Voice of Eastern India

ରୋହିତଙ୍କ ଡେପୁଟି ହେବାକୁ ମନା କଲେ ବୁମ୍ରା: ଛାଡି ଦେବେ କି ଦଳ ?


ମୁମ୍ବାଇ: ଆଇପିଏଲର ୫ ଥର ଟାଇଟଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୨୦୨୭ ପାଇଁ ରୋହିତ ଶର୍ମାଙ୍କୁ ପୁଣିଥରେ କ୍ୟାପ୍ଟେନ୍ ଦାୟିତ୍ୱ ଦେଇଛି। ଗତ ତିନିଟି ଆଇପିଏଲ୍ ସିଜିନରେ ଦଳର ନିରାଶାଜନକ ପ୍ରଦର୍ଶନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବା ପରେ ଡ୍ରେସିଂ ରୁମରେ ଖଳାଳିଙ୍କ ମଧ୍ୟରେ ମତଭେଦ କାରଣରୁ କ୍ୟାପ୍ଟେନ୍ ପରିବର୍ତ୍ତନ ନେଇ ଦାବି ହୋଇଥିଲା। ତେଣୁ ଦଳ ରୋହିତଙ୍କ ଉପରେ ପୁଣିଥରେ ଭରସା କରିଛି।

ନିକଟରେ ହୋଇଥିବା ଟ୍ରେଡ୍‌ରେ ମୁମ୍ବାଇ ପଞ୍ଜାବ କିଙ୍ଗ୍‌ସ ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍ କରି ଅର୍ଶିଦିପ ସିଂହଙ୍କୁ ଦଳରେ ସାମିଲ କରିଥିଲା। ଏହାପରେ ଦଳର କ୍ୟାପ୍ଟେନ୍ କିଏ ହେବ ସେ ନେଇ ବିଚାର ବିମର୍ଷ ଜାରି ରହିଥିଲା। ଦୌଡ଼ରେ ଥିଲେ ସୂର୍ଯ୍ୟକୁମାର ଯାଦବ, ଜସପ୍ରୀତ ବୁମ୍ରା ଓ ତିଲକ ବର୍ମା। ହେଲେ ରୋହିତ ଟିମକୁ ୫ ଥର ଟାଇଟଲ ଜିତାଇଛନ୍ତି। ତାଙ୍କର ଅଭିଜ୍ଞତା ବି ରହିଛି। ତେଣୁ ଦଳ ତାଙ୍କ ଉପରେ ପୁଣିଥରେ ଭରସା କରିଥିଲା। ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ଏହି ନିଷ୍ପତ୍ତି ହୋଇଥିଲା। ହେଲେ ଦଳ ଆଜି ମାନେ ନଭେମ୍ବର ୨୭ ତାରିଖରେ ଏହା ଘୋଷଣା କରିଛି।

ଉପ-ଅଧିନାୟକ ହେବାକୁ ମନା କଲେ ବୁମ୍ରା

ଅଧିନାୟକ ପଦ ପାଇଁ ରୋହିତଙ୍କ ନାଁ ଘୋଷଣା ହୋଇ ନଥିଲେ ମଧ୍ୟ ଅକ୍ଟୋବର ମାସରେ ବୁମ୍ରାଙ୍କୁ ଉପ-ଅଧିନାୟକ ହେବାକୁ ପ୍ରସ୍ତାବ ଦେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଅକ୍ଟୋବର ପ୍ରଥମ ସପ୍ତାହରେ ମୁମ୍ବାଇ ଇଣ୍ଡିଆନ୍ସର ଶୀର୍ଷ ନେତୃତ୍ୱ ବୁମ୍ରାଙ୍କ ସହ ଏନେଇ ଆଲୋଚନା କରିଥିଲେ। କିନ୍ତୁ ବୁମ୍ରା ଅତି ଶାଳୀନତାର ସହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ସେ କାହିଁକି ଉପ-ଅଧିନାୟକ ହେବେ ନାହିଁ ବୋଲି ମନା କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

କିନ୍ତୁ ବଡ଼ କଥା ହେଲା ୨୦୨୫ ଆଇପିଏଲ୍ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ବୁମ୍ରାଙ୍କୁ ୧୮ କୋଟି ଟଙ୍କାରେ ରିଟେନ୍ କରିଥିଲା। ଅନ୍ୟପଟେ ହାର୍ଦ୍ଦିକ, ରୋହିତ ଓ ସୂର୍ଯ୍ୟକୁମାର ଦଳରେ ରହିବା ପାଇଁ ନିଜ ଦରମାରେ କିଛିଟା ହ୍ରାସକୁ କରିବାକୁ ରାଜି ହୋଇଯାଇଥିଲେ। ତେଣୁ ଦଳରେ ଯେ ବୁମ୍ରାଙ୍କ ଡିମାଣ୍ଡ କମି ନାହିଁ ତାହା ସ୍ପଷ୍ଟ।

ନେତୃତ୍ୱ ନ ମିଳିବାର ଅଶନ୍ତୋଷ କି ବୁମ୍ରା ?

୨୦୧୩ରେ ମାତ୍ର ୧୯ ବର୍ଷ ବୟସରେ ବୁମ୍ରା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍ ଖେଳିବା ଆରମ୍ଭ କରିଥିଲେ। ତାଙ୍କର ଚମତ୍କାର ଅସାଧାରଣ ବୋଲିଂ ଶୈଳୀ ଯୋଗୁ ଆରମ୍ଭରୁ ହିଁ ସେ ଚର୍ଚ୍ଚାକୁ ଆସିଥିଲେ। ଏଇ ଡିସେମ୍ବର ଆରମ୍ଭରେ ବୁମ୍ରାଙ୍କୁ ୩୨ ବର୍ଷ ପୂରିବ। ଏତେବର୍ଷ ଗୋଟିଏ ଟିମରେ ଖେଳିଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ଗ୍ରୁପରେ ତାଙ୍କୁ ସ୍ଥାନ ନମିଳିବା ବ୍ରୁମାଙ୍କ ପାଇଁ ନିହାତି ପକ୍ଷେ ନିରାଶଜନକ କଥା। ଏଥିପାଇଁ ତାଙ୍କ ମନରେ ଅସନ୍ତୋଷ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ୨୦୨୮ ଆଇପିଏଲ୍ ପୂର୍ବରୁ ହେବାକୁ ଥିବା ପରବର୍ତ୍ତୀ ମେଗା ନିଲାମରେ ସେ ଅନ୍ୟ କୌଣସି ଫ୍ରାଞ୍ଚାଇଜିରେ ଯୋଗଦେବା ବିଷୟରେ ଚିନ୍ତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍ ଡେବ୍ୟୁ କରିଥିବା ବୁମ୍ରା ଏପର୍ଯ୍ୟନ୍ତ ୧୪ଟି ଆଇପିଏଲ୍ ସିଜିନ୍ ଖେଳି ସାରିଲେଣି। ଏଥିରେ ସେ ୧୮୭ଟି ୱିକେଟ୍ ହାସଲ କରିଛନ୍ତି।



Source link

Leave A Reply

Your email address will not be published.