ନୂଆଦିଲ୍ଲୀ: ଦେଶରେ ଚାଉଳର କିଛି କିସମର ଦର ଦ୍ରୁତଗତିରେ ବଢ଼ୁଥିବାରୁ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି । ଘରୋଇ ବଜାରରେ ଚାଉଳର ଉପଲବ୍ଧତା ବଢ଼ାଇବା ସହ ଦର ନିୟନ୍ତ୍ରଣ କରିବା ପାଇଁ କେତେକ କିସମର ଚାଉଳ ରପ୍ତାନି ଉପରେ ପ୍ରାୟ ୨୦ ପ୍ରତିଶତ ଶୁଳ୍କ ଲଗାଇବାକୁ ବିଚାର କରୁଛନ୍ତି ସରକାର । ତେବେ ଏହି ପ୍ରସ୍ତାବ ଉପରେ ଏଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକ ସହ ଆଲୋଚନା ପରେ ହିଁ ନିଷ୍ପତ୍ତି ନିଆଯିବ ।
ସରକାରୀ ଏବଂ ଶିଳ୍ପ ଜଗତର ସୂତ୍ର ଅନୁସାରେ, ବିଶେଷକରି ୧୦୦ ପ୍ରତିଶତ ଭଙ୍ଗା ଚାଉଳ ଏବଂ କେତେକ ଦାମୀ ଅଣ-ବାସୁମତୀ ଚାଉଳର ରପ୍ତାନି ଉପରେ ଶୁଳ୍କ ଲଗାଇବା କିମ୍ବା ରପ୍ତାନି ସୀମିତ କରିବା ନେଇ ବିଚାର ଚାଲିଛି । ଦକ୍ଷିଣ ଭାରତର କେତେକ ରାଜ୍ୟରେ ଦାମୀ ଅଣ-ବାସୁମତୀ ଚାଉଳର ଉପଲବ୍ଧତା ହ୍ରାସ ପାଇଛି । ସେହିପରି ଭଙ୍ଗା ଚାଉଳର ଚାହିଦା ବଢ଼ିବାରୁ ଏହାର ଦରରେ ମଧ୍ୟ ବୃଦ୍ଧି ଘଟିଛି ।
ରପ୍ତାନି ଉପରେ ଶୁଳ୍କ ଲାଗିଲେ ବିଦେଶକୁ ଚାଉଳ ବିକ୍ରି କରିବା ବ୍ୟବସାୟୀଙ୍କ ପାଇଁ ମହଙ୍ଗା ହୋଇପାରେ । ଫଳରେ ସେମାନେ ଘରୋଇ ବଜାରରେ ଅଧିକ ଚାଉଳ ବିକ୍ରି କରିବାକୁ ଆଗ୍ରହୀ ହେବେ । ଏହାଦ୍ୱାରା ଦେଶ ଭିତରେ ଚାଉଳର ଯୋଗାଣ ବଢ଼ିବା ସହ ଦର ନିୟନ୍ତ୍ରଣରେ ସହାୟତା ମିଳିପାରେ । ଭଙ୍ଗା ଚାଉଳର ଦର ବଢ଼ିବା ଯୋଗୁଁ କୁକୁଡ଼ା ପାଳନ ଶିଳ୍ପ ଏବଂ ପଶୁଖାଦ୍ୟ ଉତ୍ପାଦନ ଶିଳ୍ପସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ଦୁଇଟି ଶିଳ୍ପରେ ଭଙ୍ଗା ଚାଉଳକୁ କଞ୍ଚାମାଲ ଭାବେ ବ୍ୟବହାର କରାଯାଏ । ଚାଉଳର ଦର ବଢ଼ିବା ଫଳରେ ଉତ୍ପାଦନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି । ତେଣୁ ଏହି ଶିଳ୍ପ ସହ ଜଡ଼ିତ ବ୍ୟବସାୟୀମାନେ ଚାଉଳ ରପ୍ତାନି ସୀମିତ କରିବାକୁ ସରକାରଙ୍କୁ ଦାବି କରିଛନ୍ତି ।
