Unique Silk Saree : ଦିଆସିଲି ଖୋଳରେ ୫.୫ ମିଟରର ରେଶମୀ ଶାଢ଼ି, ତେଲେଙ୍ଗାନାର ବୁଣାକାର ଦେବୀ ଭ୍ରମରମ୍ବାଙ୍କୁ ଚଢ଼ାଇଲେ ନିଆରା ବସ୍ତ୍ର…
ତେଲେଙ୍ଗାନା: ସାଧାରଣତଃ ଗୋଟିଏ ଶାଢ଼ି ରଖିବାକୁ ଆମକୁ ଆଲମାରୀରେ କିଛି ଯାଗା ଆବଶ୍ୟକ ପଡ଼ିଥାଏ। କିନ୍ତୁ ଆପଣ କଣ କେବେ ଭାବିପାରିବେ ଯେ, ପୂରା ୫.୫ ମିଟର ଲମ୍ବର ଏକ ଶାଢ଼ି ଏକ ଛୋଟ ମାଚିସ୍ ଖୋଳରେ ବି ରହିପାରେ, ହୁଏତ ନା। କିନ୍ତୁ ହଁ, ଏହା ପୂରା ସତ। ତେଲେଙ୍ଗାନାର ସିର୍ସିଲ୍ଲା ଅଞ୍ଚଳର ଜଣେ ପ୍ରଖ୍ୟାତ ହସ୍ତତନ୍ତ ବୁଣାକାର ନଲ୍ଲା ବିଜୟ କୁମାର ନିଜର ଅସାଧାରଣ କଳାକୌଶଳର ପରିଚୟ ଦେଇ ଏହାକୁ ସମ୍ଭବ କରି ଦେଖାଇଛନ୍ତି। ସେ ଏକ ବିରଳ ରେଶମୀ ଶାଢ଼ୀ ପ୍ରସ୍ତୁତ କରି ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଶ୍ରୀଶୈଳମ ମନ୍ଦିରରେ ମା’ ଭ୍ରମରମ୍ବାଙ୍କୁ ସମର୍ପଣ କରିଛନ୍ତି। ଏହି ଶାଢ଼ୀର ସବୁଠୁ ବଡ଼ ବିଶେଷତ୍ୱ ହେଲା, ଏହାର ଲମ୍ବ ୫.୫ ମିଟର ଓ ପ୍ରସ୍ଥ ୪୮ ଇଞ୍ଚ୍ । ତଥାପି ଏହାକୁ ଭାଙ୍ଗି ଏକ ସାଧାରଣ ଦିଆସିଲି ବାକ୍ସ ଭିତରେ ରଖିହେବ।
VIDEO | Andhra Pradesh: Sircilla weaver offers matchbox-sized silk saree to Srisailam deity, showcasing handloom craftsmanship.
(Full video available on PTI Videos – https://t.co/n147TvrpG7) pic.twitter.com/Q6LvyIv5vB
— Press Trust of India (@PTI_News) July 14, 2026
ଜୁଲାଇ ୧୪ରେ ନଲ୍ଲା ବିଜୟ କୁମାର ଏହି ବିରଳ ଶାଢ଼ିକୁ ଶ୍ରୀ ଭ୍ରମରମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ପୋଥୁଗୁଣ୍ଟା ରମେଶ ନାଇଡୁଙ୍କୁ ସମର୍ପଣ କରିଥିଲେ। ଏହି ଅବସରରେ ଟ୍ରଷ୍ଟ ବୋର୍ଡ ସଦସ୍ୟ କୋଡେ କାନ୍ଥିବର୍ଧିନୀ ମଧ୍ୟ ଉପସ୍ଥିତ ଥିଲେ। ଶାଢ଼ୀ ଗ୍ରହଣ କରିବା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ପୋଥୁଗୁଣ୍ଟା ରମେଶ ନାଇଡୁ ବିଜୟ କୁମାରଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ଶାଢ଼ୀ ତେଲେଙ୍ଗାନାର ହସ୍ତତନ୍ତ ଶିଳ୍ପୀମାନଙ୍କ ପ୍ରତିଭାର ଏକ ଅନନ୍ୟ ନିଦର୍ଶନ। ହସ୍ତତନ୍ତ କେବଳ ଜୀବିକାର ମାଧ୍ୟମ ନୁହେଁ, ଏହା ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା ଏକ ସମୃଦ୍ଧ ପାରମ୍ପରିକ କଳା।
କଳାରତ୍ନ ପୁରସ୍କାରରେ ସମ୍ମାନିତ ନଲ୍ଲା ବିଜୟ କୁମାର କହିଛନ୍ତି ଯେ, ସେ ତାଙ୍କ ପରିବାର ସଦସ୍ୟମାନଙ୍କ ସହଯୋଗରେ ପ୍ରାୟ ଏକ ସପ୍ତାହ ଧରି ତନ୍ତରେ ଏହି ଶାଢ଼ିକୁ ବୁଣିଥିଲେ। ପାରମ୍ପରିକ ଇକ୍କତ୍ ଶୈଳୀରେ ପ୍ରସ୍ତୁତ ଏହି ରେଶମୀ ଶାଢ଼ୀର ଓଜନ ମାତ୍ର ପ୍ରାୟ ୨୦୦ ଗ୍ରାମ। ଅତ୍ୟନ୍ତ ସୂକ୍ଷ୍ମ ବୁଣା କୌଶଳ ଯୋଗୁଁ ଏହାକୁ ଭାଙ୍ଗି ଏକ ଛୋଟ ଦିଆସିଲି ବାକ୍ସ ଭିତରେ ସହଜରେ ରଖାଯାଇପାରେ। ବିଜୟ କୁମାର ଆହୁରି କହିଛନ୍ତି, ଏହି ଅଦ୍ଭୁତ କଳାକୃତି ସୃଷ୍ଟି କରିବା ପଛରେ ମା’ ଭ୍ରମରାମ୍ବାଙ୍କର ଆଶୀର୍ବାଦ ରହିଛି।
Also Read- ରାମ ମନ୍ଦିରଦାନ ଚୋରିମାମଲା, ଏସଆଇଟି ଜାଲରେ ଟିନ୍ନୁ ଯାଦବଙ୍କ ସହଯୋଗୀ, ୧୫ ହଜାର ବେତନରେ କିଣିଛନ୍ତି ୨୦ ସମ୍ପତ୍ତି
ଦିଆସିଲି ବାକ୍ସରେ ଫିଟ୍ ହେଉଥିବା ଏହି ୫.୫ ମିଟରର ରେଶମୀ ଶାଢ଼ୀ ବର୍ତ୍ତମାନ ହସ୍ତତନ୍ତ କଳାର ଏକ ଅଦ୍ୱିତୀୟ ନମୁନା ଭାବେ ଚର୍ଚ୍ଚାରେ ରହିଛି। ଏହା କେବଳ ଜଣେ ବୁଣାକାରଙ୍କ ସଫଳତା ନୁହେଁ, ବରଂ ଭାରତୀୟ ହସ୍ତତନ୍ତ ପରମ୍ପରାର ଗୌରବ ଓ କଳାକୌଶଳର ଏକ ଉଜ୍ଜ୍ୱଳ ପ୍ରତୀକ ବୋଲି କୁହାଯାଉଛି ।
