Voice of Eastern India

ଓମାର ଅବଦୁଲ୍ଲାଙ୍କୁ ଝଟକା: NCରୁ ଇସ୍ତଫା ଦେଲେ ସାଂସଦ ଆଗା ସୟଦ ରୁହୁଲ୍ଲା


ଶ୍ରୀନଗର: ଜମ୍ମୁକାଶ୍ମୀରର ଶାସକ ଦଳ ନ୍ୟାସନାଲ୍‌ କନଫରେନ୍ସ (ଏନସି) ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ବଡ଼ ଝଟ୍‌କା ଲାଗି । ଦଳର ବରିଷ୍ଠ ​‌ନେତା ଏବଂ ଶ୍ରୀନଗର ସାଂସଦ ଆଗା ସୟଦ ରୁହୁଲ୍ଲା ମେହଦୀ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟତା ଏବଂ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଆଗା ସୟଦ ମେହଦୀ । ​‌ଏନସିର ସବୁଠାରୁ ବଡ଼ ଶିଆ ଚେହେରା  ରୁହୁଲ୍ଲା ନିଜ ବାପା ଆଗା ସୟଦ ମେହଦୀଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀରେ ଇସ୍ତଫା ଘୋଷଣା କରିଛନ୍ତି ।  ଏହି ନିଷ୍ପତ୍ତି ସହ NC ସହିତ ତାଙ୍କର ଦୀର୍ଘ ୨୪ ବର୍ଷର ସମ୍ପର୍କର ଅନ୍ତ ଘଟିଛି। ଲୋକସଭା ବାଚସ୍ପତି ତାଙ୍କ ଇସ୍ତଫା ଗ୍ରହଣ କରିବା ପରେ ଶ୍ରୀନଗର ଆସନରେ ଉପନିର୍ବାଚନ ହେବ । 

ଆଗା ସୟଦ ରୁହୁଲ୍ଲା ଦଳରୁ ଇସ୍ତଫା ଦେବା ସହ ୪ ପୃଷ୍ଠାର ଏକ ଚିଠି ଲେଖି ଦଳର ନେତୃତ୍ବ ବିରୋଧରେ ଅଭିଯୋଗ ଆଣିଛନ୍ତି। ୨୦୨୪ ବିଧାନସଭା ନିର୍ବାଚନରେ ଜନସାଧାରଣ ଯେଉଁ ଆଶାରେ NC କୁ ଜିତାଇଥିଲେ, ଦଳ ସେହି ବିଶ୍ୱାସକୁ କାଏମ ରଖିପାରିଲା ନାହିଁ । ଦଳ ଲୋକଙ୍କୁ ପ୍ରତାରଣା କଲା । ସେ ଲେଖିଛନ୍ତି, ‘ମୁଁ କାଶ୍ମୀରର ଇତିହାସ ଏବଂ ବର୍ତ୍ତମାନର ଏକ କାହାଣୀରୁ ଆରମ୍ଭ କରୁଛି। ଆମ ଅଞ୍ଚଳ ଏବଂ ଏହାର ଅଧିବାସୀମାନେ ଇତିହାସର ଏକ ଭାର ବୋହି ଚାଲିଛନ୍ତି । ଏହା ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ବିପଦର ଖଣ୍ଡା ଭଳି ଝୁଲି ରହିଛି।”

