Voice of Eastern India

Bihar shocking wedding incident : ହୋମ ନିଆଁ ଲିଭିବା ପୂର୍ବରୁ ଜଳିଲା ଜୁଇ, ବହାଘରର ଖୁସି ବଦଳିଗଲା କାନ୍ଦ ବୋବାଳିରେ


ବିହାର : ସମୟ, ପରିସ୍ଥିତି କେତେବେଳେ କଣ ହେବ ସେ କଥା କିଏ କହିବ। କାରଣ ବିଧିର ବିଧାନକୁ କେହି ବି ବଦଳାଇ ପାରିବେନି। ଭାଗ୍ୟରେ ଯାହା ଲେଖା ଅଛି ତାକୁ ତ ଆମକୁ ଭୋଗିବାକୁ ପଡ଼ିବ। ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଏମିତି ଏକ ଘଟଣା ଯେତିକି ଦୁଃଖ ଦେଇଛି, ତାଠୁ ଅଧିକ ଭାଗ୍ୟ ଉପରେ ବିଶ୍ୱାସ କରିବାକୁ ବାଧ୍ୟ କରିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିବାହ ଉତ୍ସବର ଖୁସି ମୁହୂର୍ତ୍ତ ଶୋକରେ ପରିଣତ ହୋଇଛି। ଯେଉଁ ଘରେ ବାଜୁଥିଲା ଶାହାନାଇ, ଯେଉଁଠାରେ ବର-କନ୍ୟାଙ୍କ ନୂଆ ଜୀବନକୁ ନେଇ ସମସ୍ତେ ଉତ୍ସାହିତ ଥିଲେ, ସେହି ଘରୁ ହଠାତ୍ ଶୁଭିଲା କାନ୍ଦବୋବାଳି । ନିମିଷକେ ଚାରଖାର ହୋଇଗଲା ସବୁ କିଛି। ବିବାହର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରୀତି ‘ସାତଫେରା’ ଆରମ୍ଭ ହେବା ପୂର୍ବରୁ ବରଙ୍କ ଅକସ୍ମାତ ମୃତ୍ୟୁ ଘଟିଥିଲା।

ମୃତକ ଥିଲେ ଶକ୍ତି ନାଥ ଶର୍ମା, ବୟସ ୨୫। ତାଙ୍କର ବିବାହ ପୂର୍ବ ଚମ୍ପାରଣ ଜିଲ୍ଲାର ଚିକନି ଗାଁର ସନ୍ତୋଷ ଶର୍ମାଙ୍କ ଝିଅ ରଘୁନୀ କୁମାରୀଙ୍କ ସହ ହେବାକୁ ଥିଲା। ଗୁରୁବାର ଦିନ ବ୍ୟାଣ୍ଡ, ବାଜା ଓ ସମ୍ପର୍କୀୟଙ୍କ ସହ ବରଯାତ୍ରୀ ଧୁମଧାମରେ କନ୍ୟା ଘରେ ପହଞ୍ଚିଥିଲେ। ପାରମ୍ପରିକ ସ୍ୱାଗତ ରୀତିନୀତି, ବରମାଳା ବିନିମୟର ରୀତିନୀତି ମଧ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ବର ଓ କନ୍ୟା ବିବାହ ମଣ୍ଡପରେ ବସି ସାରିଥିଲେ ଏବଂ ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେବାର ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ହଠାତ୍ ବର ଶକ୍ତିନାଥଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପ୍ରଥମେ ଉପସ୍ଥିତ ଲୋକମାନେ ଏହାକୁ ସାଧାରଣ ପେଟବ୍ୟଥା ଭାବି ଗୁରୁତ୍ୱ ଦେଇନଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ସଦସ୍ୟମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ରକ୍ସୌଲ ସ୍ଥିତ ଏସ୍ଆର୍ପିଏସ୍ ହସ୍ପିଟାଲକୁ ରେଫର କରିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ବହୁତ ଡେରି ହୋଇ ସାରିଥିଲା। ସେଠାରେ ଡାକ୍ତର ଶକ୍ତିନାଥଙ୍କୁ ମୃତ ଘୋଷଣା କରିଥିଲେ।

ବରଙ୍କ ମୃତ୍ୟୁ ଖବର ବିବାହ ମଣ୍ଡପରେ ପହଞ୍ଚିବା ମାତ୍ରେ ସମଗ୍ର ପରିବେଶ ବଦଳିଯାଇଥିଲା। କିଛି ସମୟ ପୂର୍ବରୁ ଯେଉଁଠାରେ ହସଖୁସି, ନାଚଗୀତ ଓ ଶାହାନାଇ ଶୁଭୁଥିଲା। ହଠାତ୍ ସେହି ସ୍ଥାନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ସେହି ସ୍ଥାନ ଫାଟି ପଡ଼ିଲା।  ମୃତକଙ୍କ ବଡ଼ ଭାଇ କର୍ମା ଶର୍ମା କହିଛନ୍ତି, ଶକ୍ତିନାଥ ତିନି ଭାଇଙ୍କ ମଧ୍ୟରେ ସବୁଠୁ ସାନ ଥିଲେ। ତାଙ୍କ ବାପା ଓ ମାଆଙ୍କର ପୂର୍ବରୁ ଦେହାନ୍ତ ହୋଇସାରିଥିଲା। ତେଣୁ ପରିବାରରେ ଏହି ବିବାହକୁ ନେଇ ସମସ୍ତଙ୍କ ମନରେ ଅନେକ ସ୍ୱପ୍ନ ଓ ଆଶା ଥିଲା। କିନ୍ତୁ ସେହି ଖୁସିର ମୁହୂର୍ତ୍ତ ହଠାତ୍ ଜୀବନର ସବୁଠୁ ବଡ଼ ଦୁଃଖରେ ପରିଣତ ହୋଇଗଲା।

 Also Read- ଚାଇଲ୍ଡ କଷ୍ଟଡି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, କହିଲେ- ବାପ-ମା’ଙ୍କ ବିବାଦରେ ପିଲାଙ୍କର ହୁଏ କ୍ଷତି

ଏହି ଘଟଣାରେ କେବଳ ବରଙ୍କ ପରିବାର ନୁହେଁ, କନ୍ୟା ପରିବାର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି । ଯେଉଁ ଆଖି  ଶଙ୍ଖା, ସିନ୍ଦୂର ପିନ୍ଧି  ନୂଆ ଜୀବନର ସ୍ୱପ୍ନ ସଜାଉଥିଲା। ସେହି ଆଖି ଆଜି ଅଶ୍ରୁରେ ଭିଜିଯାଇଛି। ଏହି ହୃଦୟବିଦାରକ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।



Source link

Leave A Reply

Your email address will not be published.