Voice of Eastern India

ପାରାଦୀପ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଲୋକଙ୍କୁ ମିଳୁନି ନିଯୁକ୍ତି ! ବିଧାନସଭାରେ ନିଜ ସରକାରଠୁ ହିସାବ ମାଗିଲେ ବିଜେପି ବିଧାୟକ


ଭୁବନେଶ୍ୱର: ଶିଳ୍ପର ହବ୍ ପାଲଟିଛି ପାରାଦୀପ। ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଏଠାରେ ପ୍ରତିଷ୍ଠା ହୋଇଛି। କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ସହ ଶିଳ୍ପର ବିକାଶ ହେଉଛି। ହେଲେ ଏହି ଶିଳ୍ପାୟନରୁ ସ୍ଥାନୀୟ ଲୋକ କେତେ ଲାଭବାନ ହେଉଛନ୍ତି ? କମ୍ପାନୀଗୁଡ଼ିକରେ ସ୍ଥାନୀୟ ଯୁବକଯୁବତୀଙ୍କୁ କେତେ ନିଯୁକ୍ତି ମିଳିଛି? ବିଧାନସଭାର ଶୀତକାଳୀନ ଅଧିବେଶନରେ ବୁଧବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ଅମରେନ୍ଦ୍ର ଦାସ। ଅର୍ଥାତ ବିଜେପିର ବିଧାୟକ ନିଜ ସରକାର ଏବଂ ମନ୍ତ୍ରୀଙ୍କଠୁ ଲୋଡ଼ିଛନ୍ତି ଏହାର ଉତ୍ତର।

ପାରାଦୀପରେ କାର୍ଯ୍ୟ କରୁଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଲୋକଙ୍କୁ ଆଶାନୁରୂପ ନିଯୁକ୍ତି ମିଳୁନଥିବା ଅଭିଯୋଗ କରିଛନ୍ତି ବିଧାୟକ। ଏହାସହ କମ୍ପାନୀଗୁଡ଼ିକରେ କେତେ ସ୍ଥାନୀୟ ଲୋକ ନିଯୁକ୍ତି ପାଇଛନ୍ତି, ସେନେଇ ସରକାରଙ୍କଠାରୁ ସବିଶେଷ ତଥ୍ୟ ମାଗିଛନ୍ତି। କେବଳ ନିଯୁକ୍ତି ନୁହେଁ, ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ଜାଣିବାକୁ ଚାହିଁଛନ୍ତି ଅମରେନ୍ଦ୍ର। ସେହିପରି ପାରାଦୀପରେ ଥିବା କମ୍ପାନୀଗୁଡ଼ିକ କେତେ ସ୍ଥାନୀୟ ଲୋକଙ୍କୁ ଠିକା କାମ ଦେଇଛନ୍ତି, ତାହାର ମଧ୍ୟ ହିସାବ ମାଗିଛନ୍ତି।

Also Read: ଶୂନ୍ୟକାଳରେ ଉଠିଲା ଡାଟା ସେଣ୍ଟର ପ୍ରସଙ୍ଗ, ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଏହାବ୍ୟତୀତ କମ୍ପାନୀଗୁଡ଼ିକର ସାମାଜିକ ଦାୟିତ୍ୱବୋଧ (CSR) ପାଣ୍ଠିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ଅମରେନ୍ଦ୍ର ଦାସ। ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ଶିଳ୍ପାନୁଷ୍ଠାନ CSR ବାବଦରେ କେତେ ଟଙ୍କା ପାଇଛନ୍ତି ଏବଂ ସେହି ଅର୍ଥ କେଉଁ କ୍ଷେତ୍ରରେ ଖର୍ଚ୍ଚ ହୋଇଛି, ତାହାର ତଥ୍ୟ ମାଗିଛନ୍ତି। ବିଶେଷକରି CSR ପାଣ୍ଠିରୁ କେତେ ଅର୍ଥ ଜଗତସିଂହପୁର ଜିଲ୍ଲାରେ ଖର୍ଚ୍ଚ ହୋଇଛି ଏବଂ ଜିଲ୍ଲା ବାହାରେ କେତେ ଟଙ୍କା ବିନିଯୋଗ ହୋଇଛି, ସେନେଇ ସ୍ପଷ୍ଟ ହିସାବ ଦାବି କରିଛନ୍ତି ଅମରେନ୍ଦ୍ର ଦାସ।

ସବୁଠୁ ବଡ଼ କଥା ନିଜ ଜିଲ୍ଲାର ମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ କରିଛନ୍ତି ବିଜେପିର ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ। ଆଉ ଶିଳ୍ପ ମନ୍ତ୍ରୀ ହେଉଛନ୍ତି ପାରାଦୀପର ବିଧାୟକ ସମ୍ପଦ ସ୍ଵାଇଁ। ତେବେ ଗୋଟିଏ ଜିଲ୍ଲାର ଦୁଇ ବିଜେପି ନେତାଙ୍କ ମଧ୍ୟରେ ପାରାଦୀପରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ନେଇ ବିବାଦ ରହିଛି କି, ତାକୁ ନେଇ ପ୍ରଶ୍ନ ଉଠିଛି।



Source link

Leave A Reply

Your email address will not be published.