୨୦୧୯ରେ ଧାରା ୩୭୦ ଏବଂ ୩୫-ଏ ର ଉଚ୍ଛେଦକୁ କାଶ୍ମୀରବାସୀଙ୍କ ଅଧୀକାର ଉପରେ ଏକ ‘ବେପରୁଆ ଆକ୍ରମଣ’ ବୋଲି ସେ ଲେଖିଛନ୍ତି ।  ଆଗା ସୟଦ ରୁହୁଲ୍ଲା ଲେଖିଛନ୍ତି, ଅଧୀକାର ବିନା ଲୋକଙ୍କର କୌଣସି ଅସ୍ତିତ୍ବ ରହେନାହିଁ। ତେବେ ୨୦୧୯ର ଏହି ଘଟଣା ସଂଘର୍ଷ ଓ ତ୍ୟାଗ ମାଧ୍ୟମରେ ନିଜର ରାଜନୈତିକ ସ୍ଥାନ ଫେରିପାଇବାର ଏକ ସୁଯୋଗ ମଧ୍ୟ ଦେଇଥିଲା। ଓମାର ଅବଦୁଲ୍ଲା ତାଙ୍କୁ କାଶ୍ମୀରବାସୀଙ୍କ ଅଧୀକାର ପାଇଁ ସଂଘର୍ଷ କରିବାର ଆଶ୍ୱାସନା ଦେଇଥିବାରୁ ସେ NC ର ପ୍ରଚାରକୁ ଜୋରଦାର କରିଥିଲେ। ଲୋକମାନେ ନିଜର ଅସନ୍ତୋଷ ଓ ଆଶାକୁ NC ଉପରେ ନ୍ୟସ୍ତ କରି ବିପୁଳ ଭୋଟ ଦେଲେ ।  ହେଲେ ନିର୍ବାଚନ ସରିବା ମାତ୍ରେ ଦଳ ନିଜ ପ୍ରତିଶ୍ରୁତିରୁ ଓହରି ଗଲା।

ଧାରା ୩୭୦ର ପୁନରୁଦ୍ଧାର, ରାଜନୈତିକ ବନ୍ଦୀଙ୍କ ମୁକ୍ତି ଏବଂ ସଂରକ୍ଷଣର ସଂସ୍କାର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଦଳର ନିଷ୍କ୍ରିୟତାକୁ ଦାୟୀ କରି ସେ ଇସ୍ତଫା ଦେଇଥିବା ଲେଖିଛନ୍ତି । ଇସ୍ତଫା ପତ୍ରର ଶେଷରେ ସେ ଏକ ଭାବପ୍ରବଣ ସଂକଳ୍ପ ନେଇ ଲେଖିଛନ୍ତି, ‘ଏପର୍ଯ୍ୟନ୍ତ ରାଜନୈତିକ ଯାତ୍ରା ପାଇଁ ଧନ୍ୟବାଦ, କିନ୍ତୁ ଏହା ଆଉ ଆଗକୁ ବଢ଼ିପାରିବ ନାହିଁ। ମୁଁ ଆଲ୍ଲାଙ୍କ କୃପାରୁ ଆମ ଲୋକଙ୍କ ସେବା କରିବା ପାଇଁ ଏକ ନୂଆ ବାଟ ଖୋଜିବି।’ 

ସେପଟେ ଚର୍ଚ୍ଚା ଅନୁସାରେ, ଆଗା ସୟଦ ରୁହୁଲ୍ଲା ଆଉ କୌଣସି ଦଳରେ ସାମିଲ ହେବାକୁ ଯୋଜନା କରୁନାହାନ୍ତି । ସେ ଯୁବବର୍ଗଙ୍କୁ ନେଇ ନିଜର ସ୍ବତନ୍ତ୍ର ଦଳ କିମ୍ବା ସଂଗଠନ ଗଢ଼ିବାକୁ ସ୍ଥିର କରିଛନ୍ତି । ନ୍ୟାସନାଲ କନଫରେନ୍ସ କିମ୍ବା ଓମାର ଅବଦୁଲ୍ଲାଙ୍କୁ ସେ କୌଣସି କ୍ଷତି ପହଞ୍ଚାଇବାକୁ ଚାହୁଁନାହାନ୍ତି ବୋଲି ଆଗା ସୟଦ ରୁହୁଲ୍ଲା ସ୍ପଷ୍ଟ କରିଛନ୍ତି । 



Source link

Leave A Reply

Your email address will not be published.