ଡିଲିମିଟେସନ ବିଲ୍କୁ ନେଇ ଜାଭେଦ ଅଖତରଙ୍କ ପ୍ରତିକ୍ରିୟା, କହିଲେ- ପରିବାର ନିୟୋଜନକୁ ଗୁରୁତ୍ୱ ନଦେଇଥିବା ଅଞ୍ଚଳକୁ ମିଳୁଛି ଅଧିକ ଆସନ
ନୂଆଦିଲ୍ଲୀ-; ସଂସଦରେ ଡିଲିମିଟେସନ ବିଲ୍ ଆଗତ କରିବାକୁ ଯାଉଛନ୍ତି ମୋଦୀ ସରକାର। ଏହି ବିଲ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଶରଦ ପାୱାରଙ୍କ ଦଳ ଏନ୍ସିପି-ଏସ୍ପି ଏବଂ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍କ ବିଲ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ଏହା ମଧ୍ୟରେ ପ୍ରସିଦ୍ଧ ଗୀତିକାର ତଥା ଲେଖକ ଜାଭେଦ ଅଖତର ଡିଲିମିଟେସନ ବିଲ୍କୁ ନେଇ ନିଜର ମତ ରଖିଛନ୍ତି।
ଜାଭେଦ ଅଖତର କହିଛନ୍ତି ଯେ, ଯେଉଁ ଅଞ୍ଚଳଗୁଡ଼ିକ ପରିବାର ନିୟୋଜନକୁ ପ୍ରାଥମିକତା ଦେଇନାହାନ୍ତି, ସେହି ଅଞ୍ଚଳଗୁଡ଼ିକୁ ଅଧିକ ସଂସଦୀୟ ଆସନ ମିଳିବାକୁ ଯାଉଛି। ଅନ୍ୟପକ୍ଷରେ ଯେଉଁ ଅଞ୍ଚଳଗୁଡ଼ିକ ପରିବାର ନିୟୋଜନକୁ ଗୁରୁତ୍ୱ ଦେଇଛନ୍ତି, ସେମାନଙ୍କୁ ତୁଳନାତ୍ମକ ଭାବେ କମ୍ ଆସନ ମିଳିବାର ଆଶଙ୍କା ରହିଛି। ଏହାଦ୍ୱାରା କିଭଳି ସନ୍ତୁଳନ ରକ୍ଷା କରାଯିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ଡିଲିମିଟେସନ ବିଲ୍କୁ ନେଇ କ’ଣ କହିଲେ ଜାଭେଦ ଅଖତର?
ଏହି ପ୍ରସଙ୍ଗରେ ଜାଭେଦ ଅଖତର କହିଛନ୍ତି, “ପ୍ରଥମ କଥା ହେଉଛି, ଏପର୍ଯ୍ୟନ୍ତ ଏହାର ଚୂଡ଼ାନ୍ତ ଯୋଜନା ସାମ୍ନାକୁ ଆସିନାହିଁ। ଏହାକୁ କିପରି ଲାଗୁ କରାଯିବ, ନୂଆ ନିର୍ବାଚନମଣ୍ଡଳୀ ଗଠନ ହେବ କି ନାହିଁ, କେଉଁ ମାନଦଣ୍ଡକୁ ବିଚାରକୁ ନିଆଯିବ ଏବଂ ଦେଶକୁ କିପରି ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯିବ, ସେ ସମ୍ପର୍କରେ ଏବେ ମଧ୍ୟ ସ୍ପଷ୍ଟତା ନାହିଁ। ଦ୍ୱିତୀୟ କଥା ହେଉଛି, ମୋତେ ଏହା ଟିକେ ଅଜବ ଲାଗୁଛି ଯେଉଁ ଅଞ୍ଚଳଗୁଡ଼ିକ ପରିବାର ନିୟୋଜନକୁ ପ୍ରାଥମିକତା ଦେଇନାହାନ୍ତି, ସେମାନଙ୍କୁ ଅଧିକ ଆସନ ଦିଆଯାଉଛି। ଅନ୍ୟପକ୍ଷରେ ଯେଉଁ ଅଞ୍ଚଳଗୁଡ଼ିକ ପରିବାର ନିୟୋଜନକୁ ଆପଣାଇଛନ୍ତି, ସେମାନଙ୍କୁ କମ୍ ଆସନ ମିଳୁଛି। ଏହାଦ୍ୱାରା କିପରି ସନ୍ତୁଳନ ରହିବ? ବିସ୍ତୃତ ତଥ୍ୟ ସାମ୍ନାକୁ ଆସିବା ପରେ ଆମେ ଏହାକୁ ଅନୁଧ୍ୟାନ କରିବୁ।” ଏହା ସହିତ ସେ କହିଛନ୍ତି ଯେ, କେବଳ ସରକାରଙ୍କ ଆଭିମୁଖ୍ୟ ନୁହେଁ, ବରଂ ବିରୋଧୀ ଦଳର କେଉଁ ସାଂସଦ ଏହି ବିଲ୍କୁ ସମର୍ଥନ କରୁଛନ୍ତି ଏବଂ କିଏ ଏହାକୁ ବିରୋଧ କରୁଛନ୍ତି, ତାହା ମଧ୍ୟ ଦେଖିବାକୁ ପଡ଼ିବ।
also read- ସୀମା ନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବ NCPI, ସ୍ପଷ୍ଟ କଲେ ସାଂସଦ କାକୋଲି ଘୋଷ ଦସ୍ତିଦାର
ଡିଲିମିଟେସନ ବିଲ୍କୁ ବିରୋଧ କରିବ INDIA ମେଣ୍ଟ !
