Voice of Eastern India

ରବିବାର ବି ବର୍ଷା ! ଏହି ସବୁ ଜାଗାରେ ବର୍ଷିବା ସମ୍ଭାବନା, ଆଗକୁ କେମିତି ରହିବ ପାଗ ?


ଭୁବନେଶ୍ୱର, ୨୭/୦୯ : ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଲାଗି ରହିଛି। ଭଦ୍ରକ, ବାଲେଶ୍ଵରରେ ବନ୍ୟା ସ୍ଥିତି ଚିନ୍ତା ବଢ଼ାଇଛି। ବର୍ଷା କମିବା ପରେ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସୁଧୁରୁଛି। ତଥାପି ନବରଙ୍ଗପୁରରେ ଅନେକ ଅଞ୍ଚଳ ପାଣି ଘେରରେ ରହିଛି। କୋରାପୁଟରେ କ୍ଷୟକ୍ଷତି ବ୍ୟାପକ ହୋଇଛି। ବର୍ଷା କମିଥିଲେ ବି ରାଜ୍ୟରେ ବନ୍ୟା ସଙ୍କଟ ସମ୍ପୂର୍ଣ୍ଣ ଟଳିନାହିଁ ।

ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ମହାନଦୀ କ୍ରମଶଃ ଫୁଲିବାରେ ଲାଗିଛି। ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଏବେ ଆଉ ବଡ଼ ବର୍ଷା ନାହିଁ। ରବିବାରଠାରୁ ପାଗ ପ୍ରାୟତଃ ଫିଟିବ । ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ରବିବାର ସନ୍ଧ୍ୟା ୬ଟାବେଳେ ହୀରାକୁଦରେ ଜଳସ୍ତର ୬୨୮.୮୯ ଫୁଟ ଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୬ ହଜାର ୧୬୮ ଘନଫୁଟ ପାଣି ପ୍ରବେଶ କରୁଥିଲା। ୨୦ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୯ ହଜାର ୪୬୪ ଘନଫୁଟ ପାଣି ଛଡ଼ାଯାଉଛି। ପଥରୁଲାରୁ ୩ ଲକ୍ଷ ୨୩ ହଜାର ୬୧୨ ଘନଫୁଟ ପାଣି ପ୍ରବେଶ କରୁଥିଲା। ଖଇରମାଳରେ ୪.୪୮ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିବା ହେଉଥିବାବେଳେ ବରମୁଳରେ ୨ ଲକ୍ଷ ୨୭ହଜାର ଘନଫୁଟ ଏବଂ ମୁଣ୍ଡୁଳିରେ ୩ ଲକ୍ଷ ୪ ହଜାର ୮୯୫ ଘନଫୁଟ ପାଣି ଚାଲିଥିଲା। ଅନୁମାନ କରାଯାଉଛି, ସୋମବାର ସୁଦ୍ଧା ମୁଣ୍ଡୁଳିରେ ୭ଲକ୍ଷରୁ ୮ ଲକ୍ଷ ପାଣି ପ୍ରବାହିତ ହୋଇପାରେ।

ସବୁଠୁ ବେଶି ଚିନ୍ତା ବଢ଼ାଇଛି ସୁବର୍ଣ୍ଣରେଖା। ରାଜଘାଟରେ କ୍ରମାଗତ ଭାବେ ଜଳସ୍ତର ବଢୁଛି। ରାତି ୯ଟାବେଳେ ଜଳସ୍ତର ୧୧.୩୭ ମିଟର ଥିଲା। ଏଠାରେ ବିପଦ ସଙ୍କେତ ସ୍ତର ୧୦.୩୬ ମିଟର। ତେଣୁ ବାଲେଶ୍ୱରକୁ ବନ୍ୟା ଭୟ ବଢ଼ିଛି। ଜାମଶୋଳାଘାଟରେ ଜଳସ୍ତର କିନ୍ତୁ କମିବାରେ ଲାଗିଛି। ଜଳକା ଜଳସ୍ତର ଖସୁଥିଲେ ମଧ୍ୟ ବିପଦ ସଙ୍କେତ ଠାରୁ ପ୍ରାୟ ୨ ମିଟର ଉପରେ (୮.୫୨ ମି) ପ୍ରବାହିତ ହେଉଛି I ବୈତରଣୀରେ ଜଳସ୍ତର କମୁଛି। ଆଖୁଆପଦାରେ ରାତି ୯ଟାବେଳେ ଜଳସ୍ତର ୧୯.୪୫ ମିଟର ଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୧୮.୩୩ ମି। ଆନନ୍ଦପୁରରେ ଜଳସ୍ତର ବିପଦ ସଙ୍କେତଠାରୁ ତଳକୁ ଖସି ଆସିଛି। ରାତି ୯ଟାବେଳେ ଜଳସ୍ତର ୩୭.୫୮ ମିଟର ରହିଥିଲା। ବୁଢ଼ାବଳଙ୍ଗ ଏନଏଚ-୫ ଗୋବିନ୍ଦପୁରରେ ବିପଦ ସଙ୍କେତଠାରୁ ସାମାନ୍ୟ ଉପରେ (୮.୫୨ ମି) ରହିଥିବାବେଳେ ଜଳସ୍ତର ଖସିବାରେ ଲାଗିଛି।

