କଟକ: ଆରପିଏଫ୍ କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଏହିକ୍ରମରେ ଦୁଇ ଯୁବତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ । କିନ୍ତୁ ଦୁଇ ଯୁବତୀ ଏନେଇ ସହମତି ଦେଇନଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି । ଏହା ପୂର୍ବରୁ ମାମଲାରେ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସମ୍ପର୍କୀୟ ଓମଙ୍କର ଲାଏ ଡିଟେକ୍ସନ କରିଥିଲା । ଓମଙ୍କ ଲାଏ ଡିଟେକ୍ସନ ଟେଷ୍ଟରୁ ସେଭଳି କିଛି ତଥ୍ୟ ମିଳି ନଥିବା କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷ କହିଛନ୍ତି। ଜେରା ବେଳେ ଓମ୍ ଯାହା ସବୁ କ୍ରାଇମବ୍ରାଞ୍ଚକୁ କହିଥିଲେ । ଲାଏ ଡିଟେକ୍ସନ ଟେଷ୍ଟରେ ତାହାହିଁ କହିଥିବା ଜଣାପଡ଼ିଛି। ତେଣୁ ଓମ୍ କୌଣସି ଷଡ଼ଯନ୍ତ୍ର କରିନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।
ସୂଚନାଥାଉକି, ଗତ ମେ ମାସ ୭ ତାରିଖ ଦିନ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ନିକଟରେ କଟକ ଜିଆରପି (GRP)ର ନିଲମ୍ବିତ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ଭିଡ଼ ହିଂସାର ଶିକାର ହୋଇଥିଲେ । ଅଭିଯୋଗ ହୋଇଥିଲା ଯେ, ସୌମ୍ୟ ଏବଂ ଓମ ମୋଟରସାଇକେଲରେ ଯାଉଥିବା ବେଳେ ଦୁଇ ଜଣ ଯୁବତୀଙ୍କ ସ୍କୁଟିକୁ ସାମାନ୍ୟ ଧକ୍କା ଦେଇଥିଲେ। ଏହାକୁ କେନ୍ଦ୍ର କରି ସେଠାରେ ବଡ଼ ଧରଣର ଯୁକ୍ତିତର୍କ ହୋଇଥିଲା। ଯୁବତୀଙ୍କୁ ଦୁର୍ବ୍ୟବହାର ଓ ଶାରୀରିକ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ସୌମ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରି ପିଟିପିଟି ଗୁରୁତର କରିଦେଇଥିଲେ । ଏହି ଭିଡ଼ ହିଂସା (Mob Lynching)ରେ ଗୁରୁତର ଆଘାତ ଯୋଗୁଁ ସୌମ୍ୟ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।
ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ସୌମ୍ୟଙ୍କ ଶରୀରରେ ୨୧ଟି ସ୍ଥାନରେ ଗଭୀର ଆଘାତ ଚିହ୍ନ ଥିଲା। କୌଣସି ଶକ୍ତ ଓ ଭାରି ବସ୍ତୁରେ ବାରମ୍ବାର ଆକ୍ରମଣ କରାଯିବା ଫଳରେ ମସ୍ତିଷ୍କରେ ପ୍ରବଳ ରକ୍ତସ୍ରାବ ଓ ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ସୌମ୍ୟଙ୍କ ପରିବାର ଏହାକୁ ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି ଅଭିଯୋଗ କରିଥିଲେ।
Also Read: ମାଲ୍ ପିଇ ଯୁବକ-ଯୁବତୀଙ୍କ ହାଇଡ୍ରାମା : ରାସ୍ତାରେ ଲୋକଙ୍କୁ ଖରାପ ଭାଷାରେ କଲେ ଗାଳି
ଅନ୍ୟପଟେ ଘଟଣା ସମୟରେ ପିସିଆର ବା ପୋଲିସ ଉପସ୍ଥିତ ଥିଲେ ମଧ୍ୟ ସୌମ୍ୟଙ୍କୁ ଉଦ୍ଧାର କରାଯାଇ ନଥିବା ନେଇ ରାଜ୍ୟବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପରିସ୍ଥିତି ଗମ୍ଭୀର ହେବାରୁ ରାଜ୍ୟ ସରକାର ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ରାଷ୍ଟ୍ରୀୟ ମାନବାଧିକାର କମିଶନ ମଧ୍ୟ ଏହାର ସ୍ୱତନ୍ତ୍ର ତଦନ୍ତ କରିଛନ୍ତି।
ଏପର୍ଯ୍ୟନ୍ତ, କ୍ରାଇମବ୍ରାଞ୍ଚ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓ ରଞ୍ଜିତ ପାତ୍ରଙ୍କ ସମେତ ୧୮ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ସେହିଭଳି କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଏକ ବିସ୍ତୃତ ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଯେଉଁଥିରେ ପ୍ରାଥମିକ ଭାବେ ୧୧ ଜଣଙ୍କ ବିରୋଧରେ ସାଙ୍ଘାତିକ ପ୍ରମାଣ ଥିବା ଦର୍ଶାଯାଇ ମାମଲାକୁ ଆଗକୁ ବଢ଼ାଯାଉଛି।
