Voice of Eastern India

ଜାନୁଆରୀ ୧୦ରୁ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ, ପ୍ରତ୍ୟେକଙ୍କୁ ପଚରାଯିବ ୪୦ ପ୍ରଶ୍ନ


ଭୁବନେଶ୍ୱର ୦୩।୧୧ : ଜାନୁଆରୀ ୧୦ରୁ ଆରମ୍ଭ ହେବ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ। ଏଥିପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ଆରମ୍ଭ ହୋଇଛି ୪ ଦିନିଆ ମାଷ୍ଟର ଟ୍ରେନର୍ ପ୍ରଶିକ୍ଷଣ ଶିବିର। ଏଥର ପ୍ରଥମ ଥର ପାଇଁ ଡିଜିଟାଲ୍ ମାଧ୍ୟମରେ ହେବ ଜନଗଣନା। ଏଥିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪୦ଟି ପ୍ରଶ୍ନ ପଚରାଯିବ।

ଜନଗଣନାର ଏହି ପର୍ଯ୍ୟାୟରେ ନାଗରିକମାନେ ନିଜର ତଥ୍ୟ ନିଜେ ପୋର୍ଟାଲ୍ ଓ ଆପ୍ ମାଧ୍ୟମରେ ଦାଖଲ କରିପାରିବେ। ଏଥିପାଇଁ ୧୫ ଦିନ ସମୟ ଦିଆଯିବ। ଜାନୁଆରୀ ୧୦ରୁ ୨୫ ତାରିଖ ଯାଏଁ ଏହି ସ୍ୱ-ଗଣନା ପ୍ରକ୍ରିୟା ଚାଲିବ। ଏହାପରେ ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ଯାଏଁ ଅଧିକାରୀମାନେ ଘରକୁ ଘର ବୁଲି ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିବେ।

Also Read:-ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ; କୋଟିଆ ପାଇଁ ସବୁ ଦଳ ଏକାଠି, ମୁତୟନ ହେବେ ୭ ପ୍ଲାଟୁନ୍ ପୋଲିସ

ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ ହେବ। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ଜାତି ସମ୍ପର୍କିତ ତଥ୍ୟ ମଧ୍ୟ ପଚରାଯିବ। ଏପ୍ରିଲ୍ ମାସ ସୁଦ୍ଧା ସମଗ୍ର ଜନଗଣନା ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକ୍ରିୟାକୁ ସଠିକ୍ ଭାବେ ସମ୍ପାଦନ କରିବା ପାଇଁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବ। ପ୍ରତି ଜିଲ୍ଲାରୁ ଜଣେ ଲେଖାଏଁ ମାଷ୍ଟର ଟ୍ରେନର୍ ପ୍ରଶିକ୍ଷଣ ନେବା ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଲିମ ଦେବେ। ଡିସେମ୍ବର ମାସ ଯାଏଁ ଏହି ପ୍ରଶିକ୍ଷଣ ପ୍ରକ୍ରିୟା ଚାଲିବ।

ଜାତୀୟ ସ୍ତରରୁ ପ୍ରଶିକ୍ଷଣ ନେଇ ଆସିଥିବା ୪ ଜଣ ନ୍ୟାସନାଲ୍ ଟ୍ରେନର୍ ଓଡ଼ିଶାର ୮୦ ଜଣ ମାଷ୍ଟର ଟ୍ରେନର୍ଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏହି ମାଷ୍ଟର ଟ୍ରେନର୍ମାନେ ପରବର୍ତ୍ତୀ ସମୟରେ ୧,୭୦୦ ଫିଲ୍ଡ ଟ୍ରେନର୍ଙ୍କୁ ତାଲିମ ଦେବେ। ଫିଲ୍ଡ ଟ୍ରେନର୍ମାନେ ରାଜ୍ୟର ପ୍ରାୟ ୧ ଲକ୍ଷ ୨୦ ହଜାର ଏନ୍ୟୁମରେଟର୍ ଓ ସୁପରଭାଇଜର୍ଙ୍କୁ ପ୍ରଶିକ୍ଷଣ ଦେବେ। ଡିଜିଟାଲ୍ ଜନଗଣନାକୁ ସଫଳ କରିବା ସହ ତଥ୍ୟ ସଂଗ୍ରହରେ ଯେପରି କୌଣସି ତ୍ରୁଟି ନ ରହେ, ସେଥିପାଇଁ ତାଲିମ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦିଆଯାଉଛି।



Source link

Leave A Reply

Your email address will not be published.