Voice of Eastern India

ମଇଦାନ ମଝିରେ ବାଇକ୍ ଚଲାଇଲେ ଟିମ୍ ଡେଭିଡ୍: ମନେପଡ଼ିଲେ ଧୋନୀ-ଯୁବରାଜ !




ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିବା ପରେ ଅଷ୍ଟ୍ରେଲିଆ ଖେଳାଳିମାନେ ନିଆରା ଢଙ୍ଗରେ ପାଳିଛନ୍ତି ବିଜୟ ଉତ୍ସବ। ମ୍ୟାଚ୍ ଶେଷ ହେବା ପରେ ଅଷ୍ଟ୍ରେଲିଆର ଅଲ୍ରାଉଣ୍ଡର ଟିମ୍ ଡେଭିଡ୍ ବାଇକ୍ ଚଲାଇ ଶେର-ଇ- ବାଂଲା ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଚକ୍କର କାଟିଥିଲେ। ଆଉ ତାଙ୍କ ପଛରେ ବସିଥିଲେ ସାଥୀ ଖେଳାଳି ମ୍ୟାଟ୍ ରେନଶା। ଏହି ଦୁଇ ଖେଳାଳି ଷ୍ଟାଡିୟମରେ ବିଜୟ ଯାତ୍ରା କରୁଥିବା ବେଳେ ଦଳର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ଉତ୍ସାହିତ କରିଥିବା ବେଳେ ପ୍ରଶଂସକମାନେ ଏହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ କଏଦ କରିଥିଲେ।

ଅନ୍ୟପଟେ ବୋଲର ନାଥନ୍ ଏଲିସ୍ ମଧ୍ୟ ଏକ ମୋଟରସାଇକେଲ୍ ଚଲାଇ ଏହି ବିଜୟ ଉତ୍ସବରେ ସାମିଲ ହୋଇଥିଲେ। ଅଷ୍ଟ୍ରେଲିଆ ଖେଳାଳିଙ୍କ ଏହି ବାଇକ୍ ରାଇଡ୍ ଭାରତୀୟ କ୍ରିକେଟ୍ର ଦୁଇ କିମ୍ବଦନ୍ତୀ ଖେଳାଳି ଏମ୍.ଏସ୍ ଧୋନୀ ଏବଂ ଯୁବରାଜ ସିଂଙ୍କ ପୁରୁଣା ଦିନର ସେହି ପ୍ରସିଦ୍ଧ ବାଇକ୍ ସେଲିବ୍ରେସନର ସ୍ମୃତିକୁ ତାଜା କରିଦେଇଛି।

୩-୦ ରେ ସିରିଜ୍ କବଜା କଲା କଙ୍ଗାରୁ ଦଳ

ସୂଚନାଥାଉକି, ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ସିରିକୁ ୩-୦ରେ ପୋଛି ନେଇଛି। ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ମାତ୍ର ୧୦୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ପକ୍ଷରୁ ଅଧିନାୟକ ତୌହିଦ ହୃଦୟ ସର୍ବାଧିକ ୬୧ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସ୍ପେନ୍ସର ଜନସନ୍, ନାଥନ୍ ଏଲିସ୍ ଏବଂ ଆଡମ ଜାମ୍ପା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

Also Read: 'ମୁଁ ଚାପରେ ନଥିଲି, ମୋ ଲକ୍ଷ୍ୟ ଅଲଗା ଥିଲା…' : ଶ୍ରୀଲଙ୍କାକୁ ହରାଇବା ପରେ ଏମିତି କହିଲେ ବୈଭବ

୧୧୦ ରନ୍ର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ ୩ ୱିକେଟ୍ ହରାଇ ଏହାକୁ ହାସଲ କରିନେଇଥିଲା। ଅଧିନାୟକ ମିଚେଲ୍ ମାର୍ଶ ମାତ୍ର ୨୮ ବଲରୁ ୬୦ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲେ। ଜୋସ୍ ଇଂଲିସ୍ ୧୭ ରନ୍ କରିଥିବା ବେଳେ ଟିମ୍ ଡେଭିଡ୍ ୧୨ ରନ୍ କରି ଅପରାଜିତ ରହିଥିଲେ। ଏହି ସିରିଜ୍ ବିଜୟ ପରେ ଅଧିନାୟକ ମିଚେଲ୍ ମାର୍ଶ ଦଳର ବୋଲିଂ ଏବଂ ପ୍ରଦର୍ଶନକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଯେ, ଟି-୨୦ ସିରିଜ୍ ପୂର୍ବରୁ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ବାଂଲାଦେଶ ୨-୧ରେ ଜିତିନେଇଥିଲା।

Peak Mahi and Yuvraj Singh, iykyk 😏#BanvAus #Dhoni #Yuvraj #Cricket pic.twitter.com/40aFZuP6gz
— FanCode (@FanCode) June 22, 2026

 



Source link

Leave A Reply

Your email address will not be published.