Voice of Eastern India

ଦୀର୍ଘ ୪୫ ବର୍ଷ ପରେ ସିରିଆକୁ ‘ଆତଙ୍କବାଦ ପ୍ରାୟୋଜକ ରାଷ୍ଟ୍ର’ ତାଲିକାରୁ ହଟାଇଲା ଆମେରିକା


ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ସିରିଆକୁ State Sponsors of Terrorism ତାଲିକାରୁ ହଟାଯିବା ନିଷ୍ପତ୍ତି ସିରିଆର ଆର୍ଥିକ ଓ ରାଜନୈତିକ ଭବିଷ୍ୟତ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମୋଡ଼ ବୋଲି ବିବେଚନା କରାଯାଉଛି । ୧୯୭୯ ମସିହାରୁ ଦୀର୍ଘ ୪୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଲାଗିରହିଥିବା ଏହି କଟକଣା ପ୍ରତ୍ୟାହାର ପରେ ସିରିଆରେ ନୂଆ ପରିବର୍ତ୍ତନ ଆସିବାକୁ ଯାଉଛି । 

ଏହି କଟକଣା ହଟିବା ଦ୍ୱାରା ସିରିଆ ବିଶ୍ୱର ପ୍ରମୁଖ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ପ୍ରଣାଳୀ ସହ ପୁନର୍ବାର ଯୋଡ଼ିହୋଇପାରିବ। ସିରିଆର ବୈଦେଶିକ ମନ୍ତ୍ରୀ ଆସାଦ ଅଲ-ଶିବାନୀଙ୍କ ଅନୁଯାୟୀ, ଆର୍ଥିକ ନେଣଦେଣ ଉପରୁ ପ୍ରତିବନ୍ଧକ ହଟିବା ଦ୍ୱାରା ଦେଶର ଅର୍ଥନୀତି ପୁନରୁଦ୍ଧାର ହେବ ।  ଆତଙ୍କବାଦ ପ୍ରାୟୋଜକ ତାଲିକାରେ ଥିବାରୁ ବିଦେଶୀ କମ୍ପାନୀଗୁଡ଼ିକ ସିରିଆରେ ନିବେଶ କରିବାକୁ ଭୟ କରୁଥିଲେ। ବର୍ତ୍ତମାନ ବେସରକାରୀ କ୍ଷେତ୍ର ଓ ବିଦେଶୀ ନିବେଶକମାନେ ସିରିଆରେ ବ୍ୟବସାୟ ଓ ପୁନଃନିର୍ମାଣ କାର୍ଯ୍ୟରେ ଭାଗ ନେଇପାରିବେ । 

ସିରିଆର ରାଷ୍ଟ୍ରପତି ଅହମଦ ଅଲ-ଶାରା (Ahmed al-Sharaa) ଙ୍କ ନେତୃତ୍ୱାଧୀନ ସରକାରକୁ ବିଶ୍ୱସ୍ତରରେ ମାନ୍ୟତା ମିଳିଛି। ଅଲ-ନୁସରା ଫ୍ରଣ୍ଟ ଉପରୁ ଆତଙ୍କବାଦୀ ସଂଗଠନର ଟ୍ୟାଗ୍ ହଟିବା ଦ୍ୱାରା ଆମେରିକା ଓ ପଶ୍ଚିମୀ ଦେଶଗୁଡ଼ିକ ସହ ସିରିଆର କୂଟନୈତିକ ସମ୍ପର୍କ ସୁଦୃଢ଼ ହେବ ।

ବହୁ ବର୍ଷର ଗୃହଯୁଦ୍ଧ ଯୋଗୁଁ ଧ୍ୱଂସ ହୋଇଯାଇଥିବା ସିରିଆର ଭିତ୍ତିଭୂମି, ହସ୍ପିଟାଲ, ଓ ସ୍କୁଲ ଗୁଡ଼ିକର ପୁନଃନିର୍ମାଣ ପାଇଁ ବୈଦେଶିକ ସାହାଯ୍ୟ ଏବଂ ଆବଶ୍ୟକ ସାମଗ୍ରୀ ଆଦାନପ୍ରଦାନ ସହଜ ହେବ । ଏହି ନିଷ୍ପତ୍ତି ସିରିଆ ନାଗରିକଙ୍କ ପାଇଁ ଏକ ନୂତନ ଗଣତାନ୍ତ୍ରିକ ଓ ଆର୍ଥିକ ଯୁଗର ଶୁଭାରମ୍ଭ ବୋଲି ରାଷ୍ଟ୍ରପତି ଅଲ-ଶାରା କହିଛନ୍ତି । ବର୍ତ୍ତମାନ କେବଳ କ୍ୟୁବା, ଇରାନ ଏବଂ ଉତ୍ତର କୋରିଆ ଏହି ଆତଙ୍କବାଦୀ ପ୍ରାୟୋଜକ ତାଲିକାରେ ରହିଛନ୍ତି ।



Source link

Leave A Reply

Your email address will not be published.