Voice of Eastern India

ଅନ୍ଧାରର ରାଜୁତିରେ ଅଣନିଃଶ୍ୱାସୀ ଗ୍ରାମବାସୀ, ବିଜୁଳି ଆଲୁଅ ସାତ ସପନ


ଉଦଳା: ଯେନତେନ କଟିଯାଏ ଦିନ । ସଞ୍ଜ ନଇଁଲେ, ମନରେ ପଶେ ଛନକା। ଯୁଆଡେ ଚାହିଁଲେ କିଟିମିଟି ଅନ୍ଧାର… ଆଖିକୁ କିଛି ବି ଦିଶେନି । ଜଙ୍ଗଲି ଜନ୍ତୁ ସାଙ୍ଗକୁ ଅସାମାଜିକ ଲୋକଙ୍କ ଭୟ । କେମିତି ପାହିବ ରାତି । ଅନ୍ଧାର ଭିତରେ କେବଳ ଆଶାର ଆଲୁଅ ଟର୍ଚ୍ଚ ଲାଇଟ ଏବଂ ଜଳନ୍ତା ଚୁଲିର ନିଆଁ। କିଛି କାମ ପାଇଁ ପାଦ ଆଗକୁ ବଢାଇଲେ ମିଞ୍ଜି ମିଞ୍ଜି ଆଲୁଅ ଭରସା । ଏସବୁ ଗ୍ରାମବାସୀଙ୍କ ନିତି ଦିନିଆ କଥା। ଏକଥା ଶୁଣି କଣ ଭାବୁଛନ୍ତି ? ସତରେ ସ୍ବାଧୀନତାର ୮ ଦଶନ୍ଧି ପରେ ଏକବିଂଶ ଶତାବ୍ଦୀରେ ଏମିତି ଇଲାକା ଅଛି, ଯେଉଁଠି ଚାଲେ ଅନ୍ଧାରର ରାଜୁତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଦେବାନବାହାଳୀ ପଞ୍ଚାୟତ ସୋନାକମସାହି ଗାଁର ଏ ସ୍ଥିତି ସତେ ଯେପରି ଆଜିର ବିକଶିତ ଦୁନିଆକୁ କରୁଛି ପରିହାସ।

ଏହି ଗାଁରେ ପ୍ରାୟ ୩୦ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଛନ୍ତି। କିନ୍ତୁ ଗାଁକୁ ଯିବାକୁ ହେଲେ ହାତରେ ଟର୍ଚ୍ଚ ଆଲୁଅ ଧରି ଯିବାକୁ ପଡ଼ିବ। କୌଣସି ସ୍ଥାନରେ ଲୋକଙ୍କୁ ଏକାଠି ହେବାର ଥିଲେ କରିବାକୁ ପଡ଼େ ଯୁଗାଡ଼, ଗାଡ଼ି ବ୍ୟାଟେରୀ ସଂଯୋଗ ହୁଏ ବଲ୍‌ବ। ନହେଲେ ସମସ୍ତଙ୍କ ହାତରେ ଛୋଟିଆ ଟର୍ଚ୍ଚ। ଏହାକୁ ଛାଡି ଦେଲେ ଆଉ ଚାରି ପାଖରେ କେବଳ ଅନ୍ଧାର ହିଁ ଅନ୍ଧାର। ସେଥିପାଇଁ ତ ସଞ୍ଜ ହେଲେ ଘରେ ତାଟି କବାଟ ମାରି ଦିଅନ୍ତି, ଆଉ ଅନ୍ଧାରରେ ବସି ମିଞ୍ଜି ମିଞ୍ଜି ଆଲୁଅରେ କାଟନ୍ତି ଜୀବନ। କି ବର୍ଷା, କି ଶୀତ, କି ଖରା ସବୁଦିନ ଏହିଭଳି ପରିସ୍ଥିତି। କେବଳ ଯେ ମଣିଷ ତାହା ନୁହେଁ ଗାଈ ଗୋରୁ ମଧ୍ୟ ସେହିଭଳି ଅବସ୍ଥାରେ। ଆଉ କେଉଁଠି ଅନ୍ଧାର ଭୟରେ ନିଜ ଘର ବନ୍ଦ କରି ପଡିଶା ଘରେ ବସି ସମୟ ବିତାଇଥାନ୍ତି ପରିବାର ସଦସ୍ୟ। ଏହା ଆଜିର ଚିତ୍ର ନୁହେଁ ୨୦ ବର୍ଷରୁ ଅଧିକ ହେବ ଏହି ଭଳି ରହୁଛନ୍ତି ଏହି ଅନ୍ଧାରି ମୁଲକ କୁହାଯାଉଥିବା ସୋନାକମସାହିର ଗ୍ରାମବାସୀ।

Also Read: ଦୀର୍ଘ ଦିନର ସମସ୍ୟାର ହେଲା ସମାଧାନ, ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍

ସଞ୍ଜ ହେଲେ ପାଠ ପଢା ବନ୍ଦ। ଯଦିବା କେଉଁ ପିଲା ପାଠ ପଢେ, ତାଙ୍କ ପାଇଁ ଜଳୁଥିବା ଚୁଲିର ନିଆଁ ହିଁ ଭରସା। ଗ୍ରାମବାସୀଙ୍କୁ ରାସନ କାର୍ଡରେ କିରୋସିନି ବି ମିଳୁନାହିଁ। ଯେଉଁଥିପାଇଁ ଡିବିରି ଆଲୁଅ ମଧ୍ୟ ସେମାନଙ୍କ ପାଇଁ ସାତ ସପନ। ଚୁଲି ନିଆଁରେ ଯଦି କେହି ପଢ଼ିପାରିଲା, ନହେଲେ ନାହିଁ। ବିଜୁଳି ଆଲୁଅ ଟିକିଏ ପାଇଁ ବାରମ୍ବାର ସମସ୍ତଙ୍କ ନିକଟରେ ଗ୍ରାମବାସୀ ଗୁହାରି କରିଥିଲେ ସୁଦ୍ଧା କେହି ତାଙ୍କ କଷ୍ଟ ବୁଝୁନଥିବା କହିଛନ୍ତି ଗ୍ରାମବାସୀ।

ଆଉ ଏହି ଗ୍ରାମବାସୀଙ୍କୁ ଦେଖିଲେ ସତରେ ଅନୁଭବ ହୁଏ ଯନ୍ତ୍ରଣା ବିହୀନ ବିକାଶ ଓ ଉନ୍ନତି ଆଶା କରିବା କେବଳ ବୃଥା ସ୍ବପ୍ନ। ଲୋକଙ୍କ ସମସ୍ୟା ବୁଝିବାକୁ ଦାୟିତ୍ବ ନେଇଥିବା ପ୍ରଶାସନ କରୁଛି କଣ ? ନ୍ୟୁଜ ୭ ଡିଜିଟାଲରେ ଏ ଖବର ଦେଖିବା ପରେ ଆମେ ଏତିକି ଆଶା କରିବୁ ପ୍ରଶାସନ ତୁରନ୍ତ କୌଣସି ପଦକ୍ଷେପ ନେବେ।



Source link

Leave A Reply

Your email address will not be published.