Voice of Eastern India

ଟ୍ରମ୍ପଙ୍କ ଟାରିଫ୍ ଧମକ ! ୧୬ଟି ଦେଶ ଉପରେ ନୂଆ ଶୁଳ୍କ ଲଗାଇବାକୁ ପ୍ରସ୍ତୁତି, ଭାରତ ଉପରେ ବି ବଢ଼ିପାରେ ପ୍ରଭାବ


ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱର ବିଭିନ୍ନ ଦେଶ ଉପରେ ଟାରିଫ୍ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏଥର ତାଙ୍କ ଟାର୍ଗେଟରେ ରହିଛି ୧୬ଟି ଦେଶ । ଏହି ତାଲିକାରେ ଭାରତ ସମେତ ଚୀନ୍, ଜାପାନ ଓ ଦକ୍ଷିଣ କୋରିଆ ଭଳି ପ୍ରମୁଖ ଅର୍ଥନୀତି ରହିଛି । ଏନେଇ ଆମେରିକୀୟ ଖବରକାଗଜ ଦ ୱାଲ୍ ଷ୍ଟ୍ରିଟ ଜର୍ଣ୍ଣାଲରେ ଦାବି କରାଯାଇଛି ।

ଆମେରିକାର ଅଭିଯୋଗ ହେଉଛି, ଏହି ଦେଶଗୁଡ଼ିକ ନିଜ ଦେଶର ଶିଳ୍ପ ଓ କମ୍ପାନିଗୁଡ଼ିକୁ ସରକାରୀ ସବସିଡି, ଆର୍ଥିକ ସହାୟତା ଓ ବିଭିନ୍ନ ସୁବିଧା ଯୋଗାଇ ଦେଉଛନ୍ତି । ଫଳରେ ସେଠାକାର କମ୍ପାନିଗୁଡ଼ିକ କମ୍ ଖର୍ଚ୍ଚରେ ଅଧିକ ସାମଗ୍ରୀ ଉତ୍ପାଦନ କରି ବିଶ୍ୱ ବଜାରକୁ ରପ୍ତାନି କରୁଛନ୍ତି । ଏହାଦ୍ୱାରା ଆମେରିକାର ଘରୋଇ ଉତ୍ପାଦନକାରୀ କମ୍ପାନିଗୁଡ଼ିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହି ଅଭିଯୋଗର ଆଧାରରେ ଆମେରିକା ଗତ କିଛି ମାସ ଧରି ଶିଳ୍ପ କ୍ଷେତ୍ରରେ ଦିଆଯାଉଥିବା ସବସିଡିକୁ ନେଇ ତଦନ୍ତ କରୁଛି ।

Also read: ୟୁକ୍ରେନ୍ ଯୁଦ୍ଧରେ ୫ ଲକ୍ଷରୁ ଅଧିକ ରୁଷୀୟ ସୈନିକଙ୍କ ମୃତ୍ୟୁ !

ରିପୋର୍ଟ ଅନୁଯାୟୀ, ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ୍ ଗ୍ରୀର୍ ଚଳିତ ସପ୍ତାହରେ ଏହି ତଦନ୍ତର ରିପୋର୍ଟ ଘୋଷଣା କରିପାରନ୍ତି । ତେବେ ଘୋଷଣାର ସମୟରେ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି । ଭାରତ ପାଇଁ ଏହି ସମୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ନୂଆଦିଲ୍ଲୀ ଓ ୱାଶିଂଟନ୍ ମଧ୍ୟରେ ଏବେ ବି ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ନେଇ ଆଲୋଚନା ଜାରି ରହିଛି । ଏଭଳି ସମୟରେ ଆମେରିକାର ନୂଆ ଟାରିଫ୍ ନିଷ୍ପତ୍ତି ଭାରତର ଚିନ୍ତା ବଢ଼ାଇପାରେ ।

ଆମେରିକାର ନୂଆ ଟାରିଫ୍ ଯୋଜନା ଭାରତ ଓ ଆମେରିକା ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିକୁ ଆହୁରି ଜଟିଳ କରିପାରେ । ୨୦୨୬ ଫେବୃଆରୀ ୭ରେ ଦୁଇ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଢାଞ୍ଚା ଉପରେ ସହମତି ପ୍ରକାଶ କରିଥିଲେ । ଏହା ଅନୁଯାୟୀ, ଭାରତୀୟ ସାମଗ୍ରୀ ଉପରେ ଆମେରିକାର ରେସିପ୍ରୋକାଲ୍ ଟାରିଫକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇବା ଏବଂ ରୁଷିଆଠାରୁ ଭାରତ ତେଲ କିଣୁଥିବା କାରଣରୁ ଲାଗୁ ହୋଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ହଟାଇବାକୁ ଆମେରିକା ରାଜି ହୋଇଥିଲା ।

କିନ୍ତୁ ଫେବୃଆରୀରେ ଆମେରିକା ସୁପ୍ରିମକୋର୍ଟ ଇଣ୍ଟରନ୍ୟାସନାଲ୍ ଇମର୍ଜେନ୍ସି ଇକୋନୋମିକ୍ ପାୱାର୍ସ ଆକ୍ଟ (IEEPA) ଅଧୀନରେ ଲାଗୁ ହୋଇଥିବା ଟ୍ରମ୍ପଙ୍କ ଟାରିଫ୍କୁ ରଦ୍ଦ କରିଦେଇଥିଲେ । ଫଳରେ ଆମେରିକାକୁ ନିଜର ଟାରିଫ୍ ନୀତି ପୁନର୍ବିଚାର କରିବାକୁ ପଡ଼ିଥିଲା । ନଭେମ୍ବର ୧୮ ତାରିଖରେ ଭାରତର ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଥିଲେ ଯେ, ଆମେରିକାର ନୂଆ ଟାରିଫ୍ ବ୍ୟବସ୍ଥା ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଔପଚାରିକ ଭାବେ ସ୍ୱାକ୍ଷର କରିବା ସମ୍ଭବ ନୁହେଁ ।



Source link

Leave A Reply

Your email address will not be published.