Voice of Eastern India

Thai Maman Gold Ring Scheme: ଏବେ ପିଲା ଜନ୍ମ କଲେ ମିଳିବ ସୁନା ମୁଦି: ଏହି ତାରିଖରୁ ନୂଆ ଯୋଜନା ଆରମ୍ଭ କରିବେ ସରକାର


ନୂଆଦିଲ୍ଲୀ: ଏବେ ପିଲା ଜନ୍ମ କଲେ ମିଳିବ ସୁନା ମୁଦି। ଏହି ଯୋଜନା କେବଳ ଗୋଟିଏ ପିଲା ପାଇଁ ନୁହେଁ, ପ୍ରତ୍ୟେକ ପିଲା ଜନ୍ମ ଉପରେ ସୁନା ମୁଦି ଦେବେ ସରକାର। ଏହି ଯୋଜନା କେନ୍ଦ୍ର ସରକାର କିମ୍ବା ଓଡ଼ିଶା ସରକାରଙ୍କର ନୁହେଁ, ବରଂ ଏହ ଯୋଜନା ଆଣିବାକୁ ଯାଉଛନ୍ତି ତାମିଲନାଡୁ ସରକାର। ତାମିଲନାଡୁ ସରକାରୀ ହସ୍ପିଟାଲରେ ଜନ୍ମ ନେଉଥିବା ପ୍ରତ୍ୟେକ ଶିଶୁଙ୍କୁ ୧ ଗ୍ରାମର ସୁନା ମୁଦି ପ୍ରଦାନ କରିବା ପାଇଁ ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି ତାମିଲନାଡୁର ବିଜୟ ଥାଲାପତି ସରକାର। କଲ୍ୟାଣକାରୀ ସେବା ଏବଂ ସାଂସ୍କୃତିକ ପରମ୍ପରାର ମିଶ୍ରଣରେ ଏହି ପଦକ୍ଷେପ ନିଆଯାଇଛି।

ଏହି ଯୋଜନାର ନାଁ ‘ଥାଇ ମାମାନ ଗୋଲ୍ଡ ରିଙ୍ଗ୍ ସ୍କିମ୍’ (Thai Maman Gold Ring Scheme) ରଖାଯାଇଛି। ଯୋଜନାକୁ ଅନୁମୋଦନ ମିଳିସାରିଥିବା ବେଳେ ଏଥିପାଇଁ ବାର୍ଷିକ ପ୍ରାୟ ୭୫୫.୮୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କାର୍ଯ୍ୟକାରୀ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ବିଳମ୍ବ ନ କରି ଆରମ୍ଭ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ସରକାର।

ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜନ୍ମଦିନ ସହିତ ସମନ୍ୱୟ ରକ୍ଷା କରି, ୨୨ ଜୁନ୍ ୨୦୨୬ରୁ ସରକାରୀ ହସ୍ପିଟାଲରେ ଜନ୍ମ ନେଉଥିବା ଶିଶୁମାନଙ୍କ ପାଇଁ ଏହି ସୁବିଧା ଲାଗୁ ହେବ। ଏହି କାର୍ଯ୍ୟକ୍ରମଟି ଆନୁଷ୍ଠାନିକ ଭାବେ ୧୫ ସେପ୍ଟେମ୍ବର ୨୦୨୬ରେ ପେରାରିଜ୍ଞାର ଆନ୍ନା (Perarignar Anna) ଙ୍କ ଜନ୍ମବାର୍ଷିକୀ ଅବସରରେ ଶୁଭାରମ୍ଭ କରାଯିବ।

ତାମିଲ ସଂସ୍କୃତିର “ଥାଇ ମାମାନ ସୀର” (Thai Maman Seer) ପରମ୍ପରାରୁ ପ୍ରେରଣା ନେଇ ଏହି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତାମିଲ ପରମ୍ପରାରେ ମାମୁଁ ନବଜାତ ଶିଶୁକୁ ଉପହାର ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ପ୍ରତୀକାତ୍ମକ ଭାବେ ସେହି ଭୂମିକା ଗ୍ରହଣ କରି(ପିଲାଙ୍କର ମାମୁଁ ହେଇ) ଶିଶୁଙ୍କ ପ୍ରତି ସ୍ନେହ ଏବଂ ସ୍ୱାଗତ ସ୍ୱରୂପ ୧ ଗ୍ରାମର ସୁନା ମୁଦି ପ୍ରଦାନ କରିବେ।

ଏହି ପଦକ୍ଷେପ କେବଳ ଏକ କଲ୍ୟାଣକାରୀ ଯୋଜନା ନୁହେଁ, ବରଂ ତାମିଲ ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇବା ଏବଂ ନବଜାତ ଶିଶୁ ଓ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି। ତେବେ ଜନସଂଖ୍ୟା ବୃଦ୍ଧି କରିବାରେ ଏହି ପଦକ୍ଷେପ ମଧ୍ୟ ସହାୟ ହୋଇପାରେ।

‘ଥାଇ ମାମାନ ଗୋଲ୍ଡ ରିଙ୍ଗ୍ ସ୍କିମ୍’ ପୂର୍ବରୁ ‘ତାମିଲଗା ଭେଟ୍ରି କାଝାଗମ୍’ (Tamilaga Vettri Kazhagam) ର ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରେ ସାମିଲ ଥିଲା ଏବଂ ସରକାରଙ୍କ ‘ଭେଟ୍ରି ତାମିଝାଗମ୍ ଭିଜନ୍ ଡକ୍ୟୁମେଣ୍ଟ’ରେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଇଥିଲା।

ତାମିଲନାଡୁରେ ରାଜନୈତିକ ଦଳମାନେ ପୂର୍ବରୁ ନେତାମାନଙ୍କ ଜନ୍ମଦିନରେ ସରକାରୀ ହସ୍ପିଟାଲରେ ସୁନା ମୁଦି ବାଣ୍ଟି ଆସୁଥିଲେ ମଧ୍ୟ, ସରକାରୀ ଭାବେ ଏହାକୁ ଏକ ରାଜ୍ୟ କଲ୍ୟାଣକାରୀ ଯୋଜନା ଭାବେ ଗ୍ରହଣ କରାଯିବାର ଏହା ହେଉଛି ପ୍ରଥମ ଘଟଣା।



Source link

Leave A Reply

Your email address will not be published.