ଦଣ୍ଡାଦେଶ ପରେ ୬୨ ବର୍ଷ ବୟଷ୍କ ତେଜପାଲ କୋର୍ଟରେ ନିଜର ବୟଷ, ଦୁଇ ପିଲା ଓ ତାଙ୍କ ପତ୍ନୀଙ୍କ ବାହନା କରି କହିଥିଲେ ଯେ ତାଙ୍କୁ ରାଜନୈତିକ କାରଣରୁ ଫଶା ଯାଇଛି, ତେବେ ହାଇକୋର୍ଟ ତାଙ୍କ ତର୍କକୁ ଖାରଜ କରିଦେଇଥିଲେ।
