Voice of Eastern India

ଜିନ୍ ଯୋଗୁଁ ୫ ବର୍ଷ ହେଲା ପୋଖରୀରେ ବିତୁଛି ଜୀବନ ; ପାଣିରୁ ବାହାରିଲେ ଜଳୁଛି ଦେହ !


ମୁର୍ଶିଦାବାଦ: ପାଣି ବିନା ଜୀବନ କଳ୍ପନା କରିବା ଅସମ୍ଭବ। ହେଲେ ଯଦି କେହି ନିଜ ଜୀବନର ଅଧିକାଂଶ ସମୟ ପାଣି ଭିତରେ ବିତାଉଛନ୍ତି, ତେବେ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର ବିଷୟ। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏଭଳି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମାତ୍ର ୧୬ ବର୍ଷୀୟ ନାବାଳକ ଇକବାଲ ଶେଖଙ୍କ ପାଇଁ ଏକ ପୋଖରୀ ହିଁ ପାଲଟିଛି ଜୀବନର ସାହାରା । କୁହାଯାଉଛି, ପ୍ରାୟ ୫ ବର୍ଷ ଧରି ସେ ଏକ ପୋଖରୀ ପାଣିରେ ବୁଡ଼ି ରହୁଛନ୍ତି । ଆଉ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଇକବାଲଙ୍କ କହିବା ଅନୁଯାୟୀ, ଏକ ଜିନ୍ ବା ଏକ ଅଲୌକିକ ଶକ୍ତି ତାଙ୍କୁ ଏପରି କରାଉଛି। ତାଙ୍କୁ ପାଣି ଭିତରେ ରହିବାକୁ ବାଧ୍ୟ କରାଯାଉଥିବା ସେ ଦାବି କରୁଛନ୍ତି । ତେବେ ଏହି ଦାବିର ସତ୍ୟତା କ’ଣ, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାଟି ପଛରେ କୌଣସି ଚିକିତ୍ସାଜନିତ କାରଣ ରହିଛି କି ନାହିଁ, ତାହା ମଧ୍ୟ ଜଣାନାହିଁ ।

ପାଣିରୁ ବାହାରିଲେ ଜଳାପୋଡ଼ା :

ଇକବାଲଙ୍କ କହିବା କଥା, ଦୀର୍ଘ ସମୟ ପାଣି ଭିତରେ ରହିବା ପରେ ଯେତେବେଳେ ତାଙ୍କ ଶରୀର ବାୟୁ ସଂସ୍ପର୍ଶରେ ଆସେ, ସେତେବେଳେ ତାଙ୍କ ତ୍ୱଚାରେ ଭୀଷଣ ଜଳାପୋଡ଼ା ଆରମ୍ଭ ହୋଇଯାଏ। ଅସହ୍ୟ ଅନୁଭବ ହେବାରୁ ସେ ପୁଣି ପାଣି ଭିତରକୁ ଚାଲିଯାଆନ୍ତି । ପାଣିରେ ବୁଡ଼ି ରହିଲେ ତାଙ୍କୁ କିଛିଟା ଆରାମ ମିଳୁଥିବା ସେ କହିଛନ୍ତି। ଏହି କାରଣରୁ ଦିନରାତି ସେ ପୋଖରୀ ଭିତରେ ରହୁଥିବା କୁହାଯାଉଛି। ପରିବାର ଓ ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ଇକବାଲଙ୍କ ଏହି ଅବସ୍ଥା ଚିନ୍ତାର କାରଣ ପାଲଟିଛି।

ଚୁଡ଼ା ଓ ବିସ୍କୁଟ ଖାଇ ବଞ୍ଚୁଛନ୍ତି :

ସର୍ବଦା ପାଣିରେ ବୁଡ଼ି ରହୁଥିବାରୁ ଗାଁ ଲୋକେ ଦେଉଥିବା ଚୁଡ଼ା ଓ ବିସ୍କୁଟ ଖାଇ ସେ ବଞ୍ଚୁଛନ୍ତି। ନିରନ୍ତର ପାଣିରେ ବୁଡ଼ି ରହିବା ଦ୍ୱାରା ତାଙ୍କ ଶରୀର ଧଳା ପଡ଼ିଗଲାଣି ଏବଂ ଚର୍ମ ଫୁଲିଗଲାଣି । ଭୀଷଣ ଥଣ୍ଡା ଓ ଜ୍ୱର ବି ହେଉଛି। ଏଥିସହ ସେ ଏକାଧିକ ସ୍ୱାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିବାର ଲୋକେ ତାଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ ବି ସେଠାରେ ତାଙ୍କର ଚିକିତ୍ସା ପ୍ରତି ଧ୍ୟାନ ଦିଆଗଲା ନାହିଁ । ଆର୍ଥିକ ସମସ୍ୟା ଯୋଗୁ ଘରୋଇ ମେଡିକାଲରେ ତାଙ୍କ ଚିକିତ୍ସା ସମ୍ଭବ ହୋଇପାରୁନି। ଇକବାଲଙ୍କର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ତାଙ୍କର ସାହାଯ୍ୟ ଲାଗି ଆଗେଇ ଆସିଛନ୍ତି। ଇକବାଲଙ୍କୁ ଦେଖିବାକୁ ପୋଖରି ପାଖରେ ଲୋକଙ୍କ ଭିଡ଼ ଜମୁଛି । ତେବେ ଜଣେ ନାବାଳକଙ୍କ ଦୀର୍ଘ ସମୟ ଧରି ପାଣିରେ ରହିବା ନିଜେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଇକବାଲଙ୍କ ଏହି ଅସ୍ୱାଭାବିକ ଅବସ୍ଥାର ପ୍ରକୃତ କାରଣ ଚିକିତ୍ସା ପରେ ହିଁ ସ୍ପଷ୍ଟ ହୋଇପାରିବ।



Source link

Leave A Reply

Your email address will not be published.