ଅନ୍ୟପକ୍ଷରେ, ଡିଲିମିଟେସନ ସହ ଜଡ଼ିତ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଆଗତ ହେବାକୁ ଥିବା ସମ୍ବିଧାନ ସଂଶୋଧନ ବିଲ୍କୁ ସଂସଦରେ ମିଳିତ ଭାବେ ବିରୋଧ କରିବାକୁ INDIA ମେଣ୍ଟ ନିଷ୍ପତ୍ତି ନେଇଛି। ଶନିବାର ଅନୁଷ୍ଠିତ ବିରୋଧୀ ଦଳଗୁଡ଼ିକର ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ବିଜେପି-ଆର୍ଏସ୍ଏସ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ କ୍ଷମତାରେ ରଖିବା ସହ ଦେଶର ଗଣତନ୍ତ୍ରକୁ ଦୁର୍ବଳ କରିବାର ଏକ ପ୍ରୟାସ। ବିରୋଧୀ ଦଳଗୁଡ଼ିକର ସଂସଦୀୟ ନେତାମାନଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ ହେବା ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ, ଏହି ଡିଲିମିଟେସନ ବିଲ୍ ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST)ଙ୍କ ସ୍ୱାର୍ଥ ବିରୋଧୀ। କାରଣ, ସେମାନଙ୍କ ବର୍ଦ୍ଧିତ ଜନସଂଖ୍ୟା ଅନୁପାତରେ ଆସନ ବୃଦ୍ଧି ହେବ ନାହିଁ। ଏହା ଦେଶର ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ସେ ମତ ଦେଇଥିଲେ। INDIA ମେଣ୍ଟରେ ମତଭେଦ, ଡିଲିମିଟେସନ ବିଲ୍କୁ ସମର୍ଥନ କରିବ ଡିଏମ୍କେ ଓ ଏନ୍ସିପି-ଏସ୍ପି l ଏହି ସମୟରେ INDIA ମେଣ୍ଟକୁ ଏକ ଝଟକା ଲାଗିଛି। କାରଣ, ମେଣ୍ଟର ଅଂଶ ହୋଇଥିବା ଡିଏମ୍କେ ଏବଂ ଶରଦ ପାୱାରଙ୍କ ଦଳ ଏନ୍ସିପି-ଏସ୍ପି ଏହି ବିଲ୍କୁ ସମର୍ଥନ କରିବାକୁ ସଙ୍କେତ ଦେଇଛନ୍ତି।
ଡିଏମ୍କେର ବରିଷ୍ଠ ନେତା ତଥା ସାଂସଦ ଏ. ରାଜା କହିଛନ୍ତି ଯେ, ଦଳର ମୁଖ୍ୟ ଏମ୍କେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ହୋଇଥିବା ସାଂସଦମାନଙ୍କ ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଷ୍ଟାଲିନ ନିଜ ଅଭିଭାଷଣରେ ସଙ୍କେତ ଦେଇଥିଲେ ଯେ, ପ୍ରସ୍ତାବିତ ବିଧେୟକରେ ଡିଏମ୍କେର ପ୍ରମୁଖ ଦାବିଗୁଡ଼ିକୁ ସାମିଲ କରାଯାଇଛି। ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ. ରାଜା ଦଳର ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ, “ସମସ୍ତ ରାଜ୍ୟରେ ବର୍ତ୍ତମାନ ଥିବା ଆସନ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଅଣାଯାଉଥିବା ପ୍ରସ୍ତାବିତ ବିଧେୟକଗୁଡ଼ିକୁ ଡିଏମ୍କେ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି।” ଏହି ଘଟଣାକ୍ରମ ପରେ ଡିଲିମିଟେସନ ବିଲ୍କୁ ନେଇ INDIA ମେଣ୍ଟ ମଧ୍ୟରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ସାମ୍ନାକୁ ଆସିଛି। ଏବେ ସଂସଦରେ ବିଲ୍ ଉପରେ ଆଲୋଚନା ଓ ଭୋଟିଂ ସମୟରେ ବିଭିନ୍ନ ଦଳର ଆଭିମୁଖ୍ୟ ଉପରେ ନଜର ରହିବ।
