Voice of Eastern India

Innobox: ୧୮ ବର୍ଷୀୟ ଛାତ୍ରଙ୍କ କମାଲ, ତିଆରି କଲେ ଏଆଇ ଡିଭାଇସ୍‌; କେମିତି କରିବ କାମ ?


ରାଞ୍ଚି: ଝାଡ଼ଖଣ୍ଡର ଜଣେ ୧୮ ବର୍ଷର ଯୁବକ ଗ୍ରାମାଞ୍ଚଳରେ ହାତୀ ଏବଂ ମଣିଷ ମଧ୍ୟରେ ହେଉଥିବା ସଂଘର୍ଷକୁ ରୋକିବା ପାଇଁ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆଧାରିତ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି। ରାଜ୍ୟ ବନ ବିଭାଗ ପାଇଁ ଏହି ଡିଭାଇସ୍ ପ୍ରସ୍ତୁତ କରାଯାଇଥିବା ନେଇ ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହି ଡିଭାଇସର ପରୀକ୍ଷଣ ପାଲାମାଉ ଟାଇଗର୍ ରିଜର୍ଭରେ ଚାଲିଛି ଏବଂ ଆସନ୍ତା ଅଗଷ୍ଟ ମାସରେ ରାଞ୍ଚି ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହାର ବ୍ୟବହାର କରାଯିବାକୁ ଯୋଜନା କରାଯାଉଛି। ରାଞ୍ଚିର ଏକ ସ୍କୁଲରୁ ନିକଟରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାସ୍ କରିଥିବା ଅଭି ମୋହନ କୁମାର ଶୁକ୍ଲା କହିଛନ୍ତି ଯେ, ସେ ଗତ ତିନି ମାସ ହେବ ଏହି ପ୍ରୋଜେକ୍ଟ ଉପରେ କାମ କରୁଥିଲେ।

‘ଇନୋବକ୍ସ’ (Innobox) ର ବୈଶିଷ୍ଟ୍ୟ

ଏହି ଡିଭାଇସର ନାମ ‘ଇନୋବକ୍ସ’ ରଖାଯାଇଛି। ଏହା ଏକ ସୌରଶକ୍ତି ଚାଳିତ AI ଡିଭାଇସ୍। ଏଥିରେ ସିସମିକ୍ ସେନ୍ସର , ରାଡାର ଏବଂ ଏକ AI କ୍ୟାମେରା ବ୍ୟବହାର କରାଯାଇଛି, ଯାହା ଚାଷଜମିକୁ ହାତୀ ଏବଂ ଅନ୍ୟାନ୍ୟ ପଶୁଙ୍କ ପ୍ରବେଶକୁ ରୋକିବ। ଏହା ୮୦-୮୫% ସଠିକତା ସହ ପଶୁମାନଙ୍କୁ ଚିହ୍ନଟ କରିପାରିବ ବୋଲି ଅଭି କହିଛନ୍ତି। ଝାଡ଼ଖଣ୍ଡ ବନ ବିଭାଗ ପାଇଁ ଦଶନ୍ଧି ଦଶନ୍ଧି ଧରି ହାତୀ-ମଣିଷ ସଂଘର୍ଷ ଏକ ବଡ଼ ଚିନ୍ତାର ବିଷୟ ହୋଇ ରହିଛି। ସରକାରୀ ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷଠାରୁ ବର୍ତ୍ତମାନ ସୁଦ୍ଧା ଝାଡ଼ଖଣ୍ଡରେ ହାତୀ ଆକ୍ରମଣରେ ପ୍ରାୟ ୪୭୪ ଜଣ ଲୋକ ପ୍ରାଣ ହରାଇଛନ୍ତି।

ରାଞ୍ଚିର ଜଣେ ବ୍ୟବସାୟୀ ଆଶିଷ କୁମାର ଶୁକ୍ଲାଙ୍କ ପୁଅ ଅଭି ଏହି ଡିଭାଇସ୍‌ର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିବା ପରେ ବନ ବିଭାଗ ଏହି ପ୍ରୋଜେକ୍ଟ ପାଇଁ ପାଣ୍ଠି ଯୋଗାଇ ଦେଇଛି। ଝାଡ଼ଖଣ୍ଡର ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ରବି ରଞ୍ଜନ କହିଛନ୍ତି, ‘ସୋସିଆଲ ମିଡିଆରେ ଅଭିଙ୍କ ବିଷୟରେ ଜାଣିବା ପରେ ମୁଁ ତାଙ୍କୁ ଡାକିଥିଲି ଏବଂ ତାଙ୍କ ପ୍ରେଜେଣ୍ଟେସନ୍ ଦେଖିଥିଲି। ବନ ବିଭାଗ ଏଭଳି ୧୦ଟି ଆଧୁନିକ AI ଡିଭାଇସ୍ ପ୍ରସ୍ତୁତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଦେଇଛି।’

ପାରମ୍ପରିକ ଡିଭାଇସ୍‌ଠାରୁ କେମିତି ଅଲଗା ?

ଅଭିଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ବଜାରରେ ଥିବା ହାତୀ ଘଉଡ଼ାଇବା ଡିଭାଇସ୍ ଗୁଡ଼ିକରେ ମୋସନ ସେନ୍ସର ସହ ସାଇରନ୍ ଥାଏ। ସେଗୁଡ଼ିକ ସାମ୍ନାକୁ ମଣିଷ କିମ୍ବା କୌଣସି ଛୋଟ ପଶୁ ଆସିଲେ ମଧ୍ୟ ବାଜିଉଠେ। ଏହାଦ୍ୱାରା ଦୁଇଟି ସମସ୍ୟା ହୁଏ – ପ୍ରଥମତଃ ବ୍ୟାଟେରୀ ଶୀଘ୍ର ସରିଯାଏ ଏବଂ ଦ୍ୱିତୀୟତଃ ଭୁଲ ଆଲାରାମ୍‌ ଯୋଗୁଁ ଗ୍ରାମବାସୀ ହଇରାଣ ହୁଅନ୍ତି। କିନ୍ତୁ ଅଭିଙ୍କ ଡିଭାଇସ୍‌ର ସିସମିକ୍ ସେନ୍ସର କେବଳ ହାତୀ ଭଳି ବଡ଼ ପଶୁର ପାଦଶବ୍ଦ କିମ୍ବା କମ୍ପନ ଚିହ୍ନଟ କଲେ ହିଁ ସାଇରନ୍ ବଜାଇବ। ଏହା ସୌରଶକ୍ତିରେ ଚାଲୁଥିବାରୁ ବ୍ୟାଟେରୀ ସରିବାର ଭୟ ମଧ୍ୟ ନାହିଁ।

କେଉଁଠୁ ମିଳିଲା ପ୍ରେରଣା?

ଯେତେବେଳେ ଅଭି ଏକାଦଶ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ସେ ଆଇଆଇଏମ (IIM) ରାଞ୍ଚିର ‘ୟଙ୍ଗ ଚେଞ୍ଜ ମେକର୍’ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲେ। ଏହି କ୍ରମରେ ସେ ରାଞ୍ଚିର ରାସାବେଦା ଗ୍ରାମ ପରିଦର୍ଶନ କରିଥିଲେ ଏବଂ ସେଠାରେ ହାତୀ ଦ୍ୱାରା ଚାଷଜମି ନଷ୍ଟ ହେଉଥିବା ଦେଖିଥିଲେ। ଏହାପରେ ସେ ଗ୍ରାମବାସୀଙ୍କୁ ସତର୍କ କରାଇବା ପାଇଁ ଏହି ଡିଭାଇସ୍ ତିଆରି କରିବାକୁ ଚିନ୍ତା କଲେ। ପ୍ରଥମେ ସେ ପ୍ରସ୍ତୁତ କରିଥିବା ଡିଭାଇସ୍ ଦ୍ୱାରା ଗାଁର ୩୫ଟି ପରିବାର ଉପକୃତ ହୋଇଥିଲେ, ଯାହା ତାଙ୍କୁ ଏହାର ଅତ୍ୟାଧୁନିକ ସଂସ୍କରଣ ତିଆରି କରିବାକୁ ପ୍ରେରଣା ଦେଇଥିଲା।

ଏହି ଯୁବ ଉଦ୍ୟୋଗୀ ଜଣକ ଆସନ୍ତା ବର୍ଷ IIT ପରୀକ୍ଷା ପାସ୍ କରିବା ଆଶାରେ ଚଳିତ ବର୍ଷ ପାଠପଢ଼ାରୁ ବିରତି ନେଇଛନ୍ତି। ବନ ବିଭାଗ ବ୍ୟତୀତ ଆମେରିକାର ଏମରଜେଣ୍ଟ ଭେଞ୍ଚର୍ସ ଏବଂ IIM ରାଞ୍ଚି ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। ବନ ବିଭାଗର ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ରଞ୍ଜନ କହିଛନ୍ତି ଯେ, ସେମାନେ ହାତୀ-ମଣିଷ ସଂଘର୍ଷ ରୋକିବା ପାଇଁ ଏକ ୩-ସ୍ତରୀୟ ଯୋଜନା ଉପରେ କାମ କରୁଛନ୍ତି। ସବୁଠାରୁ ଉପର ସ୍ତରରେ ଥର୍ମାଲ କ୍ୟାମେରା, ମଝି ସ୍ତରରେ ଇନଫ୍ରାରେଡ୍ କ୍ୟାମେରା ଏବଂ ସବୁଠାରୁ ତଳ ସ୍ତରରେ ଅଭିଙ୍କ ଦ୍ୱାରା ନିର୍ମିତ ଏହି ଡିଭାଇସ୍ ମୁତୟନ କରାଯିବ।



Source link

Leave A Reply

Your email address will not be published.