Voice of Eastern India

Sooraj Barjatya : କାହିଁକି ନିଜ ଫିଲ୍ମର ସିକ୍ୱେଲ୍ ତିଆରି କରିବାକୁ ଚାହାନ୍ତିନି ସୁରଜ ବଡ଼ଜାତ୍ୟା ? କଲେ ବଡ଼ ଖୁଲାସା


ମୁମ୍ଵାଇ ୨୫।୧୧; ସଲମାନ ଖାନଙ୍କ କ୍ୟାରିୟର ଗ୍ରାଫକୁ ଆକାଶ ଛୁଆଁ କରିବାରେ ଯେଉଁ ନିର୍ଦ୍ଦେଶକଙ୍କ ପ୍ରମୁଖ ଭୂମିକା ରହିଛି , ସେ ହେଉଛନ୍ତି ସୁରଜ ବଡ଼ଜାତ୍ୟା। ସଲମାନଙ୍କ ସଫଳତାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସଲମାନ ଏହି ନିର୍ଦ୍ଦେଶକଙ୍କ ୪ଟି ସୁପରହିଟ୍ ଫିଲ୍ମରେ କାମ କରି ସ୍ମରଣୀୟ ‘ପ୍ରେମ’ ଚରିତ୍ରରେ ଅଭିନୟ କରିଛନ୍ତି। ସେ ନିଜର ପ୍ରାୟ ୪୦ ବର୍ଷର ଫିଲ୍ମ କ୍ୟାରିୟରରେ ମାତ୍ର ୮ଟି ଫିଲ୍ମ ତିଆରି କରିଛନ୍ତି । ବର୍ତ୍ତମାନ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ନିର୍ଦ୍ଦେଶକ ଜଣାଇଛନ୍ତି ଯେ , ସେ ନିଜର ଏହି ଫିଲ୍ମଗୁଡ଼ିକ ମଧ୍ୟରୁ କାହାର ବି ସିକ୍ୱେଲ୍ କିମ୍ବା ରିମେକ୍ କାହିଁକି କରିବାକୁ ଚାହିଁବେ ନାହିଁ । ଏହାସହ ନିର୍ଦ୍ଦେଶକ ନିଜର ଆଗାମୀ ଫିଲ୍ମ ‘ୟେ ପ୍ରେମ ମୋଲ ଲିୟା’ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ‘ପ୍ରେମ’ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଏବଂ ଶର୍ବରୀ ମୁଖ୍ୟ ନାୟିକା ଅଛନ୍ତି।

ସାକ୍ଷାତକାର ସମୟରେ ନିର୍ଦ୍ଦେଶକ ସୁରଜ ବଡ଼ଜାତ୍ୟାଙ୍କୁ ଯେତେବେଳେ ପଚରାଗଲା ଯେ ଭବିଷ୍ୟତରେ ସେ କିମ୍ବା ତାଙ୍କ ପିଲାମାନେ କେବେ ତାଙ୍କ କୌଣସି ଫିଲ୍ମର ରିମେକ୍ କିମ୍ବା ସିକ୍ୱେଲ୍ କରିବାକୁ ଚାହିଁବେ କି, ଏବଂ ଯଦି ଚାହିଁବେ ତେବେ ତାହା କେଉଁ ଫିଲ୍ମ ହେବ ? ଏହାର ଉତ୍ତରରେ ନିର୍ଦ୍ଦେଶକ ସୁରଜ ବଡ଼ଜାତ୍ୟା କହିଥିଲେ, ନା, ସିକ୍ୱେଲ୍ ତ କରିବି ନାହିଁ, କାରଣ ମୋର ପ୍ରତ୍ୟେକ ଫିଲ୍ମ ବିବାହରେ ଶେଷ ହୋଇଛି । ଆଉ ବିବାହ ପରର ଝଗଡ଼ା ମୋତେ ଦରକାର ନାହିଁ, ମୁଁ ଏହା ଦେଖାଇବାକୁ ଚାହେଁ ନାହିଁ । କିନ୍ତୁ ଏହି ଫିଲ୍ମ (ୟେ ପ୍ରେମ ମୋଲ ଲିୟା) ଟିକେ ସ୍ୱତନ୍ତ୍ର ପ୍ରକାରର । ପ୍ରଥମ ଥର ପାଇଁ ମୋତେ ବିବାହ ପରର ରୋମାନ୍ସ ଉପରେ ଫିଲ୍ମ ବନାଇବାର ସୁଯୋଗ ମିଳିଛି ।

ଏହା ପୂର୍ବରୁ ମୋର ସବୁ ଫିଲ୍ମ ବିବାହରେ ଶେଷ ହେଉ ଥିଲା । ଏଥିରେ ମୁଁ ଟିକେ ଭଲ ଭାବରେ ବିବାହିତ ଜୀବନର ରୋମାନ୍ସକୁ ଦେଖାଇଛି । ସୁରଜ ବଡ଼ଜାତ୍ୟା ସ୍ପଷ୍ଟ କରି ଦେଇଛନ୍ତି ଯେ ସେ ନିଜ ଫିଲ୍ମର ରିମେକ୍ କିମ୍ବା ସିକ୍ୱେଲ୍ ଏଥିପାଇଁ କରିବାକୁ ଚାହାନ୍ତି ନାହିଁ, କାରଣ ତାଙ୍କୁ ବିବାହ ପରର ଝଗଡ଼ା ଦେଖାଇବାର ନାହିଁ । ଏହି ଆଲୋଚନାରେ ସୁରଜ ବଡ଼ଜାତ୍ୟା ଏହା ମଧ୍ୟ କହିଛନ୍ତି ଯେ, ସେ ନିଜ ପତ୍ନୀଙ୍କୁ ଅଲଗା ଅଲଗା ହିରୋଇନଙ୍କ ନାମରେ ଡାକୁ ଥିଲେ, ଯାହା ଥିଲା ତାଙ୍କ ନିଜସ୍ୱ ଅନ୍ଦାଜର ରୋମାନ୍ସ ।

