କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ହୋଇ ପଡ଼ିଛି ଅଲଟ୍ରା ସାଉଣ୍ଡ ମେସିନ l ରୋଗୀଙ୍କୁ ଅଲଟ୍ରା ସାଉଣ୍ଡ ପାଇଁ ଡାକ୍ତର ପ୍ରେସ୍କ୍ରାଇବ କରୁଛନ୍ତି ସତ କିନ୍ତୁ ତାହା ହୋଇ ପାରୁନି l ନିରାଶ ହୋଇ ରୋଗୀ ବାହାରେ ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେଉଛନ୍ତି l ଦୈନିକ ପ୍ରାୟ ୭୦ ରୋଗୀ ମେଡିକାଲରେ ବିନାମୂଲ୍ୟରେ ଅଲଟ୍ରା ସାଉଣ୍ଡ କରିବାର ସୁଯୋଗ ପାଉଥିଲେ l ଏବେ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି l
କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଲଟ୍ରା ସାଉଣ୍ଡ ୟୁନିଟ୍ ଆଗରେ ଜମିଛି ଭିଡ଼ l ରୋଗୀ ଏବଂ ସେମାନଙ୍କ ସମର୍କୀୟଙ୍କ ହୋହାଲ୍ଲା ପାଟିଗୋଳରେ କମ୍ପୁଛି ହସ୍ପିଟାଲ ବିଲଡିଂ l ଗତ ୧୫ ଦିନ ହେବ ଅଚଳ ହୋଇ ପଡିଛି ମେଡିକାଲର ଏକମାତ୍ର ଅଲଟ୍ରା ସାଉଣ୍ଡ ମେସିନ୍ l ଫଳରେ ଅଲଟ୍ରା ସାଉଣ୍ଡ କରିବାକୁ ଆସୁଥିବା ରୋଗୀ ମାନେ ନିରାଶ ହେଉଛନ୍ତି l ବହୁ ଗୁରୁତର ରୋଗୀ ଦିନ ଦିନ ଧରି ଅପେକ୍ଷା କରି ଘରକୁ ଫେରୁଛନ୍ତି l ରୋଗୀଙ୍କୁ ପରୀକ୍ଷା କରି ଅଲଟ୍ରା ସାଉଣ୍ଡ କରିବା ପାଇଁ ମେଡିକାଲରେ ଡାକ୍ତର ମାନେ ପରାମର୍ଶ ଦେଉଛନ୍ତି l ରୋଗୀ ପ୍ରେସ୍କ୍ରିପସନ ହାତରେ ଧରି ଅଲଟ୍ରା ସାଉଣ୍ଡ ୟୁନିଟ୍ ଆଗରେ ଧାଡ଼ି ବାନ୍ଧି ଛିଡା ହେଉଛନ୍ତି l ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କ ଅବସ୍ଥା କହିଲେ ନସରେ l ବାହାରେ ଟଙ୍କା ଖର୍ଚ୍ଚ କରି ଅଲଟ୍ରା ସାଉଣ୍ଡ କରିବା ପାଇଁ ଅସମର୍ଥ ରୋଗୀ ଓ ତାଙ୍କ ସମ୍ପର୍କୀୟ ନିଜ ଅସନ୍ତୋଷ ପ୍ରକାଶ କରିବା ଛଡା ଅନ୍ୟ ବାଟ ପାଉ ନାହାଁନ୍ତି l
କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶ୍ୟାମଗୁଡ଼ିଆ ସ୍ଥାନାନ୍ତର ହେବା ପରେ ସେଠାରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସାଧାରଣ ଲୋକଙ୍କୁ ପ୍ରତିଶ୍ରୁତି ମିଳିଥିଲା l କିନ୍ତୁ ଉଚ୍ଚ ଅଟ୍ଟାଳିକାରେ ଚିକିତ୍ସା ସେବା ପାଇବାର ସବୁ ଆଶା ଧୀରେ ଧୀରେ ମଉଳି ଗଲା l ମେଡିକାଲରେ ଅଲଟ୍ରା ସାଉଣ୍ଡ କରିବା ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି l କିନ୍ତୁ ମେସିନ୍ ଖରାପ ହେଲା ପରଠାରୁ ଏହାର ମରାମତି ପାଇଁ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁ ନାହାନ୍ତି l ଫଳରେ ରୋଗୀ ନାନା ସମସ୍ୟା ଭୋଗୁଛନ୍ତି l
Also Read: ଓଡ଼ିଶାରେ ବଢ଼ିବ ଶୀତର ପ୍ରକୋପ, ୩ରୁ ୪ ଡିଗ୍ରୀ ଖସିବ ରାତି ତାପମାତ୍ରା
ମେଡିକାଲ ରେଜିଷ୍ଟାରରୁ ମିଳିଥିବା ସୂଚନା ଅନୁଯାୟୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୈନିକ ପ୍ରାୟ ୭୦ ଜଣ ରୋଗୀ ଅଲଟ୍ରା ସାଉଣ୍ଡ କରିବା ପାଇଁ ଆସିଥାନ୍ତି l ଏଥିପାଇଁ ସେମାନଙ୍କୁ କୈଣସି ମୂଲ୍ୟ ଦେବାକୁ ପଡେ ନାହିଁl କିନ୍ତୁ ଏବେ ରୋଗୀ ମେଡିକାଲ ବାହାରେ ଘରୋଇ ସଂସ୍ଥାରେ ଚଢା ଦରରେ ଅଲ୍ଟ୍ରା ସାଉଣ୍ଡ କରିବାକୁ ବାଧ୍ଯ ହେଉଛନ୍ତି l ଏ ନେଇ ଜିଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲା l ଖୁବ୍ ଶୀଘ୍ର ଏହାର ମରାମତି କରି ପୂର୍ବ ପରି ସେବା ଯୋଗାଇ ଦେବାକୁ ଜିଲାପାଳ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି l
