Voice of Eastern India

ଟଙ୍କା ଲୁଟ୍‌ର ମିଥ୍ୟା କାହାଣୀ ରଚିଥିଲା ମଦ ଦୋକାନୀ କର୍ମଚାରୀ, ପର୍ଦ୍ଦାଫାସ କଲା ପୋଲିସ


ଜଟଣୀ: ଏକ ବିଦେଶୀ ମଦ ଦୋକାନର ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ମିଥ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଜଟଣୀ ପୋଲିସ। ଏହି ମାମଲାରେ ଦୋକାନ କର୍ମଚାରୀ କୃଷ୍ଣଚନ୍ଦ୍ର ପାହାଡ଼ାସିଂହଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ସୂଚନା ଆଧାରରେ ଲୁଟ୍ ଟଙ୍କା ଜବତ କରିଛି।

ସୂଚନା ଅନୁସାରେ, କର୍ମଚାରୀ କୃଷ୍ଣଚନ୍ଦ୍ର ପାହାଡ଼ାସିଂହ ଦୋକାନର ୩,୫୬,୮୦୦ ଟଙ୍କା ଜମା କରିବା ପାଇଁ ଜଟଣୀ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଶାଖାକୁ ଯାଉଥିଲେ। ଏଫ୍ସିଆଇ (FCI) ଗୋଦାମ ନିକଟରେ କଳା ରଙ୍ଗର ପଲସର ମୋଟରସାଇକେଲରେ ଦୁଇଜଣ ଅଜଣା ଦୁର୍ବୃତ୍ତ ଆସି ଭୁଜାଲି ଦେଖାଇ ଟଙ୍କା ବ୍ୟାଗ୍ ସହ ମୋଟରସାଇକେଲ ଚାବି ଛଡ଼ାଇ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଜଟଣୀ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା।

ତଦନ୍ତ ବେଳେ ପୋଲିସ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରିଥିଲା, କିନ୍ତୁ ଲୁଟ୍ କିମ୍ବା ସନ୍ଦିଗ୍ଧଙ୍କ ସମ୍ପର୍କରେ କୌଣସି ପ୍ରମାଣ ମିଳିନଥିଲା। ସ୍ଥାନୀୟ ଲୋକେ ମଧ୍ୟ ଏଭଳି ଘଟଣା ସମ୍ପର୍କରେ ଜାଣିନଥିବା କହିଥିଲେ । ଅନ୍ୟପଟେ, କୃଷ୍ଣଚନ୍ଦ୍ରଙ୍କ ବୟାନରେ ବାରମ୍ବାର ଅସଙ୍ଗତି ଦେଖାଦେବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ପୋଲିସ ପଚରାଉଚରା କରିବା ପରେ କୃଷ୍ଣଚନ୍ଦ୍ର ସତ ମାନିଥିଲେ ଯେ ଟଙ୍କା ହଡ଼ପ କରିବା ଉଦ୍ଦେଶ୍ୟରେ ସେ ନିଜେ ଏହି ମିଥ୍ୟା ଲୁଟ୍ କାହାଣୀ ରଚିଥିଲେ।

Also Read: ମହାଭାରତ ନାଟକ ବେଳେ ଛୁରାମାଡ଼, ଦୁଇ ଯୁବକ ଗୁରୁତର

ଜେରା ସମୟରେ ଅଭିଯୁକ୍ତ ସ୍ବୀକାର କରିଛି ଯେ, ମୋଟ ୩,୫୬,୮୦୦ ଟଙ୍କାରୁ ସେ ୬,୮୦୦ ଟଙ୍କା ମଦ ଓ ଅନ୍ୟ ନିଶାଦ୍ରବ୍ୟରେ ଖର୍ଚ୍ଚ କରିଦେଇଥିଲା । ଅବଶିଷ୍ଟ ୩,୫୦,୦୦୦ ଟଙ୍କା ଏକ କଳା ପଲିଥିନ୍ ବ୍ୟାଗ୍ରେ ଭର୍ତ୍ତି କରି ଜଟଣୀର ଡମୁଣେଇ ମନ୍ଦିର ପଛପଟ ଉତାରଣୀ ପଡ଼ିଆ ନିକଟରେ ଲୁଚାଇ ରଖିଥିଲା ।

ତେବେ କୃଷ୍ଣଚନ୍ଦ୍ରଙ୍କ ସୂଚନା ଆଧାରରେ ପୋଲିସ ଉକ୍ତ ସ୍ଥାନରୁ ୩,୫୦,୦୦୦ ଟଙ୍କା ଉଦ୍ଧାର କରି ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଜଣେ ପେସାଦାର ଅପରାଧୀ ଏବଂ ତାଙ୍କ ନାମରେ ଜଟଣୀ ଥାନାରେ ପୂର୍ବରୁ ୭ଟି ଭିନ୍ନ ଅପରାଧିକ ମାମଲା ରହିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।



Source link

Leave A Reply

Your email address will not be published.