ନୂଆଦିଲ୍ଲୀ: ସ୍ତ୍ରୀ ଏବଂ ୩ ନାବାଳକ ପୁଅଙ୍କୁ ନିଷ୍ଠୁର ଭାବେ ହତ୍ୟା କରିଥିବା ମାମଲାରେ ଉତ୍ତର ପ୍ରଦେଶର କୁଶୀନଗର କୋର୍ଟ ଅଭିଯୁକ୍ତ ଜିତେନ୍ଦ୍ର କୁଶୱାହା (୩୫) ଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହି ଜଘନ୍ୟ କାଣ୍ଡକୁ ଆଦାଲତ ‘ବିରଳରୁ ବିରଳତମ’ (Rarest of Rare) ଶ୍ରେଣୀଭୁକ୍ତ କରି ଏହି ଚୂଡ଼ାନ୍ତ ଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପରମେଶ୍ୱର ପ୍ରସାଦ ଅଭିଯୁକ୍ତ ଜିତେନ୍ଦ୍ରକୁ ନିଜ ସ୍ତ୍ରୀ ଲୀଳାବତୀ (୩୧) ଏବଂ ତାଙ୍କର ୩ ପୁଅ—ଆକାଶ (୮), ବିକାଶ (୬) ଓ ରିଙ୍କୁ (୪) ଙ୍କୁ ହତ୍ୟା କରିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମୃତ୍ୟୁଦଣ୍ଡ ସହିତ ଅଦାଲତ ଅଭିଯୁକ୍ତ ଉପରେ ୨.୦୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ହୃଦୟବିଦାରକ ଘଟଣା ୨୦୨୧ ଅଗଷ୍ଟ ୨୫ ତାରିଖ ରାତିରେ କାସିଆ ଥାନା ଅନ୍ତର୍ଗତ କୁଡ଼ୱା ଦିଲୀପ ନଗର ଗ୍ରାମର ଗୁରମିୟା ଗୋପାଳ ଟୋଲାରେ ଘଟିଥିଲା। କୁଶୀନଗର ଆରକ୍ଷୀ ଅଧୀକ୍ଷକ (SP) କେଶବ କୁମାରଙ୍କ କହିବା ଅନୁସାରେ, ଅଭିଯୁକ୍ତ ଜିତେନ୍ଦ୍ର ମଦ ପିଇବା ପାଇଁ ସ୍ତ୍ରୀ ଲୀଳାବତୀଙ୍କଠାରୁ ଟଙ୍କା ମାଗିଥିଲା। ସ୍ତ୍ରୀ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ଜିତେନ୍ଦ୍ର ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଶୋଇଥିବା ସ୍ତ୍ରୀ ଓ ୩ ନିରୀହ ସନ୍ତାନଙ୍କ ଗଳା କାଟି ହତ୍ୟା କରିଥିଲା।
ହତ୍ୟାକାଣ୍ଡ ଭିଆଇବା ପରେ ଜିତେନ୍ଦ୍ର ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା। ପରଦିନ ସକାଳେ ଲୀଳାବତୀଙ୍କ ବାପା ରାମଜୀତ କୁଶୱାହା ଖବର ପାଇ ପୋଲିସକୁ ଜଣାଇଥିଲେ। ପୋଲିସ କବାଟ ଭାଙ୍ଗି ୪ ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ଜିତେନ୍ଦ୍ରକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭୁର୍ତ୍ତି କରିଥିଲା। ସୁସ୍ଥ ହେବା ପରେ ତାକୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା।
ମାମଲାରେ ଅଭିଯୁକ୍ତର ବାପା ଓ ଭାଇଙ୍କ ସମେତ ୧୨ ଜଣ ସାକ୍ଷୀଙ୍କ ବୟାନ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ସେମାନେ କୋର୍ଟକୁ ଜଣାଇଥିଲେ ଯେ, ଜିତେନ୍ଦ୍ରର ମଦ୍ୟପାନ ଅଭ୍ୟାସକୁ ନେଇ ପରିବାରରେ ବିବାଦ ଲାଗିରହୁଥିଲା। ସେ ପୂର୍ବରୁ ନିଜର ବୃଦ୍ଧ ବାପା-ମା’ଙ୍କୁ ମଧ୍ୟ ମାଡ଼ପିଟ୍ କରି ଅଲଗା ରହୁଥିଲା। ଘରୋଇ ହିଂସା ଅଭିଯୋଗ ଯୋଗୁଁ ଜିତେନ୍ଦ୍ରର ପ୍ରଥମ ସ୍ତ୍ରୀ ତାକୁ ଛାଡ଼ପତ୍ର ଦେଇଥିଲେ। ପରେ ସେ ଲୀଳାବତୀଙ୍କୁ ବିବାହ କରିଥିଲା ।
ଦେଓରିଆ ଜିଲ୍ଲା ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ରିପୋର୍ଟ ଅନୁସାରେ, ଜିତେନ୍ଦ୍ର ୨୦୨୧ ଅଗଷ୍ଟ ୩୧ ରୁ ଜେଲରେ ବନ୍ଦୀ ଅଛି ଏବଂ ଜେଲରେ ଜଣେ ରାଜମିସ୍ତ୍ରୀ ଭାବରେ କାମ କରିବା ସହ ତାର ଆଚରଣ ସାଧାରଣ ରହିଥିଲା। ମାମଲାର ଶୁଣାଣି କରି ଜଜ୍ କହିଛନ୍ତି ଯେ, ଅଭିଯୁକ୍ତ ନିଜ ଘରେ ପନିପରିବା କାଟିବା ପନିକି/ଛୁରୀ ସାହାଯ୍ୟରେ ଶୋଇଥିବା ଅବସ୍ଥାରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟାଇଛି। ମୃତକଙ୍କ ମଧ୍ୟରେ ୮, ୬ ଏବଂ ୪ ବର୍ଷର ୩ ଜଣ ଅସହାୟ ଶିଶୁ ଥିଲେ, ଯେଉଁମାନେ ସୁରକ୍ଷା ପାଇଁ ନିଜ ବାପା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ଘଟଣାର ଗୋଟିଏ ଦିନ ପୂର୍ବରୁ ସେ ନିଜ ଶାଶୂଘରୁ ସ୍ତ୍ରୀ-ପିଲାଙ୍କୁ ଘରକୁ ଆଣିଥିବାରୁ ଏହା ଏକ ପୂର୍ବପ୍ରସ୍ତୁତ ଚକ୍ରାନ୍ତ ଭଳି ଜଣାପଡ଼ୁଛି। ଅପରାଧର ଭୟାବହତା ଓ ନିଷ୍ଠୁରତାକୁ ଦୃଷ୍ଟିରେ ରଖି ଆଜୀବନ କାରାଦଣ୍ଡ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ କୋର୍ଟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।