ବ୍ରାହ୍ମଣୀ ଜଳସ୍ତର ମଧ୍ୟ କମୁଛି। ଜେନାପୁରରେ ଜଳସ୍ତର ୨୦.୨୭ ମିଟର ଥିଲା । ବଂଶଧାରା ଓ ଋଷିକୂଲ୍ୟାରେ ବି ପାଣି କମିବାରେ ଲାଗିଛି। ରାତି ୯ଟାବେଳେ ବଂଶଧାରା କାଶୀନଗରରେ ୫୪.୧୪ ମିଟରରେ ପ୍ରବାହିତ ହେଉଥିଲା। ଋଷିକୂଲ୍ୟା ପୁରୁଷୋତ୍ତମପୁରରେ ୧୪.୯୧ ମିଟରରେ ପ୍ରବାହିତ ହେଉଥିବାବେଳେ ପାଣି ଖସୁଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁସାରେ ଲଗାଣ ବର୍ଷାଜନିତ ସ୍ଥିତି ଯୋଗୁ ରାଜ୍ୟର ୭୩ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ୧୦ଟି ଜିଲ୍ଲାର ୩୨୫ଟି ପଞ୍ଚାୟତ ଅନ୍ତର୍ଗତ ୧୦୭୧ଟି ଗାଁ ଏବଂ ୧୦ଟି ସହରାଞ୍ଚଳର ୪୯ଟି ଓ୍ବାର୍ଡକୁ ଏହା ପ୍ରଭାବିତ କରିଛି। ୧୬ଟି ଗାଁ ଏବେ ବି ପାଣି ଘେରରେ ରହିଛି I ଲଗାଣ ବର୍ଷା, ପବନ ଏବଂ ବନ୍ୟା ଯୋଗୁ ୪୦ ହଜାର ୩୨୯ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ସୁଦ୍ଧା ୪୪୮୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ଜିଲ୍ଲାରେ ୭୨୧ଟି ଘର ନଷ୍ଟ ହୋଇଛି।

ଭଦ୍ରକରୁ ଆସିଥିବା ଖବର ଅନୁସାରେ ବନ୍ୟାରେ ଜିଲ୍ଲାର ଅଧା ଅଞ୍ଚଳ ଭାସୁଛି । ସାଳନ୍ଦୀ ନଦୀ ବିପଦ ସଙ୍କେତ ରାଜଘାଟଠାରେ ୧୭ ଫୁଟ ରହିଥିବା ବେଳେ ସନ୍ଧ୍ୟାରେ ଏହା ୧୯.୩୦ ଫୁଟରେ ପ୍ରବାହିତ ହେଉଥିଲା। ସେହିପରି ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଚାଲିଛି। ଜିଲ୍ଲାରେ ୯୫ ହଜାର ୪୬୧ ଜଣ ପ୍ରଭାବିତ ହୋଇଛନ୍ତି । ସାଳନ୍ଦୀର ଦୁଇଟି ଘାଇ ପିଟିଛି। ଭଦ୍ରକ ସହର ଧନାଗେଲା ତଥା ସଦାବର୍ଭ ନିକଟରେ ୮ ଫୁଟର ଘାଇ ହୋଇଛି। ବନ୍ୟା ଜଳ ପୁରୁଣା ବଜର ଅଞ୍ଚଳକୁ ମାଡ଼ି ଚାଲିଛି।

ଦକ୍ଷିଣ ଓଡ଼ିଶାରେ ସ୍ଥିତି ସୁଧୁରୁଛି। ତଥାପି ନବରଙ୍ଗପୁର ସହରର ବହୁ ଅଞ୍ଚଳ ଜଳବନ୍ଦୀରୁ ମୁକୁଳି ପାରିନି। ଇନ୍ଦ୍ରାବତୀ ନଈ ଏବେବି ଫୁଲି ରହିଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଳକର ୫ ପଞ୍ଚାୟତର ୧୬ ଖଣ୍ଡ ଗ୍ରାମବାସୀ ବନ୍ୟା ଘେରରେ ଅଛନ୍ତି । ଏବେବି ଜଳବନ୍ଦୀରେ ରହି ଛନ୍ତି ୩୦୦ ଲୋକ । ଅନେକ ବିପନ୍ନ ଭୋକଓପାସରେ ପଡ଼ି ରହି ଛନ୍ତି । ବନ୍ୟାପାଣିରେ ଫୁଲି ରହିଛି ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀ ଓ ଶାଖାନଦୀ। ବ୍ଲକର ଉକିଆପାଲି ପଞ୍ଚାୟତର ଘାଟବାସଲି ଗାଁକୁ ଏବେବି ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଦେଶୀ ଡଙ୍ଗା, ବଡ଼ କଡ଼େଇ ସାହାଯ୍ୟରେ ଗାଁ ଭିତରୁ ଲୋକଙ୍କୁ ଉଦ୍ଧାର କରାଯଉଛି। ଏମିତିକି ବୋଟ୍ ସାହାଯ୍ୟରେ ବିପନ୍ନମାନଙ୍କୁ ସୁରକ୍ଷାସ୍ଥଳକୁ ନିଆଯାଉଛି।



Source link

Leave A Reply

Your email address will not be published.