ମୁମ୍ଵାଇ ୧୫।୦୭; ଟିଭିର ଚର୍ଚ୍ଚିତ ରିଆଲିଟି ଶୋ’ଲକଅପ ୨ ଏବେ ପୁଣି ଥରେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଶୋ’ ଭିତରେ ଥିବା ପ୍ରତିଯୋଗୀଙ୍କ ମଧ୍ୟରେ ମତଭେଦ, ତର୍କ ଓ ବିବାଦ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରୁଛି । ଏବେ ଏହି ବିବାଦର ଚର୍ଚ୍ଚାରେ ଆସିଛନ୍ତି ଅଭିନେତ୍ରୀ ଶିଳ୍ପା ଶିନ୍ଦେ ଓ ଶିବାଙ୍ଗୀ ଯୋଶୀ। ଶୋ’ର ଏକ ଏପିସୋଡରେ ଶିଳ୍ପା ଶିନ୍ଦେ ଶିବାଙ୍ଗୀ ଯୋଶୀଙ୍କ ବ୍ୟକ୍ତିଗତ ଜୀବନ ଓ ସମ୍ପର୍କକୁ ନେଇ କିଛି ଟିପ୍ପଣୀ କରିଥିବା ଦେଖାଯାଇଥିଲା । ଏହା ପରେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଅନେକ ଦର୍ଶକ ଏହାକୁ ନେଇ ନିଜ ମତ ରଖିଛନ୍ତି । କୁହାଯାଉଛି ଯେ, ଶୋ’ରେ ଶିଳ୍ପା ଶିନ୍ଦେ ଓ ଅନ୍ୟ ଜଣେ ପ୍ରତିଯୋଗୀ ଶିବାଙ୍ଗୀଙ୍କୁ ନେଇ ଆଲୋଚନା କରୁଥିଲେ । ସେହି ସମୟରେ ଶିବାଙ୍ଗୀଙ୍କ ସମ୍ପର୍କ, ବିବାହ ଓ ବ୍ୟକ୍ତିଗତ ପସନ୍ଦକୁ ନେଇ ମନ୍ତବ୍ୟ ଦିଆଯାଇଥିଲା । ଏହାକୁ ନେଇ କିଛି ଦର୍ଶକ ଆପତ୍ତି ଉଠାଇଛନ୍ତି ।ଏହା ପୂର୍ବରୁ ମଧ୍ୟ ଶୋ’ରେ ଶିବାଙ୍ଗୀ ଓ ଶିଳ୍ପାଙ୍କ ମଧ୍ୟରେ ମତଭେଦ ଦେଖାଯାଇଥିଲା। ଏକ ଟାସ୍କ ସମୟରେ ଶିଳ୍ପାଙ୍କ ନିର୍ଦ୍ଦେଶକୁ ନେଇ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିଥିବା ଚର୍ଚ୍ଚା ହୋଇଥିଲା ।
ଶିବାଙ୍ଗୀଙ୍କ ଭଉଣୀ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଥିବା ଖବର ଆସିଛି । ଅନ୍ୟପଟେ, ଶିବାଙ୍ଗୀ ଯୋଶୀ ଓ ଅଭିନେତା କୁଶାଲ ଟଣ୍ଡନଙ୍କ ସମ୍ପର୍କକୁ ନେଇ ମଧ୍ୟ ଶୋ’ ଭିତରେ ଆଲୋଚନା ହୋଇଛି । ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ମଧ୍ୟ ମିଡିଆରେ ଖବର ଚର୍ଚ୍ଚା ହୋଇଥିଲା । ତେବେ ଲକ୍ ଅପ୍ ୨ରେ ଏହି ବିବାଦ କେଉଁ ମୋଡ଼ ନେବ, ଏବଂ ଆଗାମୀ ଏପିସୋଡରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ସମ୍ପର୍କ କିପରି ବଦଳିବ, ତା’ ଉପରେ ଏବେ ସମସ୍ତଙ୍କ ନଜର ।
