Voice of Eastern India

CJP ନେତା ସୌରଭ ଦାସ, ଅଭିଜିତ ଦୀପକେ ଏବଂ ଆଶୁତୋଷ ରାଙ୍କାଙ୍କ ବିରୋଧରେ ଲୁକ୍-ଆଉଟ୍ ସର୍କୁଲାର ଜାରି 


ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କଠାରେ ହୋଇଥିବା ବିକ୍ଷୋଭ ଘଟଣାର ପ୍ରାୟ ୭ ସପ୍ତାହ ପରେ ମୁମ୍ବାଇ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଲିସ ପକ୍ଷରୁ ‘କକ୍ରୋଚ ଜନତା ପାର୍ଟି’ର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ବିରୋଧରେ ଲୁକ୍-ଆଉଟ୍ ସର୍କୁଲାର ଜାରି କରାଯାଇଛି। ମୁମ୍ବାଇ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦାଦର ଅଞ୍ଚଳରେ ବେଆଇନ ଭାବରେ ଏକତ୍ରୀତ ହେବା ସହ ନାରାବାଜି କରିବା ଅଭିଯୋଗରେ ଅକ୍ଟୋବର ୩ ତାରିଖରେ ଦୀପକେ, ଦାସ, ରାଙ୍କାଙ୍କ ସମେତ ଅନ୍ୟ ସିଜେପି ସଦସ୍ୟଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଏଫଆଇଆର୍ (FIR) ଆଧାରରେ ଏହି ସର୍କୁଲାର ଜାରି କରାଯାଇଛି। 

ଗାନ୍ଧୀ ଜୟନ୍ତୀ ଅବସରରେ ଶିବାଜୀ ପାର୍କରେ ବିକ୍ଷୋଭ ଆୟୋଜନ କରିବା ପାଇଁ ସିଜେପି ପ୍ରତିନିଧି ଅଜିଙ୍କ୍ୟ ସିନ୍ଦେ ପୁଲିସ ପାଖରୁ ଅନୁମତି ମାଗିଥିଲେ । କିନ୍ତୁ ଶିବାଜୀ ପାର୍କରେ କୌଣସି ସମାବେଶ ପାଇଁ ଅନୁମତି ଦେବାର କ୍ଷମତା ସେମାନଙ୍କ ପାଖରେ ନାହିଁ ବୋଲି କହି ପୁଲିସ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ସାଧାରଣତଃ ଦେଶର ଅନ୍ତର୍ଜାତୀୟ ବିମାନବନ୍ଦର, ସାମୁଦ୍ରିକ ବନ୍ଦର ଏବଂ ସ୍ଥଳ ସୀମାରେ ଥିବା ଇମିଗ୍ରେସନ୍ ଚେକ୍-ପୋଷ୍ଟଗୁଡ଼ିକୁ ଲୁକ୍-ଆଉଟ୍ ସର୍କୁଲାର ପଠାଯାଇଥାଏ । ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ଦେଶ ଭିତରକୁ ଆସିବା କିମ୍ବା ଦେଶ ବାହାରକୁ ଯିବା ଉପରେ ନଜର ରଖାଯାଇପାରିବ । 

ଏହା ପୂର୍ବରୁ ସୌରଭ ଦାସଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଅଟକାଇ ଦିଆଯାଇଥିଲା । ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେ ଅଭିଯୋଗ କରିଥିଲେ ଯେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ବକ୍ତୃତା ଦେବା ପାଇଁ ଲଣ୍ଡନ ଯାଉଥିବା ବେଳେ ତାଙ୍କୁ ବିମାନବନ୍ଦରରେ ଅଟକାଇ ଦିଆଯାଇଥିଲା। ଗତ ମାସରେ ଶିବାଜୀ ପାର୍କରେ ହୋଇଥିବା ଏହି ବିକ୍ଷୋଭକୁ ନେଇ ଶିବାଜୀ ପାର୍କ ପୁଲିସ ଅଭିଜିତ ଦୀପକେ, ପ୍ରଣବ ଆହିରେ, ଆଶୁତୋଷ ରାଙ୍କା, ଅଜିଙ୍କ୍ୟ ସିନ୍ଦେ, ସୌରଭ ଦାସ, ଆଫ୍ରିନ୍ ନୱାଜ୍, ସୌମ୍ୟା କୋର୍ଡେ, ଅଙ୍କିତ ଭରଦ୍ୱାଜ, ବିଜୟ ମଲାଙ୍ଗି ଏବଂ ଯୋଗେଶ ଇଙ୍ଗଲେଙ୍କ ସମେତ ପ୍ରାୟ ୪୦୦ ସିଜେପି ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। 

ବମ୍ବେ ହାଇକୋର୍ଟଙ୍କ ୨୦୧୩ ଜାନୁଆରୀ ୪ ତାରିଖର ଏକ ରାୟ ଏବଂ ମହାରାଷ୍ଟ୍ର ସରକାରଙ୍କ ୨୦୧୬ ଜାନୁଆରୀ ୨୦ ତାରିଖର ଆଦେଶ ଅନୁଯାୟୀ ଖେଳକୁଦ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଶିବାଜୀ ପାର୍କର ବ୍ୟବହାର ଉପରେ କଟକଣା ରହିଛି । ସେପଟେ ସୌରଭ ଦାସଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଖିଳ ସିବଲ କୋର୍ଟଙ୍କୁ ଜଣାଇଥିଲେ ଯେ, ତାଙ୍କ ମହକିଲଙ୍କୁ ଏହି ସର୍କୁଲାର ବିଷୟରେ କୌଣସି ସୂଚନା ଦିଆଯାଇନଥିଲା । କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୯ ତାରିଖକୁ ଧାର୍ଯ୍ୟ କରିଛନ୍ତି । ସେହିଦିନ ସୌରଭ ଦାସଙ୍କ ଓକିଲ ଏହି ସର୍କୁଲାର ଉପରେ ନିଜର ପକ୍ଷ ରଖିବେ।



Source link

Leave A Reply

Your email address will not be published.