Voice of Eastern India

Ramayan : ୫୦ ଭାଷା, ୫୯ ହଜାର ସ୍କ୍ରିନ୍… ରାମାୟଣକୁ ମିଳିବ ସବୁଠୁ ବଡ ଗ୍ଲୋବାଲ ରିଲିଜ !


ନୂଆଦିଲ୍ଲୀ ୦୮।୦୮: ଆସନ୍ତା ଦୀପାବଳିରେ ଥିଏଟରକୁ ଆସିବ ନୀତେଶ ତିୱାରୀଙ୍କ ‘ରାମାୟଣ: ଭାଗ-୧’ । ନିର୍ମାତା ବ୍ୟାପକ ସ୍ତରରେ ଫିଲ୍ମର ରିଲିଜ୍ ଯୋଜନା କରୁଛନ୍ତି, ଯାହା ଭାରତୀୟ ସିନେମା ପାଇଁ ପ୍ରଥମ ହେବ । ବିଶ୍ୱର ୫୯ ହଜାରରୁ ଅଧିକ ଥିଏଟରରେ ଫିଲ୍ମ ରିଲିଜ୍ ଯୋଜନା ହେଉଛି । ଏହା ସଫଳ ହେଲେ, ଭାରତୀୟ ଫିଲ୍ମ ଜଗତରେ ‘ରାମାୟଣ’ ସବୁଠୁ ବଡ଼ ରିଲିଜ୍ ହେବ । ସୋନି ପିକ୍ଚର୍ସ ଏହାର ଅନ୍ତର୍ଜାତୀୟ ବିତରଣ ଦାୟିତ୍ୱ ନେଇଛି ।

ଭାରତ ବାହାରେ ୫୦ ହଜାରରୁ ଅଧିକ ପରଦାରେ ଫିଲ୍ମ ରିଲିଜ୍ର ଏହା ଯୋଜନା କରୁଛି । ଘରୋଇ ୯ ହଜାର ପରଦାକୁ ମିଶାଇ ୫୯ ହଜାରରୁ ଅଧିକ ପରଦାରେ ଫିଲ୍ମ ମୁକ୍ତିଲାଭ କରିବ । ତେବେ ନିର୍ମାତା ଏ ବିଷୟରେ ଅଦ୍ୟାବଧି ଘୋଷଣା କରିନାହାନ୍ତି । ଏହା ପୂର୍ବରୁ କିଛି ବିଗ୍ ବଜେଟ୍ ଭାରତୀୟ ସିନେମା ଓପନିଂ ଡେ ସ୍କ୍ରିନିଂକୁ ନେଇ ଚର୍ଚ୍ଚାରେ ଥିଲେ । ‘ପୁଷ୍ପା-୨’ ବିଶ୍ୱରେ ପ୍ରାୟ ୧୩ ହଜାର ପରଦାରେ ମୁକ୍ତିଲାଭ କରିଥିଲା । ରାଜାମୌଲୀଙ୍କ ‘ଆର୍ଆର୍ଆର୍’ ପ୍ରାୟ ୧୧ ହଜାର ପରଦାରେ ରିଲିଜ୍ ହୋଇଥିଲା । ଅଧିକାଂଶ ବଡ଼ ବଜେଟ୍ ଭାରତୀୟ ଫିଲ୍ମ ଏହାଠୁ ଅଧିକ ପରଦାରେ ମୁକ୍ତିଲାଭ କରିନାହିଁ ।

ସେହି ଦୃଷ୍ଟିରୁ ରାମାୟଣ ଯଦି ୫୯ ହଜାର ସ୍କ୍ରିନ୍ରେ ମୁକ୍ତିଲାଭ କରେ, ଭାରତୀୟ ସିନେମା ପାଇଁ ଐତିହାସିକ ଉପଲବ୍ଧି ହେବ । ଫିଲ୍ମ ପ୍ରାୟ ୫୦ ଭାଷାରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ନମିତ ମଲହୋତ୍ରା ପୂର୍ବରୁ କହିଥିଲେ । ବ୍ୟାପକ ସ୍କ୍ରିନିଂକୁ ଦେଖି ଏହାକୁ ହଲିଉଡ୍ ସହ ତୁଳନା କରାଯାଉଛି । ଜେମ୍ସ କ୍ୟାମରୁନଙ୍କ ଫିଲ୍ମ ‘ଅବତାର: ଦ ୱେ ଅଫ୍ ୱାଟର’ ବିଶ୍ୱର ପ୍ରାୟ ୫୨ ହଜାର ପରଦାରେ ମୁକ୍ତିଲାଭ କରିଥିଲା ।



Source link

Leave A Reply

Your email address will not be published.