ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ହଲଚଲ ଆରମ୍ଭ ହୋଇଛି । ଶିବସେନା (UBT) ଦଳର କିଛି ସାଂସଦ ଦଳ ବଦଳ କରି ଅନ୍ୟ ଗୋଷ୍ଠୀରେ ସାମିଲ ହେବା ନେଇ ଚାଲିଥିବା ଗୁଜବ ମଧ୍ୟରେ ରବିବାର (୧୪ ଜୁନ୍) ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ବାସଭବନ ‘ମାତୋଶ୍ରୀ’ରେ ସାଂସଦମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଦଳୀୟ ସାଂସଦମାନେ ଏକଜୁଟ ଥିବା ଦାବି କରିଛନ୍ତି ଏବଂ ଆଗାମୀ ରଣନୀତି ପ୍ରସ୍ତୁତ ହୋଇସାରିଥିବା ପ୍ରକାଶ କରିଛନ୍ତି।
ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ବୈଠକରେ ସମୁଦାୟ ୯ ଜଣ ସାଂସଦ ସାମିଲ ହୋଇଥିଲେ। ସେଥିମଧ୍ୟରୁ ୪ ଜଣ ସାଂସଦ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ଥିବାବେଳେ ୫ ଜଣ ସାଂସଦ ଭିଡିଓ କନଫରେନ୍ସିଂ ଏବଂ ଫୋନ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ। ସାଂସଦମାନଙ୍କୁ ନେଇ ଯେଉଁମାନେ ଗୁଜବ ସୃଷ୍ଟି କରୁଛନ୍ତି, ସେମାନେ ଏହାକୁ ତୁରନ୍ତ ବନ୍ଦ କରନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି।
‘ଆମେ ନିଜେ ଟାଇଗର୍, ଅପରେସନ୍ wolf କରିବୁ’
BJPର ‘ଅପରେସନ୍ ଟାଇଗର୍’ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସଞ୍ଜୟ ରାଉତ କହିଛନ୍ତି, ‘ଆମେ ନିଜେ ଟାଇଗର୍ (ବାଘ)। କେଉଁ ଅପରେସନ୍ ଟାଇଗର୍ କଥା କହୁଛନ୍ତି ? ଆମେ ଏବେ ‘ଅପରେସନ୍ ଓଲ୍ଫ’ (Operation Wolf) କରିବୁ। ଆମର ସମସ୍ତ ସାଂସଦ ଆସିଥିଲେ ଏବଂ କିଛି ଅନଲାଇନରେ ଉପଲବ୍ଧ ଥିଲେ। ସାଂସଦ ସଞ୍ଜୟ ଯାଦବ ଆଜି ଆସିପାରି ନାହାନ୍ତି, ସେ ଦୁଇ ଦିନ ପରେ ମାତୋଶ୍ରୀ ଆସିବେ।’
ବୈଠକରେ କେଉଁ ସାଂସଦମାନେ ଉପସ୍ଥିତ ଥିଲେ ?
ଉଦ୍ଧବ ଠାକରେଙ୍କ ବାସଭବନରେ ଆୟୋଜିତ ହୋଇଥିବା ଏହି ବୈଠକରେ ମୁମ୍ବାଇ ଦକ୍ଷିଣ ସାଂସଦ ଅରବିନ୍ଦ ସାୱନ୍ତ, ସାଂସଦ ଅନିଲ ଦେଶାଇ ଏବଂ ନାସିକ ସାଂସଦ ରାଜାଭାଉ ୱାଜେ ପ୍ରମୁଖ ଉପସ୍ଥିତ ଥିଲେ। ମୁମ୍ବାଇ ଉତ୍ତର ପୂର୍ବର ସାଂସଦ ସଞ୍ଜୟ ଦିନା ପାଟିଲ ବୈଠକ ଶେଷ ହେବା ପରେ ପହଞ୍ଚିଥିଲେ। ବିଳମ୍ବରେ ପହଞ୍ଚିବା ନେଇ ସେ କହିଛନ୍ତି ଯେ, ତାଙ୍କର ଅନ୍ୟ କିଛି କାମ ଥିଲା, ତଥାପି ସେ ବୈଠକକୁ ଆସିଛନ୍ତି।
ମୋ ଉପରେ କାହାରି ଚାପ ନାହିଁ: ସଞ୍ଜୟ ପାଟିଲ
ବିଳମ୍ବରେ ପହଞ୍ଚିବା ଏବଂ ଦଳ ବଦଳ ଗୁଜବ ଉପରେ ସ୍ପଷ୍ଟୀକରଣ ଦେଇ ସାଂସଦ ସଞ୍ଜୟ ପାଟିଲ କହିଛନ୍ତି, ‘ମୋ କାରକେଡ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ମୋତେ ଆସିବାରେ ବିଳମ୍ବ ହେଲା। ପ୍ରତିଟି ପରିବାରରେ ସାମାନ୍ୟ ଅଭିଯୋଗ ବା ମନୋମାଳିନ୍ୟ ଥାଏ, କିନ୍ତୁ ମୋର କୌଣସି ଅଭିଯୋଗ ନାହିଁ। ଆମେ କ’ଣ ଏତେ ଦୁର୍ବଳ ଯେ, କେହି ଆମ ଉପରେ ଚାପ ପକାଇଦେବ ? ମୁଁ ଶିବସେନାରେ ହିଁ ଅଛି ଏବଂ ଆଗକୁ ମଧ୍ୟ ରହିବି। ମୋର ସମସ୍ତଙ୍କ ସହ ଭଲ ସମ୍ପର୍କ ଅଛି ଏବଂ ମୋ ପାଖକୁ କୌଣସି ଅଫର୍ ଆସିନାହିଁ କି କାହାର ଚାପ ନାହିଁ।’
ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ଦିନ ହେବ ଶିବସେନା (ୟୁବିଟି)ର କିଛି ସାଂସଦ ଏକନାଥ ସିନ୍ଦେ ଗୋଷ୍ଠୀ କିମ୍ବା ବିଜେପି ସହ ସମ୍ପର୍କରେ ଥିବା ଏବଂ ସେମାନେ ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ଏହି ପରିପ୍ରେକ୍ଷୀରେ ନିଜ ସାଂସଦମାନଙ୍କୁ ଏକଜୁଟ ରଖିବା ଏବଂ ବିରୋଧୀଙ୍କୁ କଡ଼ା ଜବାବ ଦେବା ପାଇଁ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଏହି ବୈଠକ ଡକାଯାଇଥିଲା।
