Voice of Eastern India

NCP ମୁଖ୍ୟ ଶରଦ ପାୱାର ହସ୍ପିଟାଲରେ ଭର୍ତ୍ତି, ଆସିଲା ସ୍ୱାସ୍ଥ୍ୟ ଅପଡେଟ୍


ପୁଣେ: ଏନସିପି(ଶରଦ ଚନ୍ଦ୍ର) ନେତା ଶରଦ ପାୱାରଙ୍କୁ ସୋମବାର ପୁଣେସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲଗାତାର କାଶ ହେବା ଯୋଗୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପୁଣେର ରୁବି ହଲ କ୍ଲିନିକକୁ ନିଆଯାଇଥିଲା। ସେଠାରେ ଏବେ ତାଙ୍କର ରୁଟିନ ମେଡିକାଲ ଚେକଅପ କରାଯାଉଛି ଓ ତାଙ୍କୁ ଡାକ୍ତରଙ୍କ ଦେଖରେଖରେ ରଖା ଯାଇଛି। ରୁବି ହଲ କ୍ଲିନିକ୍ ପକ୍ଷରୁ ଜାରି ଏକ ଅଧିକାରୀକ ବୟାନରେ ହସ୍ପିଟାଲର ମୁଖ୍ୟ ହୃଦରୋଗ ବିଶେଷଜ୍ଞ ଡା. ପରଭେଜ କେ.ଗ୍ରାଣ୍ଟ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି।

ଡା. ଗ୍ରାଣ୍ଟ କହିଛନ୍ତି ଯେ ଛାତିରେ ଯନ୍ତ୍ରଣା ଅଭିଯୋଗ ପରେ ଶରଦ ପାୱାରଙ୍କୁ ରୁବି ହଲ କ୍ଲିନିକ ରେ ସ୍ୱଭାବିକ ସ୍ୱାସ୍ଥ୍ୟ ଯାଞ୍ଚ ଓ ଡାକ୍ତରୀ ଦେଖ ରେଖ ନିମନ୍ତେ ଆଡମିଟ୍ କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଛି ଓ ତାଙ୍କୁ ଲଗାତାର ଡାକ୍ତରଙ୍କ ଦେଖରେଖରେ ରଖା ଯିବ। ଶରଦ ପାୱାରଙ୍କ ଝିଅ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କ ପିତାଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପାରାମିଟର ସ୍ୱଭାବିକ ଓ ସ୍ଥିର ଥିବା ଉଲ୍ଲେଖ କରିଛନ୍ତି।

ସୁପ୍ରିୟା ସୁଲେ ଉଲ୍ଲେଖ କରିଛନ୍ତି ଯେ ବାବାଙ୍କୁ କାଶ ହେବା ଯୋଗୁ ରୁବି ହଲ କ୍ଲିନିକ୍ କୁ ନିଆଯାଇଥିଲା। ତାଙ୍କର ବିଭିନ୍ନ ଡାକ୍ତରୀ ପରୀକ୍ଷଣ କରାଯାଉଛି ଓ ଗୁରୁତ୍ୱପୂର୍ଣ୍ଣ ପାରାମିଟର ସ୍ୱଭାବିକ ଓ ସ୍ଥିର ରହିଛି। ସେହିପରି ପାର୍ଟି ପ୍ରତିନିଧି ଓ ଚିକିତ୍ସା ଅଧିକାରୀମାନେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଶାନ୍ତ ରହିବାକୁ ଓ କୌଣସି ଗୁଜବ ଉପରେ ଧ୍ୟାନ ନ ଦେବାକୁ କହିଛନ୍ତି। ଡାକ୍ତରଙ୍କ ଦେଖରେଖରେ ପର୍ଯ୍ୟାପ୍ତ ଆରାମ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ ବୋଲି କୁହାଯାଇଛି।

ଏହା ପୂର୍ବରୁ ନଭେମ୍ବର ୧ ତାରିଖ ଦିନ ଶରଦ ପାୱାର ସୋଲାପୁର ଜିଲ୍ଲାର ମରୁଡି ପ୍ରଭାବିତ ଅଞ୍ଚଳ ଗସ୍ତରେ ଯାଇଥିଲେ। ସେଠାରେ ସେ ବାସ୍ତବିକତା ସମୀକ୍ଷା କରିବା ସହ ମରୁଡି ଯୋଗୁ ଫସଲ ହାନୀର ଆକଳନ କରିଛନ୍ତି ଓ ପ୍ରଭାବିତ ଚାଷୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଏହି ଅବସରରେ ସେ ଅତ୍ୟନ୍ତ ମରୁଡି କ୍ଲିଷ୍ଟ ମାଢା ତାଲୁକାର ତୁଲସୀ ଗାଁଓ ଗସ୍ତ କରିବା ସହ ସେଠାରେ ଜଳାଭାବ ଭୋଗୁଥିବା ଲୋକଙ୍କ ଲାଗି ୫୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ। ମହାରାଷ୍ଟ୍ରରେ ଦେଖା ଦେଇଥିବା ମରୁଡି ପାଇଁ ତାଙ୍କ ପରିବାର ଆଗାମୀ ଦୀପାବଳି ଉତ୍ସବ ପାଳନ କରିବ ନାହିଁ ବୋଲି ଶରଦ ପାୱାର କହିଥିଲେ।



Source link

Leave A Reply

Your email address will not be published.