ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅର୍ଥନୈତିକ ବ୍ୟାପାର କମିଟି ଦେଶର ରେଳ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବୁଧବାର ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ:
ଖଡ଼ଗପୁର – ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ୍: ୧୭୩ କି.ମି. (ପଶ୍ଚିମବଙ୍ଗ ଏବଂ ଓଡ଼ିଶା)
ଭଦ୍ରକ – ହରିଦାସପୁର ଚତୁର୍ଥ ଲାଇନ୍: ୭୫ କି.ମି. (ଓଡ଼ିଶା)
ଗୁମ୍ମିଡିପୁଣ୍ଡି – ଗୁଡୁର ତୃତୀୟ ଏବଂ ଚତୁର୍ଥ ଲାଇନ୍: ୯୦ କି.ମି. (ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ)
କଟକ – ପାରାଦୀପ (ବଡ଼ବନ୍ଧ) ତୃତୀୟ ଏବଂ ଚତୁର୍ଥ ଲାଇନ୍: ୭୨ କି.ମି. (ଓଡ଼ିଶା)
ରେଲୱେର ଏହି କ୍ଷମତା ବୃଦ୍ଧି ପରେ ଯାତାୟାତରେ ଉଲ୍ଲେଖନୀୟ ସୁଧାର ଆସିବ, ଯାହା ଫଳରେ ଭାରତୀୟ ରେଳର ପରିଚାଳନା ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ବୃଦ୍ଧି ପାଇବ । ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବଗୁଡ଼ିକ ଦ୍ୱାରା ପରିଚାଳନା ସୁଗମ ହେବା ସହ ଗାଡ଼ି ଚଳାଚଳରେ ଭିଡ଼ କମିବାର ଆଶା କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନୂଆ ଭାରତ’ ପରିକଳ୍ପନା ସହିତ ସାମଞ୍ଜସ୍ୟ ରଖୁଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଞ୍ଚଳିକ ବିକାଶ ମାଧ୍ୟମରେ ଏହି ଅଞ୍ଚଳର ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ସେମାନଙ୍କ ପାଇଁ ସ୍ୱରୋଜଗାରର ସୁଯୋଗ ବୃଦ୍ଧି କରିବା ।
ଏହି ପ୍ରକଳ୍ପଗୁଡ଼ିକ ‘ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍’ ଅଧୀନରେ ପ୍ରସ୍ତୁତ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ସମନ୍ୱିତ ଯୋଜନା ଏବଂ ଭାଗୀଦାରମାନଙ୍କ ସହ ଆଲୋଚନା ମାଧ୍ୟମରେ ମଲ୍ଟି-ମୋଡାଲ୍ କନେକ୍ଟିଭିଟି ଏବଂ ଲଜିଷ୍ଟିକ୍ସ ଦକ୍ଷତାକୁ ବୃଦ୍ଧି କରିବା । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଲୋକ, ସାମଗ୍ରୀ ଏବଂ ସେବାର ନିରବଚ୍ଛିନ୍ନ ଚଳାଚଳ ସୁନିଶ୍ଚିତ ହେବ ।
ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟର ୮ଟି ଜିଲ୍ଲାକୁ ସାମିଲ କରୁଛି । ଏହି ୪ଟି ପ୍ରକଳ୍ପ ଭାରତୀୟ ରେଳର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୪୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିବ । ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୬,୪୪୮ଟି ଗାଁର ୬୦ ଲକ୍ଷ ଲୋକଙ୍କ ଯୋଗାଯୋଗରେ ସୁଧାର ଆସିବ ।
📡LIVE Now 📡#Cabinet Briefing by Union Minister @AshwiniVaishnaw
📍National Media Centre, New Delhi#CabinetDecisionshttps://t.co/A9vZvJ69Uw
— PIB India (@PIB_India) August 19, 2026
ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦ୍ୱାରା ଦେଶର ବହୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ରେଳ ଯୋଗାଯୋଗ ସୁବିଧା ପହଞ୍ଚିବ। ଏଥିରେ କୁଲଡ଼ିହା ବନ୍ୟଜନ୍ତୁ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ମା’ ଭଦ୍ରକାଳୀ ମନ୍ଦିର, ମା’ ଧାମରାଇ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ତାଳସାରୀ-ଉଦୟପୁର ଏବଂ ଚାନ୍ଦିପୁର ସମୁଦ୍ର ସୈକତ, ପୁଲିକଟ୍ ହ୍ରଦ, ନେଲପଟ୍ଟୁ ପକ୍ଷୀ ଅଭୟାରଣ୍ୟ, ଭଗବାନ ବୀରରାଘବ ପେରୁମଲ ମନ୍ଦିର, ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର, ଶାରଳା ମନ୍ଦିର, ଧବଳେଶ୍ୱର ମନ୍ଦିର, ଲଳିତଗିରି (ବୌଦ୍ଧ ସ୍ଥଳ) ପ୍ରଭୃତି ସାମିଲ ଅଛନ୍ତି ।
ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କୋଇଲା, ଲୁହାପଥର, ସିମେଣ୍ଟ, ଲୁହା ଓ ଇସ୍ପାତ, କଣ୍ଟେନର, ଅଟୋମୋବାଇଲ୍, ଖାଦ୍ୟଶସ୍ୟ ଆଦି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗ ଅଟେ । କ୍ଷମତା ବୃଦ୍ଧି କାର୍ଯ୍ୟ ଦ୍ୱାରା ବାର୍ଷିକ ୭୬ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ହାସଲ ହେବ ।
