Voice of Eastern India

“RTI କର୍ମୀ ହେବା ଏକ ନୂଆ ବ୍ୟବସାୟ ପାଲଟିଛି…”, ଅଭିଯୁକ୍ତଙ୍କୁ ଅଗ୍ରୀମ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଆରଟିଆଇ ଆକ୍ଟିଭିଜିମି ଉପରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟରେ ସରକାରୀ କର୍ମଚାରୀଙ୍କୁ ବାଧା ଦେଇଥିବା ଅଭିଯୋଗରେ ଜଣେ ଆରଟିଆଇ କର୍ମୀ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଏହା ସହ ସୁପ୍ରିମକୋର୍ଟ କହିଛନ୍ତି ଯେ ସୂଚନା ଅଧିକାର କର୍ମୀ (RTI) ହେବା ଏକ ନୂଆ ବ୍ୟବସାୟ ପାଲଟିଛି ।

ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଆରଟିଆଇ କର୍ମୀ ରାକେଶ କୁମାର ବହଲ୍ ଏବଂ ତାଙ୍କ ସହଯୋଗୀଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି । ଏହା ସହ କେଉଁ ଅଧିକାରରରେ ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

ଜଷ୍ଟିସ୍ ମେହେଟ୍ଟା କହିଛନ୍ତି, “ଆରଟିଆଇ କର୍ମୀ ହେବା ଏକ ନୂଆ ବ୍ୟବସାୟ ପାଲଟିଛି । କେନ୍ଦ୍ର ସରକାର ପାଣ୍ଠି ଜାରି କରିଛନ୍ତି, ସେମାନେ ରାସ୍ତା ନିର୍ମାଣର ଯତ୍ନ ନେବେ । ଆପଣ କିଏ ? ନିଜକୁ ଆରଟିଆଇ କର୍ମୀ ବୋଲାଉଛନ୍ତି ! ଏହା ହେଉଛି ବ୍ଲାକମେଲ୍ କିମ୍ବା ମିଛ ସାମ୍ବାଦିକତା ।”

ଜଷ୍ଟିସ୍ ମେହେଟ୍ଟାଙ୍କ ସହ ସହମତି ପ୍ରକାଶ କରି ଜଷ୍ଟିସ୍ ବିଷ୍ଣୋଇ କହିଥିଲେ, “ଏହି ସବୁ ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବାକୁ ଆପଣ କିଏ ? ଆପଣ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ କି ?” ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଅଗ୍ରମୀ ଜାମିନ ଅବେଦନ ମନା କରିବା ପରେ ବେହଲ୍ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ବହଲଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ସେମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ଚାଲିଥିବା ଦୁର୍ନୀତିକୁ ସାମ୍ନାକୁ ଆଣୁଥିଲେ । ଏହି ମାମଲାରେ ମିଛରେ ଫସାଇ ଦିଆଯାଇଛି ।

ଏଫଆଇଆର ଅନୁଯାୟୀ, ବେହଲ୍ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ରାଜୀବ କୁମାର ଓରଫ୍ ମିଣ୍ଟୁ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ବଟାଲାରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ । ଏଥିସହ ଯେଉଁ ଅଧିକାରୀଙ୍କ ତତ୍ତ୍ୱାବଧାନରେ କାମ ଚାଲିଥିଲା ତାଙ୍କୁ ଓ ସେଠାରେ ଥିବା ଶ୍ରମିକମାନଙ୍କୁ ଭୟଭୀତ କରାଇଥିଲେ । ସେମାନେ ଶ୍ରମିକମାନଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ । ସେମାନଙ୍କ ବିରୁଦ୍ଧରେ ବିଏନଏସର ବିଭିନ୍ନ ଧାରା ଏବଂ ଏସସି/ଏସଟି ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି ।



Source link

Leave A Reply

Your email address will not be published.