Voice of Eastern India

ବିଧାୟକ ପାଣ୍ଠି ଖର୍ଚ୍ଚ ହୋଇପାରୁନି, ବିଧାନସଭାରେ ସବୁ ଦଳର ଉଦବେଗ


ଭୁବନେଶ୍ୱର ୨୬।୧୧ : ପ୍ରଶ୍ନକାଳରେ ବିଧାୟକ ପାଣ୍ଠି ଖର୍ଚ୍ଚକୁ ନେଇ ବିଧାନସଭାରେ ଉଦବେଗ। ଏମଏଲଏ ଲ୍ୟାଡ୍ରେ ଅର୍ଥ ଥାଇ ମଧ୍ୟ ଖର୍ଚ୍ଚ ହୋଇପାରୁନି। ଜଟିଳ ପ୍ରକ୍ରିୟା ଓ ଜମି ହସ୍ତାନ୍ତର ସମସ୍ୟା ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନଥିବା ଅଭିଯୋଗ ଆଣିଛନ୍ତି ସବୁ ଦଳର ବିଧାୟକ।

ବିଧାୟକ ପାଣ୍ଠିରେ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଉପଲବ୍ଧତା ଓ ଜମିଜମା ସମସ୍ୟା ସମ୍ପର୍କିତ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ପାଣ୍ଠି ଖର୍ଚ୍ଚ କରିବାରେ ଅଧିକାରୀମାନେ ଅବହେଳା କରୁଥିବା ସେ ଅଭିଯୋଗ କରିଥିଲେ। ଏ ନେଇ ପଞ୍ଚାୟତିରାଜ ଓ ରାଜସ୍ୱ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଧାୟକ ପାଣ୍ଠି ବ୍ୟବସ୍ଥା ବନ୍ଦ କରିଦେବାକୁ, ନଚେତ୍ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। ସେହିପରି ବିଜେପି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ଜମି ଉପଲବ୍ଧ ନଥିବାରୁ ଅନେକ ପ୍ରକଳ୍ପ ମଞ୍ଜୁର ହେଉଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନଥିବା କହିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ସମାନ ସମସ୍ୟା ଉଠାଇଥିଲେ। 

Also Read:-କୋଟିଆ ପାଇଁ ବିଧାନସଭାରେ ଲଢ଼େଇ, ଆତ୍ମାହୁତି ନିଷ୍ପତ୍ତି ବଦଳାଇଲେ ତାରା

ସମସ୍ତ ଦଳର ବିଧାୟକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ରୁଲିଂ ଜାରି କରିଥିଲେ। ଏହି ସମସ୍ୟାର ସମୀକ୍ଷା କରିବା ସହ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କୁ କହିଥିଲେ। ଏଥିସହ ସବୁ ଅଞ୍ଚଳରେ କିଛି ନା କିଛି ସମସ୍ୟା ରହିଥିବାରୁ ତାହାର ତର୍ଜମା କରି ସରଳ ନିର୍ଦ୍ଦେଶନାମା ଜାରି କରିବାକୁ ପରାମର୍ଶ ଦେଇଥିଲେ।

ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ବ୍ୟବସ୍ଥାର ସରଳୀକରଣ କରି ଏ ସମ୍ପର୍କରେ ସର୍କୁଲାର ଜାରି କରାଯିବ ବୋଲି କହିଛନ୍ତି। ନିର୍ଦ୍ଦିଷ୍ଟ କୌଣସି ସମସ୍ୟା ଥିଲେ ତାଙ୍କ ଦୃଷ୍ଟିକୁ ଆଣିବାକୁ ମଧ୍ୟ ବିଧାୟକମାନଙ୍କୁ କହିଛନ୍ତି ମନ୍ତ୍ରୀ।



Source link

Leave A Reply

Your email address will not be published.