ଆଲୋଚନା ବେଳେ ସୁରଜ ବଡ଼ଜାତ୍ୟା କହିଛନ୍ତି ଯେ, ସେ ନିଜ ଫିଲ୍ମ ‘ୟେ ପ୍ରେମ ମୋଲ ଲିୟା’ ମାଧ୍ୟମରେ ଏକ ବିଶେଷ ପ୍ରସଙ୍ଗ ଉପରେ କଥା ହୋଇଛନ୍ତି । ଏହା ତାଙ୍କର ସବୁଠାରୁ ପ୍ରୋଗ୍ରେସିଭ୍ ଫିଲ୍ମ , ଯେଉଁଥିରେ ଜଣେ ବୋହୂକୁ ନା ନିଜ ବାପଘର ଛାଡ଼ିବାକୁ ପଡ଼ିବ ନା ଶାଶୂଘରକୁ ଯିବାକୁ ପଡ଼ିବ । ଏହି ଫିଲ୍ମରେ ନିର୍ଦ୍ଦେଶକ ବାପଘର କିମ୍ବା ଶାଶୂଘର ନୁହେଁ, ବରଂ ‘ଘର’ ବିଷୟରେ କଥା ହେଉଥିବାର ଦେଖିବାକୁ ମିଳିବ । ଆୟୁଷ୍ମାନ ଏଥିରେ ପ୍ରେମ ଚରିତ୍ରରେ ଅଭିନୟ କରିଛନ୍ତି । ଅଭିନେତା ସାକ୍ଷାତକାରରେ କହିଛନ୍ତି ଯେ , ସେ ପିଲାଦିନରୁ ହିଁ ପ୍ରେମ ହେବା ପାଇଁ ପ୍ରସ୍ତୁତ ହେଉଥିଲେ । ସେ ଯୌଥ ପରିବାରରେ ରହିଛନ୍ତି ଏବଂ ପରିବାରର ମୂଲ୍ୟବୋଧକୁ ଭଲ ଭାବେ ବୁଝନ୍ତି । ଅନ୍ୟପଟେ ଶର୍ବରୀ ନିଜ ଚରିତ୍ର ବିଷୟରେ କହିଛନ୍ତି ଯେ, ଫିଲ୍ମର ଏକ ଦୃଶ୍ୟରେ ଯେତେବେଳେ ସେ ନିଜ ଅନ୍-ସ୍କ୍ରିନ୍ ଶ୍ୱଶୁରଙ୍କ ସହ କଥା ହୁଅନ୍ତି, ସେତେବେଳେ ଆଖି ତଳକୁ କରି ସମ୍ମାନର ସହ ନିଜ ଅଧିକାର କଥା କହିବା ସେ ନିଜ ଘରୁ ଶିଖିଛନ୍ତି । ଏହି ଫିଲ୍ମଟି ଏହି କଳାକାରମାନଙ୍କ ପାଇଁ ଖୁବ୍ ସ୍ୱତନ୍ତ୍ର ହେବାକୁ ଯାଉଛି ।

ଉଲ୍ଲେଖନୀୟ ଯେ, ସୁରଜ ବଡ଼ଜାତ୍ୟା ୧୯୮୯ ମସିହାରେ ସଲମାନ ଖାନଙ୍କୁ ନେଇ ‘ମୈନେ ପ୍ୟାର କିୟା’ ଫିଲ୍ମ ତିଆରି କରି ଥିଲେ । ଏହା ସେହି ବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ସାବ୍ୟସ୍ତ ହୋଇ ଥିଲା । ଏହା ପରେ ସଲମାନ ଖାନଙ୍କ ସହ ହିଁ ‘ହମ୍ ଆପକେ ହୈ କୌନ’ ତିଆରି କରି ଥିଲେ । ଏହି ଫିଲ୍ମ ହିନ୍ଦୀ ସିନେମାର ବକ୍ସ ଅଫିସକୁ ଦୋହଲାଇ ଦେଇଥିଲା ଏବଂ ଆଜି ବି ଏହା ଏକ ଅଲ୍-ଟାଇମ୍ ବ୍ଲକବଷ୍ଟର ଫିଲ୍ମ ଭାବେ ପରିଗଣିତ ହୁଏ ।

ସେହିପରି ‘ହମ୍ ସାଥ୍ ସାଥ୍ ହୈ’ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଧମାକା କରିଥିଲା । ସଲମାନଙ୍କ ପରେ ଶାହିଦ କପୁର ଫିଲ୍ମ ‘ବିବାହ’ରେ ପ୍ରେମ ସାଜିଥିଲେ । ହ୍ରିତିକ ରୋଶନ ଏବଂ ଅଭିଷେକ ବଚ୍ଚନ ଫିଲ୍ମ ‘ମୈଁ ପ୍ରେମ କି ଦିୱାନୀ ହୁଁ’ରେ ପ୍ରେମ ଚରିତ୍ର କରି ଥିଲେ । ଏବେ ଆୟୁଷ୍ମାନ ଖୁରାନା ‘ପ୍ରେମ’ ହୋଇ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ।



Source link

Leave A Reply

Your email address will not be published.