ଟାଙ୍ଗୀ: ବନ୍ଧୁକ ଧରି ଗାଁରେ ଭାଇଗିରି ଦେଖାଇବା ସହ ଲୋକଙ୍କୁ ଧମକ ଦେବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଟାଙ୍ଗୀ ପୁଲିସ। ଗିରଫ ଯୁବକ ଜଣକ ହେଲେ ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ଶେଖ୍ କୈଶର। ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କରିବା ସହ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁସାରେ, ଶେଖ୍ କୈଶର ଏକ ବନ୍ଧୁକ ଧରି ଗାଁରେ ଆତଙ୍କ ସୃଷ୍ଟି କରୁଥିଲେ। ଏମିତିକି ବନ୍ଧୁକ ଦେଖାଇ ଲୋକଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା।
Also Read: କଣାସରେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ତଦନ୍ତ ପାଇଁ ଯାଇଥିବା ବେଳେ ଅଘଟଣ
ଆଉ ପୂର୍ବପରି ଗାଁ ଛକରେ ବନ୍ଧୁକ ଧରି ଭାଇଗିରି ଦେଖାଉଥିବା ସମୟରେ ଛକି ରହିଥିବା ପୁଲିସ ଟିମ୍ ତାଙ୍କୁ କାବୁ କରିଥିଲା। ତା’ ନିକଟରୁ ଗୋଟିଏ ବନ୍ଧୁକ ଜବତ ହୋଇଛି । ତେବେ ପୁଲିସ ଅଭିଯୁକ୍ତ ଶେଖ୍ କୈଶରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
